ଶୀତରେ ଥରୁଛି ସାରା ଓଡ଼ିଶା
ଭୁବନେଶ୍ବର, (ଓଡିଶା ଟାଇମ୍) : କିଛି ଦିନ ଧରି ସାମାନ୍ୟ କମିବା ପରେ ରାଜ୍ୟକୁ ପୁଣିଥରେ ଫେରିଛି ଜାଡ଼। ଗତ ୨ ଦିନ ଧରି ରାଜ୍ୟରେ ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି। ସନ୍ଧ୍ୟା ହେଲେ ଦେହ ହାତ କାଲୁଆ ହୋଇଯାଉଛି। ସକାଳ ୯ଟା ପର୍ଯ୍ୟନ୍ତ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଆସନ୍ତା ୨୪ ଘଣ୍ଟା ପାଇଁ ୭ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ପାଣିପାଗ ବିଭାଗର କହିବାନୁସାରେ, ଏଭଳି ଶୀତ ଲହରି ୪ ତାରିଖ ଯାଏଁ ଜାରି ରହିବ । ଅଧିକାଂଶ ସ୍ଥାନରେରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ଖସିଯିବ । ଅର୍ଥାତ୍ ଭୀଷଣ ଥଣ୍ଡା ପ୍ରବାହ ଲାଗି ରହିବ । ୭ଟି ଜିଲ୍ଲାରେ ଭୀଷଣ ଶୀତ ଲହରୀ ଓ ୧୬ଟି ଜିଲ୍ଲାରେ ଶୀତ ଲହରୀ ପାଇଁ ସତର୍କ ସୂଚନା ଜାରି ହୋଇଛି ।
ରବିବାର ରାତିରେ ଫୁଲବାଣୀ ତାପମାତ୍ରା ୫ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ା ୭.୫, ବଲାଙ୍ଗିର ୭.୮, କେନ୍ଦୁଝର ୮.୪, ସୋନପୁର ୮.୬, ଦାରିଙ୍ଗିବାଡ଼ି ୯, ବୌଦ୍ଧ ୯, ସୁନ୍ଦରଗଡ଼ ୯, ବାରିପଦା ୯.୬ ଡିଗ୍ରୀ ଥିଲା । କଟକରେ ୧୨, ଭୁବନେଶ୍ୱରରେ ୧୩.୮ ଡିଗ୍ରୀ ସେଲସିୟସ ରହିଥିଲା ତାପମାତ୍ରା ।
ପାଣିପାଗ ବିଭାଗ ସତର୍କ କରାଇଛି ଯେ, ମଙ୍ଗଳବାର ସକାଳେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ବଲାଙ୍ଗିର ଓ କନ୍ଧମାଳରେ ଭୀଷଣ ଥଣ୍ଡା ଲହରୀ ଅନୁଭୂତ ହେବ । ଏସବୁ ଜିଲ୍ଲାରେ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି ନୟାଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ବରଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, କଳାହାଣ୍ଡି, ନୂଆପଡ଼ା, ଖୋର୍ଦ୍ଧାରେ ଶୀତ ଲହରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।