୨୯ରେ ଆଉ ଏକ ଲଘୁଚାପ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆସନ୍ତା ୨୯ତାରିଖରେ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରାଞ୍ଚଳରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପଶ୍ଚିମ ଦିଗରେ ଗତି କରିପାରେ ବୋଲି ଆକଳନ କରାଯାଇଛି। ତେବେ ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିବ କି ନା ସେ ସମ୍ପର୍କରେ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ରାଜ୍ୟରେ ସର୍ବନିମ୍ନ ତାପମାତ୍ରl ହ୍ରାସ ପାଇବା ଯୋଗୁଁ ଶୀତ ପ୍ରକୋପ ବଢ଼ିଥିଲେ ହେଁ ଆସନ୍ତା ୨୪ଘଣ୍ଟା ମଧ୍ୟରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୨ଡ଼ିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ତେବେ ଆସନ୍ତା ୪୮ ଘଣ୍ଟା ପରେ ରାତିର ତାପମାତ୍ରା ପୁନର୍ବାର ହ୍ରାସ ପାଇବ। ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୩ରୁ ୪ଡ଼ିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂତ୍ରରୁ ଜଣାପଡ଼ିଛି। ଗତ ୨୪ ଘଣ୍ଟାରେ ଦାରିଙ୍ଗବାଡ଼ିରେ ରାତିର ସର୍ବନିମ୍ନ ତାପମାତ୍ରା ରାଜ୍ୟର ସବୁଠୁ କମ ୧୦ ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଥିବାବେଳେ ରାଜ୍ୟର ୯ଟି ସ୍ଥାନରେ ପାରଦ ୧୫ଡ଼ିଗ୍ରୀ ତଳେ ରହିଥିଲା।

ତାମିଲନାଡ଼ୁ ଓ ପୁଡ଼ୁଚେରୀରେ ବାତ୍ୟା ପ୍ରଭାବ ଯୋଗୁଁ ଦକ୍ଷିଣ ଓଡ଼ିଶାରେ ଆଜି ଦିନବେଳା କୋହଲା ପାଗ ଅନୁଭୂତ ହୋଇଥିଲା। ଦିନବେଳା ସର୍ବାଧିକ ତାପମାତ୍ରା ଦାରିଙ୍ଗବାଡ଼ିରେ ସବୁଠୁ କମ ୨୨ଡ଼ିଗ୍ରୀକୁ ଖସିଥିବାବେଳେ ଭବାନିପାଟଣା, ପାରଳାଖେମୁଣ୍ଡି, ଟିଟିଲାଗଡ଼ ଓ ରାୟଗଡ଼ାରେ ଦିନବେଳା ସର୍ବାଧିକ ତାପମାତ୍ରା ୨୩ରୁ ୨୪ଡ଼ିଗ୍ରୀ ମଧ୍ୟରେ ସୀମିତ ଥିଲା। ଫଳରେ ଏଠାରେ ପ୍ରବଳ ଥଣ୍ଡା ଅନୁଭୂତ ହୋଇଥିଲା।

Leave a Reply

Your email address will not be published. Required fields are marked *