ଆସୁଛି ଆଉ ଏକ ଲଘୁଚାପ :୧୮ରୁ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ବର, (ଓଡିଶା ଟାଇମ୍) :୧୯ରେ ଆଉ ଏକ ଲଘୁଚାପ, ୧୮ରୁ ରାଜ୍ୟରେ ପ୍ରବଳ ବର୍ଷା । ଉତ୍ତର ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଏହି ଲଘୁଚାପ ପ୍ରଭାବରେ ଆସନ୍ତା ୧୮ ଓ ୧୯ ତାରିଖ ଦୁଇ ଦିନ ଧରି ରାଜ୍ୟରେ ପ୍ରବଳ ବର୍ଷା ହେବ। ୧୮ ତାରିଖ ଦିନ ଝାରସୁଗୁଡ଼ା, ବରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଏବଂ ୧୯ ତାରିଖ ଦିନ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଏହି ସବୁ ଜିଲ୍ଲାଗୁଡ଼ିକ ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଆଜି ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଓ ବରଗଡ଼ ଆଦି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି ।

ଗତ ୧୪ ତାରିଖରୁ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି। ଉତ୍ତର-ପଶ୍ଚିମ ଦିଗରେ ଗତି କରି ଏହା ଝାଡ଼ଖଣ୍ଡ ଉପରେ ରହିଛି। ଏହାର ପ୍ରଭାବ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରହିବ।
ସେହିପରି ବିକାନିର୍‌ରୁ ଆରମ୍ଭ ହୋଇ ଆଜମେର ଦେଇ ଉତ୍ତରପୂର୍ବ ବଙ୍ଗୋପସାଗର ଆଡ଼କୁ ଗତି କରିଥିବା ମନସୁନ୍‌ ଟ୍ରପ୍‌ ଲାଇନ୍‌ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିବ ।

ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଉତ୍ତର ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୪୫ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି । ତେଣୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଧୀବରଙ୍କୁ ସମୂଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ ପୂର୍ବାନୁମାନ କରିଛନ୍ତି ଯେ ଆସନ୍ତାକାଲି ବର୍ଷା କମିବ । କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଆଦି ଜିଲ୍ଲାରେ ତୁଳନାତ୍ମକ ଭାବେ ଅଧିକ ବର୍ଷା ହେବ । ତେବେ ଆସନ୍ତା ୨୨ରୁ ୨୩ ତାରିଖ ପର୍ଯ୍ୟନ୍ତ ବୋଲି ଡ. ସାହୁ ଆକଳନ କରିଛନ୍ତି ।

Leave a Reply

Your email address will not be published.