ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ : ୨୮ ଯାଏ ପ୍ରବଳ ବର୍ଷା
ଭୁବନେଶ୍ବର, (ଓଡିଶା ଟାଇମ୍) :ଆଜିଠୁ ଉପକୂଳ ଏବଂ ଉତ୍ତର ଓଡ଼ିଶାର ୧୧ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ରେଡ୍ ଆଲର୍ଟ ଜାରି ହୋଇଛି । ଏହାବାଦ୍ ଆଉ ୮ ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କାରେ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ବୁଧବାର ଉପକୂଳ ଅଞ୍ଚଳରେ ବର୍ଷା କମିବ । ବୁଧବାର ଆଭ୍ୟନ୍ତରୀଣ ଓଡ଼ିଶାର ୧୫ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।
ଲଗାଣ ବର୍ଷାରେ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ଉପୁଜିପାରେ । ଲଗାଣ ବର୍ଷାକୁ ନଜରରେ ରଖି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ସମସ୍ତ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରବଳ ବର୍ଷାରେ ତଳି ଇଲାକାରେ ପାଣି ପଶିପାରେ । କେତେକ ସ୍ଥାନରେ ଅଚାନକ ବନ୍ୟା ସ୍ଥିତି ଉପୁଜିପାରେ । କଚ୍ଚା ଘର ନଷ୍ଟ ହେବା ସହ ରାସ୍ତା ବିଚ୍ଛିନ୍ନ ହେବା ଆଶଙ୍କା ଅଛି । ଏହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ରହିବାକୁ ଏସ୍ଆରସି ନିର୍ଦ୍ଦେଶ ଦେଇଛନ୍ତି।
ଆଇଏମ୍ଡି ସତର୍କ କରାଇ ଦେଇଛି,ଆଜିଠୁ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ ଓ ଦେବଗଡ଼ ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି । ଅନେକ ସ୍ଥାନରେ ୧୧୫ ମିମିରୁ ୨୦୦ ମିମି ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଅଛି । କେତେକ ସ୍ଥାନରେ ୨୦୫ ମିଲିମିଟରରୁ ଅଧିକ (ଅତି ପ୍ରବଳ ବର୍ଷା) ହୋଇପାରେ ।ପୁରୀ, ଖୋର୍ଦ୍ଧା, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର, କନ୍ଧମାଳରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଅର୍ଥାତ୍ ୬୪ ମିମିରୁ ୧୧୫ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି ଅନେକ ସ୍ଥାନରେ ।
ଆଭ୍ୟନ୍ତରୀଣ ଓଡ଼ିଶାର ସମ୍ବଲପୁର, ସୋନପୁର, ବରଗଡ଼, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା ଓ ଦେବଗଡ଼ରେ ପ୍ରବଳରୁ ପ୍ରବଳତର ବର୍ଷା ହେବ। କେତେକ ଜାଗାରେ ଅତି ପ୍ରବଳ (୨୦୫ ମିମିରୁ ଅଧିକ) ବର୍ଷା ଆଶଙ୍କା ରହିଛି। ସେହିପରି ଝାରସୁଗୁଡ଼ା, ସୁନ୍ଦରଗଡ଼, ନବରଙ୍ଗପୁର, କନ୍ଧମାଳ, ଅନୁଗୁଳ ଓ କେନ୍ଦୁଝରରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ।