ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ବର, (ଓଡିଶା ଟାଇମ୍) :ଗତକାଲିର ଲଘୁଚାପ ପ୍ରଭାବରେ ଆଜି ବଙ୍ଗୋପସାଗରରେ ଦ୍ବିତୀୟ ଲଘୁଚାପ ସୃଷ୍ଟି ହୋଇଛି। ପୁଣି ୨୩ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଆସନ୍ତା କାଲି ୧୦ରୁ ଅଧିକ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି। ତଳିଆ ଅଞ୍ଚଳରେ ପାଣି ଜମିବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ ସତର୍କ ରହିବା ପାଇଁ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। ପରିଣାମସ୍ବରୂପ ରାଜ୍ୟରେ ଆଉ କିଛିଦିନ ପର୍ଯ୍ୟନ୍ତ ଲଘୁଚାପ ଜନିତ ବର୍ଷା ଲାଗିରହିବ।

ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉତ୍ତର ପୂର୍ବ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଯୋଗୁଁ ସମଗ୍ର ରାଜ୍ୟରେ ବର୍ଷା ଲାଗି ରହିଥିବାବେଳେ ଆସନ୍ତା ୨୩ ତାରିଖରେ ଏହି ଅଞ୍ଚଳରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଜି ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ। ଏହାର ପ୍ରଭାବରେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ଥିବା ବେଳେ ୧୦ଟି ଜିଲା ପାଇଁ ରେଡ୍‍ ୱାର୍ଣ୍ଣିଂ ଜାରି କରାଯାଇଛି।

ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ବୌଦ୍ଧ, ଜଗତସିଂହପୁର, କଟକ ଓ ଅନୁଗୋଳ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହିତ ଘଣ୍ଟାପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେହିପରି କେନ୍ଦୁଝର, ଦେବଗଡ଼, ସମ୍ବଲପୁର, କନ୍ଧମାଳ, କଳାହାଣ୍ଡି, ପୁରୀ, ଖୋର୍ଦ୍ଧା, ମାଲକାନଗିରି, ବଲାଙ୍ଗିର, ସୋନପୁର ଓ କୋରାପୁଟ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ମଧ୍ୟ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ୨୧ ତାରିଖ ପର୍ଯ୍ୟନ୍ତ ଉପରୋକ୍ତ ଜିଲାରେ ବର୍ଷା ହେବ। ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ ଏସ୍‌ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *