ଡିପ୍ରେସନରେ ପରିଣତ ହେଲା ଲଘୁଚାପ, ବିଶାଖାପାଟଣା ଠାରୁ ୪୩୦ କିମି ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ
ଭୁବନେଶ୍ବର, (ଓଡିଶା ଟାଇମ୍) : ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ରବିବାର ସକାଳେ ଅବପାତର ରୂପ ନେଇଛି। ବିଶାଖାପାଟଣାଠାରୁ ୪୩୦ କିମି ଦକ୍ଷିଣ-ଦକ୍ଷିଣପୂର୍ବରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୨୪ ଘଣ୍ଟାରେ ଗଭୀର ଅବପାତର ରୂପ ନେବା ସମ୍ଭାବନା ରହିଛି। ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି କାଲି ରାତିରେ ନରସପୁର ଓ ବିଶାଖାପାଟଣା ମଧ୍ୟରେ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ରିପୋର୍ଟରୁ ସୂଚନା ମିଳିଛି।
ଏହା ପ୍ରଭାବରେ ଆଜିଠୁ ୧୩ ଯାଏଁ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ପାଣିପାଗ କେନ୍ଦ୍ର ମନାକରିଛି
ଲଘୁଚାପ ପ୍ରଭାବରେ ଆଜିଠୁ ଦୁଇ ଦିନ ଯାଏ ଦକ୍ଷିଣ ଓଡ଼ିଶା ଉପକୂଳରେ ଘଣ୍ଟାକୁ ୪୫ରୁ ୫୫କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏଥିପାଇଁ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବା ପାଇଁ ସତର୍କ କରିଦିଆଯାଇଛି । ଲଘୁଚାପ ପ୍ରଭାବରେ କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଯେକୌଣସି ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନକୁ ସଜାଗ ରଖିବା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର ସବୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି।