ଆସୁଛି ଆଉ ଏକ ଲଘୁଚାପ, ୨୧ ତାରିଖରୁ ବିଭିନ୍ନସ୍ଥାନରେ ବର୍ଷା

ଭୁବନେଶ୍ବର, (ଓଡିଶା ଟାଇମ୍) : ଆସନ୍ତା ୧୭ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି । ଯାହା ୧୯ ତାରିଖରେ ଲଘୁଚାପରେ ପରିଣତ ହେବ । ଫଳରେ ଉତ୍ତର ଓଡ଼ିଶାରେ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଲଗାଣ ବର୍ଷା ହେବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି ।

କୃଷିପାଣିପାଗବିତ୍‌ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ, ଗତ ୧୩ ତାରିଖରେ ଲଘୁଚାପ ସୃଷ୍ଟି ହୋଇଥିବା ସ୍ଥାନରେ ୧୭ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଯାହା ୧୯ ତାରିଖରେ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବ। ଲଘୁଚାପରେ ପରିଣତ ହେବା ପରେ ଏହା ସ୍ଥଳ ଭାଗକୁ ନଯାଇ ପୂର୍ବ ଆଡକୁ ମୁହାଁଇବ ।ଆନ୍ଧ୍ରପ୍ରଦେଶର ଉପକୂଳର ଦୂରରେ ସମୁଦ୍ରରେ ଏହା ଲଘୁଚାପରେ ପରିଣତ ହେବ । ସେହିପରି ୧୯ ତାରିଖ ଦିନ ମିଆଁମାର ପାଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅନ୍ୟ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୨୦ରେ ଯାହା ଲଘୁଚାପରେ ପରିଣତ ହେବ । ପ୍ରାଥମିକ ଆକଳନରୁ ଜଣାପଡିଛି ଯେ, ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପଟି ମିଆଁମାର ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ସହ ମିଶିଯିବ ।

ଏହା ଉତ୍ତର, ଉତ୍ତର-ପଶ୍ଚିମ ଆଡେ ଗତି କରି ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ଅଛି । ଫଳରେ ମିଆଁମାର, ବାଂଲାଦେଶ, ପଶ୍ଚିମବଙ୍ଗ ପ୍ରବଳରୁ ପ୍ରବଳତର ବର୍ଷା ହେବ । ଏହାର ପ୍ରଭାବ ଉତ୍ତର ଓଡ଼ିଶାରେ ପଡିବ । ଅନୁମାନ କରାଯାଉଛି ୨୧ ତାରିଖରୁ ସମଗ୍ର ଉତ୍ତର ଓଡ଼ିଶାରେ ବର୍ଷା ଆରମ୍ଭ ହେବ । ସାରା ରାଜ୍ୟରେ ତାପମାତ୍ରା କମିବ । ୨ରୁ ୩ଦିନ ବିସ୍ତୃତ ଅଞ୍ଚଳରେ ଲଗାଣ ବର୍ଷା ହେବାର ସମ୍ଭାବନା ଅଛି । ୧୭ ତାରିଖ ଦିନ ଏହା ସ୍ପଷ୍ଟ ହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି । 

Leave a Reply

Your email address will not be published.