ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା

ଭୁବନେଶ୍ବର, (ଓଡିଶା ଟାଇମ୍) :ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତଠାରୁ ଅଧିକ ଘନୀଭୂତ ହେଲାନି । ଏହା ଶୁକ୍ରବାର ମଧ୍ୟାହ୍ନରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ସୀମାନ୍ତ ଉପକୂଳରେ ସ୍ଥଳଭାଗରେ ପ୍ରବେଶ କରିଥିଲା। ଏପଟେ ଓଡ଼ିଶାରେ ବର୍ଷା କମିଛି। ପ୍ରାୟତଃ ପାଗ ଶୁଖିଲା ଥିଲା। ପାଣିପାଗ ବିଭାଗର ପୂର୍ବାନୁମାନ ହେଲା, ରାଜ୍ୟରେ ଏବେ ପାଗ ପ୍ରାୟତଃ ଶୁଖିଲା ରହିବ। ପ୍ରତିଦିନ ଗୋଟିଏ ଦୁଇଟି ଜାଗାରେ ଅସରାଏ ଲେଖାଏଁ ବର୍ଷା ହୋଇପାରେ। ଆସନ୍ତା ଦୁଇଦିନ ଭିତରେ ରାଜ୍ୟର କିଛି ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବିଦାୟ ନେବ। ପରବର୍ତ୍ତୀ ଦୁଇଦିନ ଭିତରେ ସମଗ୍ର ରାଜ୍ୟରୁ ମୌସୁମୀ ବିଦାୟ ନେବ।

ଡକ୍ଟର ପଶୁପାଳକଙ୍କ କହିବାନୁଯାୟୀ ଆସନ୍ତା ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ରାତିର ସର୍ବନିମ୍ନ ତାପମାତ୍ରା ଆସନ୍ତା ୨୭ ତାରିଖଠାରୁ କମିବା ଆରମ୍ଭ ହେବ। ୨୯ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୨-୩ ଡିଗ୍ରୀ କମିବା ଯୋଗୁ କୁମାର ପୂର୍ଣ୍ଣିମାରେ ହାଲୁକା ଶୀତ ଅନୁଭୂତ ହେ ।

ଆସନ୍ତା ୩୧ ତାରିଖବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ। ବର୍ତ୍ତମାନ ସକ୍ରିୟ ଥିବା ସାଉତେଲ ବାତ୍ୟା ଭିଏତନାମରେ ଆସନ୍ତା ୨୯ ତାରିଖରେ ସ୍ଥଳଭାଗ ଛୁଇଁଲା ପରେ ତା’ର କିଛି ଅଂଶ ବିଶେଷ ବଙ୍ଗୋପସାଗରକୁ ଆସି ଲଘୁଚାପ କରିପାରେ। ଯଦି ସାଉତେଲ ସମୁଦ୍ର ଭିତରେ ଶୀଘ୍ର ଦୁର୍ବଳ ହେବ, ତେବେ ହୁଏତ ଆଣ୍ଡାମାନ ସାଗରରେ ୩ ଦିନ ଆଗରୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ।

ଅନ୍ୟପକ୍ଷରେ କେନ୍ଦ୍ରୀୟ ଦକ୍ଷିଣ ବଙ୍ଗୋପସାଗରରେ ସେଇ ସମୟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଉତ୍ତର-ପୂର୍ବ ମୌସୁମୀ ବାୟୁ ଦ୍ୱାରା ତାମିଲନାଡ଼ୁ ଓ ଦକ୍ଷିଣ ଆନ୍ଧ୍ର ଉପକୂଳରେ ଭାରି ବର୍ଷାର ସମ୍ଭାବନା ଅଛି। ତେଣୁ ଆଣ୍ଡାମାନ ସାଗରର ସମ୍ଭାବ୍ୟ ଲଘୁଚାପ ହୁଏତ ଉଭୟ ବାଂଲାଦେଶ ଓ ତାମିଲନାଡ଼ୁରୁ ଓଡ଼ିଶା ପର୍ଯ୍ୟନ୍ତ କିଛି ବର୍ଷା କରାଇବ। ନଭେମ୍ବର ୧ ପରେ ଓଡ଼ିଶାରେ ବର୍ଷା ସମ୍ଭାବନା ଅଛି।

Leave a Reply

Your email address will not be published.