ଆସୁଛି ବାତ୍ୟା ‘ଜୱାତ୍’: ୧୮ରେ ଉପକୂଳ ଛୁଇଁବ

ଭୁବନେଶ୍ବର, (ଓଡିଶା ଟାଇମ୍): ଆସୁଛି ଆଉ ଏକ ବାତ୍ୟା । ଥାଇଲାଣ୍ଡ ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଶନିବାର ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଥାଇଲାଣ୍ଡ ସାଗର ଉପରେ ଲଘୁଚାପ ରୂପ ନେଇଛି । ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ମୁହାଁଉଛି । ଆସନ୍ତା ୪୮ ଘଣ୍ଟାରେ ଅବପାତ ରୂପ ନେଇଯିବ । ୧୭ ତାରିଖ ସୁଦ୍ଧା ଏହା ସମୁଦ୍ରରୁ ଅଧିକ ବଳ ଗୋଟାଇ ଗଭୀର ଅବପାତରେ ପରିଣତ ହେବ । ଜିଏଫ୍‌ଏସ୍‌ ମଡେଲ ମୁତାବକ ୧୯ ତାରିଖ ସୁଦ୍ଧା ଏହା ବାତ୍ୟାରେ ପରିଣତ ହୋଇ ଦକ୍ଷିଣ ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁପାରେ । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶାରେ ବି ବର୍ଷା ଆଶଙ୍କା ରହିଛି ।

ସେହିପରି ଅନ୍ୟ କିଛି ମଡେଲ ଅନୁସାରେ, ସୃଷ୍ଟି ହୋଇଥିବା ଲଘୁଚାପ ପ୍ରାୟ ୬ ଦିନ ଯାଏ ସମୁଦ୍ର ଉପରେ ରହିବ । ଫଳରେ ଏହା ଅଧିକ ଶକ୍ତିଶାଳୀ ହେବ । ଏବେ ସମୁଦ୍ର ଜଳପତ୍ତନର ତାପମାତ୍ରା ଅଧିକ ରହୁଛି । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରରେ ସି ସରଫେସ୍‌ ଟେମ୍ପରେଚର (ଏସ୍‌ଏସ୍‌ଟି) ୨୯ରୁ ୩୦ଡିଗ୍ରୀ ସେଲସିୟସ୍‌ ରହିଛି । ପୁଣି ଇଣ୍ଡିଆନ ଓସେନ୍‌ ଡାଏପୋଲ୍‌ (ଆଇଓଡି), ମେଡନ୍‌ ଜୁଲିଅନ୍‌ ଓସିଲେସନ୍‌ ଏବଂ ଲାନିନାର ପ୍ରଭାବ ରହୁଛି । ଏବେ ବାୟୁମଣ୍ଡଳ ମଧ୍ୟବର୍ତ୍ତୀ ଅଞ୍ଚଳର ତାପମାତ୍ରା ବି ଅଧିକ ରହୁଛି । ବାୟୁର ଉଦ୍ଧ୍ୱର୍ଗାମୀ ଗତି ଅବପାତକୁ ଗଭୀର ଅବପାତ ଓ ବାତ୍ୟାରେ ପରିଣତ କରାଇବା ସହଜ ହେବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ବାତ୍ୟା ହେଲେ ଏହାର ନାମ ‘ଜୱାତ୍‌’ ହେବ ।

ବାତ୍ୟା କେଉଁଠାରେ ସ୍ଥଳଭାଗ ଛୁଇଁବ ତା’ ଉପରେ ସ୍ପଷ୍ଟ ପୂର୍ବାନୁମାନ ଆସିନି । ଆକ୍ୟୁୱେଦରର ମଡେଲ ଅନୁସାରେ ଉତ୍ତର ତାମିଲନାଡୁ ଏବଂ ଓଡ଼ିଶା ଭିତରେ ସ୍ଥଳଭାଗ ଛୁଇଁପାରେ । ସେପଟେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଆକଳନ କହୁଛି, ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୧୫ ତାରିଖ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଓ ପଶ୍ଚିମ ପୂର୍ବ ବଙ୍ଗୋପସାଗରରେ ଡିପ୍ରେସନ୍‌ରେ ପରିଣତ ହେବ । ଏହା ଅଧିକ ଘନୀଭୂତ ହୋଇ ୧୮ ତାରିଖ ବେଳକୁ ଆନ୍ଧ୍ର ଉପକୂଳ ଛୁଇଁବ ।

ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ୧୯ ଓ ୨୦ ତାରିଖରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସହ ମେଘୁଆ ପାଗ ରହିବ । ୧୭ରେ ଗଞ୍ଜାମ ଓ ଗଜପତିରେ ଭାରୀ ବର୍ଷା ହେବ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ୧୭ରୁ ୨୨ ତାରିଖ ଯାଏ ରାତି ତାପମାତ୍ରା ବଢ଼ିବ ବୋଲି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *