ରାଜ୍ୟକୁ ୧୨ରୁ ଲେଉଟିବ ଶୀତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟର ବିଭିନ୍ନ ସ୍ଥାନରେ ରାତ୍ରିର ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇବା ଯୋଗୁଁ ସପ୍ତାହେ ବ୍ୟାପି ସାରା ରାଜ୍ୟରେ ଥଣ୍ଡା କମିଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସବୁଠୁ କମ ଦାରିଙ୍ଗବାଡିରେ ୧୧ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। କୋରାପୁଟରେ ୧୧.୨ ଏବଂ ଫୁଲବାଣୀରେ ୧୧.୫ ଡିଗ୍ରୀ ରହିଛି। ଅନ୍ୟାନ୍ୟ ସ୍ଥାନରେ ପାରଦ ୧୩ ଡିଗ୍ରୀ ଉପରେ ରହିଛି। ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ରାତ୍ରିର ସର୍ବନିମ୍ନ ତାପମାତ୍ରା ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ; କିନ୍ତୁ ଏହି ସମୟରେ ଆଭ୍ୟନ୍ତରୀଣ ଜିଲାଗୁଡିକର କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିବ।

ଉପକୂଳବର୍ତ୍ତି ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହିବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରୀ ହ୍ରାସ ପାଇବ। ଉପକୂଳବର୍ତ୍ତି ଜିଲାଗୁଡିକରେ ମଧ୍ୟ ୨ରୁ ୩ ଡିଗ୍ରୀ ପାରଦ ତଳକୁ ଖସି ଆସିବ। ୧୨ ତାରିଖରୁ ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶାରେ ଧୀରେ ଧୀରେ ତାପମାତ୍ରା କମିବ। ଫଳରେ ଆଭ୍ୟନ୍ତରୀଣ ଓ ଉପକୂଳବର୍ତ୍ତି ଜିଲାଗୁଡିକରେ ଶୀତ ଅନୁଭୂତ ହେବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ଦୁଇଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡି ଅନୁଭୂତ ହେବ। ୧୦ ତାରିଖ ସକାଳେ ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଭଦ୍ରକ ଓ ମୟୂରଭଞ୍ଜ ଜିଲାରେ ଘନ କୁହୁଡି ଅନୁଭୂତ ହେବାର ସମ୍ଭାବନା ଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ଉପରୋକ୍ତ ଜିଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଯାଜପୁର, ବୌଦ୍ଧ, କନ୍ଧମାଳ, ନୟାଗଡ ଓ ଖୋର୍ଦ୍ଧା ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କୁହୁଡି ଦୃଶ୍ୟମାନ ହେବ। ଜିଲାପାଳମାନେ ସତର୍କ ରହିବା ପାଇଁ ଏସ୍‌ଆରସି ପରାମର୍ଶ ଦେଇଛନ୍ତି। ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଗାଡ଼ି ଚଳାଚଳ ବେଗକୁ ନିୟନ୍ତ୍ରଣ କରିବା ଦିଗରେ ପଦକ୍ଷେପ ନେବାକୁ ଏସ୍‌ଆରସି ନିର୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *