ଆସୁଛି ଲଘୁଚାପ : ଆସନ୍ତା ୩ରୁ ପ୍ରବଳ ବର୍ଷା

ଭୁବନେଶ୍ବର, (ଓଡିଶା ଟାଇମ୍) :ଅଗଷ୍ଟ ୩ ତାରିଖରୁ ଉତ୍ତର-ପୂର୍ବ ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାର ପ୍ରଭାବରେ ଶନିବାରଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ରବିବାରଠୁ ରାଜ୍ୟରେ ବର୍ଷା ବଢ଼ିବ ବୋଲି ପାଣିପାଗବିତ୍‌ ଏଭଳି ପୂର୍ବାନୁମାନ କରିଛନ୍ତି ।

ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି, ଆସନ୍ତା ସପ୍ତାହରେ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି । ମୌସୁମୀ ଉତ୍ତର ଦିଗରୁ ଦକ୍ଷିଣ ଦିଗକୁ ମୁହାଁଇବା ପାଇଁ ପରିବେଶ ଅନୁକୂଳ ହୋଇଥିବାରୁ ପାଣିପାଗରେ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି । ଅଗଷ୍ଟ ୩ ସୁଦ୍ଧା ଏହି ଲଘୁଚାପ ଉତ୍ତର-ପୂର୍ବ ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ଅଞ୍ଚଳରେ ଘନୀଭୂତ ହେବାର ସମ୍ଭାବନା ରହିଛି। ଏଥିସହିତ ଅଗଷ୍ଟ ୪ରେ ଦକ୍ଷିଣ ଚୀନ୍‌ ସାଗରରେ ସୃଷ୍ଟ ଏକ ଲଘୁଚାପ ଏହି ଲଘୁଚାପ ସହ ମିଶିଯିବାର ସମ୍ଭାବନା ରହିଛି। ଫଳରେ ଏହା ଅଧିକ ଶକ୍ତିଶାଳୀ ହୋଇପାରେ ବୋଲି ଡ. ସାହୁ ଆକଳନ କରିଛନ୍ତି। ସମ୍ଭାବିତ ଲଘୁଚାପର ପ୍ରଭାବରେ ଅଗଷ୍ଟ ୩ରୁ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ଥିବାବଳେ ଅଗଷ୍ଟ ୫ ସୁଦ୍ଧା ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଡ. ସାହୁ ପୂର୍ବାନୁମାନ କରିଛନ୍ତି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ଯେ ଶନିବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ବିଜୁଳି ଓ ଘଡ଼ଗଡ଼ି ସହ ଝଡ଼ବର୍ଷା ହେବ । ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହେବା ସହ ୫ ତାରିଖରୁ ଗଭୀର ସମୁଦ୍ରକୁ ଯିବା ପାଇଁ ଧୀବରଙ୍କୁ ବାରଣ କରାଯାଇଛି ।

Leave a Reply

Your email address will not be published.