ଖସୁଛି ପାରଦ, ବଢୁଛି ଶୀତ
ଭୁବନେଶ୍ବର, (ଓଡିଶା ଟାଇମ୍) :ଖସୁଛି ପାରଦ, ବଢୁଛି ଶୀତ । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ଘଟିଛି। ତେବେ ଆସନ୍ତା ୨ରୁ ୩ ଦିନ ପର୍ୟ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ତେବେ ୨୨ ତାରିଖରୁ ବର୍ଷା କମିଯିବା ସହ ତାପମାତ୍ରା ଖସିବ ଓ ରାଜ୍ୟକୁ ଶୀତ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ରାଜ୍ୟର ସର୍ବନିମ୍ନ ରାତ୍ରି ତାପମାତ୍ରା ସୋନପୁରଠାରେ ୧୫.୪ ଡିଗ୍ରି ରେକର୍ଡ କରାଯାଇଛି। ପାହାଡ଼ିଆ ଅଞ୍ଚଳଗୁଡ଼ିକ ମଧ୍ୟରେ କୋରାପୁଟଠାରେ ସର୍ବନିମ୍ନ ୧୫.୦ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ରାତ୍ରି ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଛି। ବଙ୍ଗୋପସାଗରୀୟ ଅଞ୍ଚଳରୁ ପୂର୍ବ ତଥା ଉତ୍ତର-ପୂର୍ବ ଦିଗରୁ ଉଷ୍ମ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବାରୁ ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଛି ।