ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି

ଭୁବନେଶ୍ବର, (ଓଡିଶା ଟାଇମ୍) :ଆନ୍ଧ୍ରପ୍ରଦେଶ କାକିନାଡ଼ା ଅତିକ୍ରମ କରିବା ପରେ ମଧ୍ୟ ଡିପ୍ରେସନ ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି ।ଡିପ୍ରେସନ ଏବେ ସ୍ଥଳଭାଗରେ ତେଲେଙ୍ଗାନା ଉପରେ କେନ୍ଦ୍ରୀଭୂତ ହୋଇଥିଲେ ମଧ୍ୟ ଏହାର ପ୍ରଭାବରେ ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି।

ଗଞ୍ଜାମ ପାତ୍ରପୁର ବ୍ଲକ୍ ଆଙ୍କୁଲି ପଞ୍ଚାୟତରେ ଧସିଛି ପାହାଡ଼।  ପାତ୍ରପୁରର ୩ଟି ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପ୍ରବଳ ବର୍ଷା ଯୋଗୁଁ ପାହାଡ଼ ଉପରୁ ମାଡ଼ି ଆସିଥିଲା ମାଟି କାଦୁଅ ଓ ପଥର । ପାହାଡ ପାଦଦେଶରେ ଥିବା ଘରଦ୍ବାର ଧୋଇ ନେଉଛି । ପାତ୍ରପୁର ବ୍ଲକର ଆଙ୍କୁଲି, ତୁମ୍ବା ଓ ବୁରାତାଲ ପଞ୍ଚାୟତରେ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଫଳରେ ପାହାଡି ଅଞ୍ଚଳ ଜନଜୀବନ ବିଶେଷ ଭାବେ ପ୍ରଭାବିତ ହୋଇଛି।

ସେପଟ ଗଜପତି ମୋହନା ଅଠର ନଳା ପୋଲ ଉପରେ ପାଣି ଚାଲିଛି।  ଗଞ୍ଜାମ ବଡ଼ଗଡ଼ ନିକଟରେ ନିର୍ମାଣଧୀନ ଜରଉ ନଦୀ ସେତୁର ଡାଇଭରସନ ଉପରେ ବର୍ଷା ଜଳ ଚାଲିଛି । ଫଳରେ ବଡ଼ଗଡ଼ ଠାରୁ ବ୍ରହ୍ମପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ପାହାଡ ଉପରେ ଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ଆଜି ମଧ୍ୟ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *