ବାରିପଦା ପରେ ଭୁବନେଶ୍ଵର ବିଶ୍ଵର ସବୁଠୁ ଉତ୍ତପ୍ତ ସହର, ୪୦ ଉପରେ ରାଜ୍ୟର ୧୮ଟି ଜିଲ୍ଲା

ଭୁବନେଶ୍ବର, (ଓଡିଶା ଟାଇମ୍) :ମାର୍ଚ୍ଚ ମାସ ସରିନଥିବା ବେଳେ ତତଲା କଡେଇରେ ପରିଣତ ହୋଇସାରିଲାଣି ସାରା ରାଜ୍ୟ । ଗତକାଲି ବାରିପଦା ବିଶ୍ଵର ସର୍ବାଧିକ ତାପମାତ୍ରା ସହ ହଟ୍ ଜୋନ୍‌ରେ ପରିଣତ ହୋଇଥିବା ବେଳେ ଆଜି ତାତିରେ ରେକର୍ଡ ଭାଙ୍ଗିଲା ଭୁବନେଶ୍ଵର। ବୁଧବାର ରାଜଧାନୀରେ ତାପମାତ୍ରା ୪୪.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। worldweathertoday.info ଅନୁଯାୟୀ ଭୁବନେଶ୍ଵର ଆଜି ବିଶ୍ଵର ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଛି। ୧୯୪୮ ମସିହା ପରଠୁ ମାର୍ଚ୍ଚ ଶେଷ ଆଡକୁ ଭୁବନେଶ୍ଵରରେ କେବେ ମଧ୍ୟ ଏମିତି ଗରମ ଅନୁଭୂତ ହୋଇ ନଥିଲା। ୨୦୧୬ରେ ଭୁବନେଶ୍ଵରରେ ଠିକ୍ ଏହି ସମୟରେ ସର୍ବୋଚ୍ଚ ତାପମାତ୍ରା ୪୨.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ତେବେ ତାପମାତ୍ରାରେ ଭୁବନେଶ୍ଵର ଆଜି ରେକର୍ଡ କରିଛି।

ଗତକାଲି ରାଜ୍ୟର ୧୬ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ବୁଧବାର ୧୮ଟି ଜିଲ୍ଲାରେ ପାରଦ ୪୦ ଉପରେ ରହିଛି। ପୂରା ରାଜ୍ୟ ତତଲା କଡେଇରେ ଭାଜି ହୋଇ ଯାଉଛି। ଉଲ୍ଲେଖଯୋଗ୍ୟ, ଗତକାଲି ୪୪.୬ ଡିଗ୍ରୀ ସହ  ବାରିପଦା  ବିଶ୍ଵର ଉତ୍ତପ୍ତ ସହର ପାଲଟିଥିଲା।

ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବୁଧବାର ରାଜ୍ୟର ୧୩ଟି ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଛି। ଗତକାଲି ତାପମାତ୍ରାରେ ରେକର୍ଡ କରିଥିବା ବାରିପଦାରେ ବୁଧବାର ପାରଦ ୪୩.୬ ଡିଗ୍ରୀ ରେକର୍ଡ କରାଯାଇଛି। ସେହି ପରି ବାଲେଶ୍ଵରରେ ୪୩, ଚାନ୍ଦବାଲିରେ ୪୨.୬, ତାଳଚେରରେ ୪୨.୫, ମାଲକାଗନିରି, ଗଜପତି  ଓ ବୌଦ୍ଧରେ ୪୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଏହି ପରି ଅନୁଗୁଳରେ ୪୧.୭, ବଲାଙ୍ଗୀର ଓ ଭବାନୀପାଟଣାରେ ୪୧.୫, ଟିଟିଲାଗଡ ଓ ନୟାଗଡରେ ତାପମାତ୍ରା ୪୧.୨ ଡିଗ୍ରୀ ସେଲସିୟସ ରହିଛି।

ଆଜି ପୁଣି ହିଟ୍ ୱେଭ୍ ପାଇଁ ୨୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଆହୁରି ୨ ଦିନ ଯାଏ ରାଜ୍ୟରେ ଏଭଳି ପାଗ ଜାରି ରହିବା ନେଇ ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି ।

Leave a Reply

Your email address will not be published. Required fields are marked *