ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ : ୯ରୁ ବର୍ଷା ସମ୍ଭାବନା

ଭୁବନେଶ୍ବର, (ଓଡିଶା ଟାଇମ୍) :ଆସନ୍ତା ୯ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖ ଅଂଚଳରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ପଶ୍ଚିମ ତଥା ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି । ବର୍ଷାକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାପାଳଙ୍କୁ ଆଲର୍ଟ କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । ଏଥିସହିତ ସମସ୍ତ ବିଭାଗର ସଚିବ, ଆରଡିସି, ପୋଲିସ ପ୍ରଶାସନ , ଏନ୍ ଡିଆରଏଫ୍ , ଓସ୍ ଡମା ନିର୍ବାହୀ ନିର୍ଦ୍ଦେଶକଙ୍କୁ ମଧ୍ୟ ସଜାଗ ରହିବାକୁ କୁହାଯାଇଛି ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ନିର୍ଧୁମ ବର୍ଷା ହୋଇଛି । ସମ୍ବଲପୁରର ଯୁଯୁମୁରାରେ ସର୍ବାଧିକ ୨୮୫ ମିଲିମିଟର ବର୍ଷା ଢାଳିଛି । ବୌଦ୍ଧ ଖରିମାଳରେ ୧୭୬ ମିମି, ସୋନପୁରରେ ୧୭୦ ମିମି, ପୁରୀ କାକଟପୁରରେ ୧୫୨ ମିମି, ଗୋପରେ ୧୫୧ ମିମି, ଭୁବନେଶ୍ୱରରେ ୧୪୯.୪ ମିମି ଓ କଟକର କଣ୍ଟାପଡ଼ାରେ ୧୬୫ ମିମି, ତାଳଚେରରେ ୧୦୮ ମିମି ବର୍ଷା ରେକର୍ଡ ହୋଇଛି । ଚଳିତ ବର୍ଷା ଋତୁରେ ଏଯାଏଁ ଏଭଳି ବର୍ଷା ହୋଇନଥିଲା ।

ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଅନେକ ଅଞ୍ଚଳରେ ସ୍ଥିତି ବଦଳିଛି । ଶୁଖି ଫାଟି ଆଁ କରି ଚାଷ ଜମିରେ ଏବେ ପାଣି ଜମିଛି । ପାଣିପାଗ ପୂର୍ବାନୁମାନ, ଆସନ୍ତା ୯ ତାରିଖବେଳକୁ ଆଉ ଏକ ଲଘୁଚାପ ଆସୁଛି । ଏହା ପ୍ରଭାବରେ ୧୪ ଯାଏଁ ରାଜ୍ୟରେ ବର୍ଷା ଲାଗିତ ରହିବ । ୧୧ରୁ ପ୍ରବଳ ବର୍ଷା ହୋଇପାରେ । ଲମ୍ବା ପ୍ରତୀକ୍ଷା ପରେ ଅଗଷ୍ଟ ପ୍ରଥମ ସପ୍ତାହରେ ଭଲ ବର୍ଷା ହୋଇଛି । ଦ୍ୱିତୀୟ ସପ୍ତାହରେ ପୁଣି ବର୍ଷା ସମ୍ଭାବନା ଚାଷୀଙ୍କୁ ଉତ୍ସାହିତ କରିଛି । ଦୀର୍ଘ ଦିନ ଧରି ଅଟକି ଯାଇଥିବା ଧାନ ରୁଆ ଓ ବେଉଷଣ କାମ ଆଗେଇବାକୁ ଚାଷୀ ପ୍ରସ୍ତୁତ ହେଲାଣି।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଆସନ୍ତା ୮ ତାରିଖବେଳକୁ ଓଡ଼ିଶାର ଉତ୍ତରରେ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ସ୍ଥଳଭାଗ ଉପରେ ଏକ ଘୂର୍ଣ୍ଣିବଳୟ ହେବ । ଏହା ଘନୀଭୂତ ହୋଇ ୯ ତାରିଖକୁ ଲଘୁଚାପରେ ପରିଣତ ହେବ । ଏହା ପ୍ରଭାବରେ ୮ରୁ ୧୦ ତାରିଖ ଭିତରେ ଓଡ଼ିଶାର ପଶ୍ଚିମ ସୀମାନ୍ତବର୍ତ୍ତୀ ଅଞ୍ଚଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱଳ୍ପ ବର୍ଷା ହୋଇପାରେ । ଏହି ସମୟରେ ଉପକୂଳ ଓଡ଼ିଶାରେ ବିଶେଷ ବର୍ଷା ହେବନି । ସମ୍ଭାବ୍ୟ ଲଘୁଚାପ ପ୍ରଭାବ ୧୧ରୁ ବେଶି ପଡ଼ିବ ଓଡ଼ିଶାରେ । ୧୧ ଓ ୧୨ରେ ଉପକୂଳ ଓଡ଼ିଶାରେ ପ୍ରାୟତଃ ମଧ୍ୟମରୁ ପ୍ରବଳ ବର୍ଷା ହେବ । ସ୍ଥାନେ ସ୍ଥାନେ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି । ୧୧ରୁ ୧୩ ତାରିଖ ମଧ୍ୟରେ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶା ଏବଂ ୧୨-୧୪ ତାରିଖ ମଧ୍ୟରେ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ । ୧୪ ତାରିଖ ପରେ କିଛିଦିନ ବିଶେଷ ବର୍ଷା ନାହିଁ ।

Leave a Reply

Your email address will not be published.