ସୋନପୁରରେ ସର୍ବନିମ୍ନ ୯.୬ଡିଗ୍ରୀ ; ୫ଟି ସ୍ଥାନରେ ୧୨ଡିଗ୍ରୀ ତଳେ ପାରଦ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାତିର ସର୍ବନିମ୍ନ ତାପମାତ୍ରା ଧୀରେ ଧୀରେ ଖସିବାରେ ଲାଗିଛି। ବିଶେଷ କରି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ଥଣ୍ଡା ଅନୁଭୂତ ହେଉଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୫ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୨ଡ଼ିଗ୍ରୀ ସେଲସିୟସ ତଳେ ରହିଥିବାବେଳେ ସୋନପୁରରେ ତାପମାତ୍ର ସବୁଠୁ କମ ୯.୬ଡ଼ିଗ୍ରୀ ସେଲସିୟସକୁ ଖସିଥିବା ରେକର୍ଡ଼ କରାଯାଇଛି। ସୋନପୁରରେ କ୍ରମାଗତ ଭାବେ ଦୁଇ ତିନିଦିନ ଧରି ପ୍ରବଳ ଥଣ୍ଡା ଅନୁଭୂତ ହେଉଛି।

ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ପାରଦ ୧୦.୫ଡ଼ିଗ୍ରୀ ସେଲସିୟସକୁ ଖସିଥିବାବେଳେ ଅଧିକ ଥଣ୍ଡା ଅନୁଭୂତ ହେଉଛି। ଅନୁଗୋଳରେ ୧୧ ଓ କୋରାପୁଟରେ ୧୧.୬ଡ଼ିଗ୍ରୀକୁ କମିଛି। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବି ତାପମାତ୍ରା ଖସିବା ଆରମ୍ଭ କରିଛି। ଭୁବନେଶ୍ବରରେ ପାରଦ ୧୮କୁ କମିବା ସହିତ କଟକରେ ୧୬.୮ଡ଼ିଗ୍ରୀରେ ପହଞ୍ଚିଛି। ରାଜ୍ୟର ୧୧ଟି ସ୍ଥାନରେ ପାରଦ ୧୫ ଡ଼ିଗ୍ରୀ ତଳକୁ ଖସିଛି। ଫଳରେ ବାରିପଦା, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ହୀରାକୁଦ, ଭବାନିପାଟଣା ଓ ବଲାଙ୍ଗୀର ଆଦି ସ୍ଥାନରେ ଶୀତ ଅନୁଭୂତ ହେଉଛି।

ପାଣିପାଗ ବିଭାଗ ବୁଲେଟିନରୁ ଜଣାପଡ଼ିଛି ଯେ ଆସନ୍ତା ୩ଦିନ ପାଗ ଅପରିବର୍ତ୍ତିତ ରହିବ ଏବଂ ଏହା ପରେ ତାପମାତ୍ରା ୨ରୁ ୩ଡ଼ିଗ୍ରୀ ବଢ଼ିବାର ସମ୍ଭାବନା ରହିଛି। ଆସନ୍ତା ଦୁଇରୁ ତିନିଦିନ ପାଇଁ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ରାତିର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ଡ଼ିଗ୍ରୀ ପର୍ଯ୍ୟନ୍ତ କମ ରହିବା ସହିତ ଉପକୂଳ ଓଡ଼ିଶାରେ ୨ରୁ ୩ଡ଼ିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ।

Leave a Reply

Your email address will not be published. Required fields are marked *