ଆସନ୍ତା ଦୁଇଦିନ ବର୍ଷା ବଢ଼ିବ, ୨୪ରୁ ପୁଣି କମିବ
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆସନ୍ତା ୨ ଦିନ ବର୍ଷା ହେବାର ସମ୍ଭାବନା ରହିଛି । ଏହାପରେ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ନାହିଁ। ଆସନ୍ତା ଦୁଇ ଦିନ ରାଜ୍ୟରେ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ସହ ରାଜ୍ୟର ଅନ୍ୟ ସ୍ଥାନରେ ସାମାନ୍ୟ ବର୍ଷା ହେବାର ଆଶଙ୍କା ରହିଛି । କିନ୍ତୁ ୨୪ ତାରିଖଠାରୁ ରାଜ୍ୟରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବ।
ଓଡ଼ିଶାରେ ଚଳିତବର୍ଷ ମୌସୁମୀ ପ୍ରବାହ ଧିମା ରହିଛି । ଜୁଲାଇରେ ବର୍ଷା ବିଶେଷ ଭାବେ ହ୍ରାସ ପାଇଛି । ଜୁନ୍ ପହିଲାରୁ ଏଯାବତ୍ ରାଜ୍ୟରେ ଯେତିକି ବର୍ଷା ହେବା କଥା, ତା’ଠାରୁ ୭% କମ୍ ବର୍ଷା ରେକର୍ଡ ହୋଇଛି । ବିଶେଷକରି ଉପକୂଳ ଓଡ଼ିଶାରେ ବର୍ଷା ସବୁଠୁ କମ୍ ରହିଛି । ପୁରୀରେ ସ୍ୱାଭାବିକଠାରୁ ୪୯% କମ୍ ବର୍ଷା ହୋଇଥିବାବେଳେ ଖୋର୍ଦ୍ଧାରେ ସ୍ୱାଭାବିକ ତୁଳନାରେ ୪୨% କମ୍ ବର୍ଷିଛି ମୌସୁମୀ । ସେହିପରି କଟକରେ ୩୮%, ଯାଜପୁରରେ ୩୭%, କେନ୍ଦ୍ରାପଡ଼ାରେ ୩୬%, ବାଲେଶ୍ୱରରେ ୩୧%, ଭଦ୍ରକରେ ୨୨% ଓ ସୋନପୁରରେ ୨୪% କମ୍ ବର୍ଷା ହୋଇଛି ।
ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ବୁଧବାର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଦେବଗଡ଼, ସୋନପୁର ଓ ସମ୍ବଲପୁରରେ ପ୍ରବଳ ବର୍ଷା ହେବ। ସେହିପରି ଅନୁଗୋଳ, ଢ଼େଙ୍କାନାଳ, କଟକ, ଯାଜପୁର, ଭଦ୍ରକ, ଖୋର୍ଦ୍ଧା, ନୟାଗଡ଼ ଓ କନ୍ଧମାଳ ଜିଲାରେ ବର୍ଷା ସମ୍ଭାବନା ରହିଛି। ଗୁରୁବାର ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କେନ୍ଦୁଝର, ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ଏସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।