ବର୍ଷା ଆଉ ୨ଦିନ : ୯ରେ ଆସୁଛି ପୁଣି ଏକ ଲଘୁଚାପ

ଭୁବନେଶ୍ବର, (ଓଡିଶା ଟାଇମ୍) : ଦକ୍ଷିଣ ପଶ୍ଚିମ ମୌସୁମି ଫେରିଯିବାର ସମୟ ଉପନୀତ ହୋଇଥିଲେ ମଧ୍ୟ ଏବେ ଓଡ଼ିଶାରେ ପାଣିପାଗର ପରିବର୍ତ୍ତନ ସହିତ ବଙ୍ଗୋପସାଗରରେ ଘନ ଘନ ଲଘୁଚାପ ଯୋଗୁଁ ମୌସୁମି ସକ୍ରିୟ ରହିଛି। ଏହାଫଳରେ ରାଜ୍ୟରେ ବର୍ଷା ଲାଗିରହିଛି। ଏଥିଯୋଗୁଁ ଚଳିତ ବର୍ଷ ରାଜ୍ୟରୁ ମୌସୁମି ଫେରିବାରେ ବିଳମ୍ବ ହେବ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବରୁ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଥିବାବେଳେ ସପ୍ତାହକ ଭିତରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଓଡ଼ିଶା ଉପକୂଳ ଏବଂ ପାର୍ଶ୍ବବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଳଘୁଚାପ ଏବଂ ଘୂର୍ଣ୍ଣିବଳୟ ଏବେ ଘନୀଭୂତ ହୋଇଛି।

ଏହାର ପ୍ରଭାବରେ ମୌସୁମି ସକ୍ରିୟ ଥିବାରୁ ବର୍ଷା ଆହୁରି ଦୁଇଦିନ ଲାଗିରହିବ। ଏଥିସହିତ ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରେ ଆସନ୍ତା ୯ତାରିଖ ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଉତ୍ତର ପଶ୍ଚିମରେ ମୁହାଁଇ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳକୁ ଗତି କରିବ। ଲଘୁଚାପ ସୃଷ୍ଟି ହେବାର ୨ରୁ ୩ ଦିନ ଭିତରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୧ରୁ ୧୩ ମଧ୍ୟରେ ଓଡ଼ିଶାରେ ବର୍ଷା ପ୍ରକୋପ ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ତେବେ ଓଡ଼ିଶା ଉପକୂଳରେ ଥିବା ଲଘୁଚାପ ପ୍ରଭାବରେ ଆଜି ରାତି ଓ ଆସନ୍ତାକାଲି ସକାଳ ସୁଦ୍ଧା ଗଜପତି, ଗଞ୍ଜାମ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ବଲାଙ୍ଗୀର, ଢେଙ୍କାନାଳ, ଅନୁଗୋଳ, ପୁରୀ, ଖୋର୍ଦ୍ଧା, ଭଦ୍ରକ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକ ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ଘଣ୍ଟାରେ ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସମ୍ବଲପୁର, ସୋନପୁର, ଅନୁଗୋଳ ଓ କେନ୍ଦୁଝର ଆଦି ୧୨ଟି ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବର୍ଷା ସହିତ ବିଭିନ୍ନ ସ୍ଥାନରେ ବଜ୍ରପାତର ସମ୍ଭାବନା ଥିବାରୁ ଏସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଆସନ୍ତା ୬ତାରିଖରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବର୍ଷା ପବନର ଆଶଙ୍କା ଥିବାରୁ ସମୁଦ୍ର ଅଶାନ୍ତ ରହିବ।

Leave a Reply

Your email address will not be published. Required fields are marked *