ରାଜ୍ୟରେ ହାଡଥରା ଶୀତ, ଆହୁରି ଖସିବ ପାରଦ, ୧୦ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ

ଭୁବନେଶ୍ବର, (ଓଡିଶା ଟାଇମ୍) : ଉତ୍ତର ଭାରତରୁ ଓଡ଼ିଶାକୁ ଥଣ୍ଡା ପବନ ପ୍ରବାହ ଫଳରେ ସାରା ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୪ରୁ ୫ ଡିଗ୍ରୀ ପର୍ୟ୍ୟନ୍ତ କମିଛି। ରାଜ୍ୟର ଅର୍ଦ୍ଧାଧିକ ଅଞ୍ଚଳ ଜାଡ଼ରେ ଥରୁଛି। ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସବୁଠୁ କମ ୫.୫ ଡିଗ୍ରୀ ସେଲସିୟସ୍‌କୁ କମିଛି। ରାଜ୍ୟର ପ୍ରାୟ ୯ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଝାରସୁଗୁଡରେ ୭.୪, କୋରାପୁଟରେ ୮.୬, ଅନୁଗୋଳରେ ୮.୬, ବାରିପଦାରେ ୮.୫, ଦାରିଙ୍ଗବାଡିରେ ୯, ଭବାନୀପାଟଣାରେ ୯.୨, ବଲାଙ୍ଗୀରରେ ୯.୪ ଏବଂ କେନ୍ଦୁଝରରେ ୯.୫ ଡିଗ୍ରୀ ରେକର୍ଡ କରାଯାଇଛି। ୨୨ଟି ସହର ପାରଦ ୧୫ ଡିଗ୍ରୀ ତଳେ ରହିଛି। ସେଗୁଡିକ ହେଲା ବାଲେଶ୍ବରରେ ୧୧.୫, ଚାନ୍ଦବାଲିରେ ୧୧.୯, କଟକରେ ୧୧.୬, ପାରାଦ୍ବୀପରେ ୧୪.୩, ଭୁବନେଶ୍ବରରେ ୧୩.୯, ସମ୍ବଲପୁରରେ ୧୧, ହୀରାକୁଦରେ ୧୧.୬, ତାଳଚେରରେ ୧୦.୬, ଟିଟିଲାଗଡରେ ୧୧.୫, ମାଲକାନଗିରିରେ ୧୩, ସୋନପୁରରେ ୧୧, ନୟାଗଡରେ ୧୩ ଏବଂ ବୌଦ୍ଧରେ ୧୦.୫ ଡିଗ୍ରୀ ରେକର୍ଡ କରାଯାଇଛି। ଆଜି ଶିମିଳିପାଳ ଅଭୟାରଣ୍ୟର ଉପର ବାରାହାକାମୁଡା ଅଂଚଳରେ ତାପମାତ୍ରା ୨ ଡିଗ୍ରୀ ଥିବା ବେଳେ ନଅଣା ଉତ୍ତରରେ ୭ ଡିଗ୍ରୀ ରେକର୍ଡ କରାଯାଇଛି।

ରାଜ୍ୟରେ ମୁଖ୍ୟତଃ ଡିସେମ୍ବର ଦ୍ବିତୀୟ ସପ୍ତାହରୁ ଜାନୁଆରୀ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ପ୍ରବଳ ଶୀତ ଅନୁଭୂତ ହୋଇଥାଏ। ତିନିଦିନ ହେଲା ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଛି। ରାଜ୍ୟରେ ଶୀତ ଲହରୀ ଜାରି ରଖିଥିବାରୁ ୨୩ ତାରିଖ ପର୍ଯ୍ୟନ୍ତି ସତର୍କ ରହିବାକୁ ଏସ୍‌ଆରସି ସମସ୍ତ ଜିଲାପାଳ ଏବଂ ପୌର ପ୍ରଶାସକଙ୍କୁ ନିର୍ଦେଶ ଦେଇଛନ୍ତି। ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବାସହୀନଙ୍କ ପାଇଁ ତୁରନ୍ତ ରାତ୍ରି ଯାପନ ଆଶ୍ରୟସ୍ଥଳୀ ବ୍ୟବସ୍ଥା କରିବାକୁ ନିର୍ଦେଶ ଦିଆଯାଇଛି। ରାଜ୍ୟକୁ ଶୁ‌ଷ୍କ ଏବଂ ଥଣ୍ଡା ବାୟୁ ପ୍ରବାହିତ ହେଉଥିବାରୁ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲାଗୁଡିକରେ ୩ରୁ ୪ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ପରିବର୍ତ୍ତନର ସମ୍ଭାବନା ନାହିଁ। ଉପକୂଳବର୍ତ୍ତୀ ଜିଲାଗୁଡିକରେ ୩ରୁ ୪ ଦିନ ଧରି ରାତିର ତାପମାତ୍ରା ୩ରୁ ୪ ଡିଗ୍ରୀ ସେଲସିୟସ୍‌ ପର୍ୟ୍ୟନ୍ତ ତାପମାତ୍ରା ହ୍ରାସ ପାଇବ। ଆଗାମୀ ୨୪ ଘଣ୍ଟା ପାଇଁ ୫ଟି ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଜିଲାଗୁଡିକ ହେଲା, ମୟୂରଭଞ୍ଜ, ଅନୁଗୋଳ, ଝାରସୁଗୁଡା, ସୁନ୍ଦରଗଡ ଓ ବରଗଡ। କୋରାପୁଟ, କନ୍ଧମାଳ, ବାଲେଶ୍ବର, କେନ୍ଦୁଝର, ବୌଦ୍ଧ, ସୋନପୁର, କଳାହାଣ୍ଡି, ନୂଆପଡା, ଢେଙ୍କାନାଳ, କଟକ ଏବଂ ଦେବଗଡ ଜିଲାକୁ ଏଲୋ ୱାର୍ଣ୍ଣିଂ ଜାରି ହୋଇଛି।

୨୨ ତାରିଖ ପାଇଁ ମୟୂରଭଞ୍ଜ, ଅନୁଗୋଳ, ଝାରସୁଗୁଡା, ସୁନ୍ଦରଗଡ, ବରଗଡ ଏବଂ ଢେଙ୍କାନାଳ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, କେନ୍ଦୁଝର, ଦେବଗଡ, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, ନୂଆପଡା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଏବଂ କୋରାପୁଟ ଜିଲାକୁ ଏଲୋ ୱାର୍ଣ୍ଣିଂ ଦିଆଯାଇଛି। ୨୩ରେ ମୟୂରଭଞ୍ଜ, ଢେଙ୍କାନାଳ, ସୁନ୍ଦରଗଡ, ଅନୁଗୋଳ, ଝାରସୁଗୁଡା, ବରଗଡ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଏବଂ କୋରାପୁଟ ଜିଲାକୁ ଏଲୋୱାର୍ଣ୍ଣିଂ ଦିଆଯାଇଛି। ଶୀତ ଲହରୀ ଯୋଗୁଁ ପାଣିପାଗ ବିଭାଗ ଏବଂ ଏସ୍‌ଆରସି ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *