ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆସନ୍ତା ୨୪ ତାରିଖବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି । ଏହା ପ୍ରଭାବରେ ରାଜ୍ୟରେ ଆଜି ଠାରୁ ବର୍ଷା ସାମାନ୍ୟ ବଢ଼ିବ । ତେବେ ସୋମବାରଠାରୁ ପ୍ରବଳ ବର୍ଷା ହେବ । ବିଶେଷ କରି ଉପକୂଳ ଓ ଉତ୍ତର ଓଡ଼ିଶାରେ ଅଧିକ ବର୍ଷିବ । ବୁଧବାର ଯାଏଁ ବର୍ଷା ପ୍ରକୋପ ଅଧିକ ରହିବ ।

ଲଗାଣ ବର୍ଷା ପ୍ରଭାବରୁ ଗତ କିଛି ଦିନ ଧରି ଦକ୍ଷିଣ ଓ ଉତ୍ତର ଓଡ଼ିଶାର କେତେକ ଜିଲ୍ଲାର ତଳି ଅଞ୍ଚଳରେ ପାଣି ପଶିବା ସହ ଶହଶହ ହେକ୍ଟର ଚାଷ ଜମି ପାଣିରେ ବୁଡ଼ିଛି । ଗତକାଲିଠାରୁ ବର୍ଷା କମିବା ପରେ ସ୍ଥିତି ସୁଧୁରୁଛି । ୭ ଦିନ ଭିତରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ଗତ ଶୁକ୍ରବାର ନିର୍ଦ୍ଦେଶ ଦିଆଯାଇଛି ।

ଏପଟେ ପାଣିପାଗ ବିଭାଗ କହିଛି, ରବିବାର ଠାରୁ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, କଟକ, ଯାଜପୁର, ମୟୂରଭଞ୍ଜ, ଢେଙ୍କାନାଳ, କେନ୍ଦୁଝର, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ହୋଇପାରେ ।

ଆଗାମୀ ଲଘୁଚାପ ଓଡ଼ିଶାରୁ ଦୂରେଇବା ପରେ ଛତିଶଗଡ଼ ଏବଂ ଝାଡ଼ଖଣ୍ଡରେ ବର୍ଷା ବଢ଼ିବା ସମ୍ଭାବନା ଅଛି। ଏଥିଯୋଗୁ ଉତ୍ତର ଓଡ଼ିଶା ଦେଇ ପ୍ରବାହିତ ପ୍ରାୟ ସମସ୍ତ ନଦୀର ଜଳସ୍ତର ବଢ଼ିବା ସହ ବନ୍ୟା ଆଶଙ୍କା ରହିଛି । ଉଭୟ ତଳ ମୁଣ୍ଡ ଓ ଉପର ମୁଣ୍ଡରେ ବର୍ଷା ସମ୍ଭାବନା ଥିବାରୁ ମହାନଦୀ ବି ଫୁଲିପାରେ।

ସୋମବାର ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ହେବ । ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲାରେ ବି ବର୍ଷା ସମ୍ଭାବନା ଅଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଢେଙ୍କାନାଳ, କେନ୍ଦୁଝର, ଅନୁଗୁଳ ଓ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଦେବଗଡ଼, ସୁନ୍ଦରଗଡ଼, କଳାହାଣ୍ଡି ଓ କନ୍ଧମାଳରେ ପ୍ରବଳ ବର୍ଷା ଆଶଙ୍କା ଅଛି । ମଙ୍ଗଳବାର ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହୋଇପାରେ । କେତେକ ଜିଲ୍ଲାରେ ବର୍ଷା ପ୍ରକୋପ ଆହୁରି ବଢ଼ିବ ।

Leave a Reply

Your email address will not be published. Required fields are marked *