ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ବର, (ଓଡିଶା ଟାଇମ୍) : ଦାନା ବାନ୍ଧୁଛି ଲଘୁଚାପ । ଯାହାଫଳରେ କି ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକ ଠାରୁ କମ ବର୍ଷା ହୋଇଥିବା ବେଳେ ଆସନ୍ତାକାଲି ହେବାକୁ ଥିବା ଲଘୁଚାପ ବର୍ଷା ଚାଷୀ ମନରେ ଆଶା ସଂଚାର କରିଛି । ଲଘୁଚାପ ସମ୍ଭାବନା ଥିବାରୁ ଆସନ୍ତାକାଲି ଓ ପହରଦିନ ସାରା ରାଜ୍ୟରେ ବର୍ଷା ହେବା ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।
୮ତାରିଖ ଦିନ ମଧ୍ୟ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ୯ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହେବ। ଫଳରେ ୮ରୁ ୧୧ ତାରିଖ ଯାଏଁ ରାଜ୍ୟରେ ଭଲ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି। ଆସନ୍ତାକାଲି ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲ୍ କାରୁ ମଧ୍ୟମ ଧରଣର ବର୍ଷା ହେବା ସହ ଉପକୂଳ ଓଡ଼ିଶାର ବି ଅନେକ ସ୍ଥାନରେ ବର୍ଷା ହୋଇପାରେ।
ଆଭ୍ୟନ୍ତରୀଣ ଓଡ଼ିଶାର ମାଲକାନଗିରି, କଳାହାଣ୍ଡି, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର, ସୋନପୁର, ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ ଓ ସୁନ୍ଦରଗଡ଼ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୪ ଓ ୫ ତାରିଖରେ ବର୍ଷାର ପରିମାଣ ବଢ଼ିବ। ବିସ୍ତୃତ ଭାବେ ସାରା ରାଜ୍ୟରେ ଏହି ଦୁଇ ଦିନ ବର୍ଷା ହେବ ଓ କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ।
ସେହିପରି ଆସନ୍ତା ସପ୍ତାହେ ମଧ୍ୟରେ ରାଜ୍ୟରେ ଦୁଇଟି ଲଘୁଚାପ ସୃଷ୍ଟି ହେବ। ଉଭୟ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବ ଓ ରାଜ୍ୟରେ ଭଲ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଆଜି ବାଂଲାଦେଶ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। କାଲି ଓଡ଼ିଶା ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏହା ଲଘୁଚାପରେ ପରିଣତ ହେବ ଓ ରାଜ୍ୟରେ ଆଜିଠାରୁ ୬ତାରିଖ ଯାଏ ବର୍ଷା ହେବ।