ଭୀଷଣ ବାତ୍ୟା ରୂପ ନେବ ‘ନିଭାର’
ଭୁବନେଶ୍ବର, (ଓଡିଶା ଟାଇମ୍) : ଭୀଷଣ ବାତ୍ୟାର ରୂପ ନେବ ‘ନିଭାର୍’। ୨୫ ତାରିଖ ଅପରାହ୍ଣରେ ତାମିଲନାଡ଼ୁ ଓ ପୁଡୁଚେରି ଉପକୂଳ ଅତିକ୍ରମ କରିବା ବେଳେ ପବନର ବେଗ ୧୦୦ରୁ ୧୧୦ କିମି ମଧ୍ୟରେ ରହିବ। ସ୍ଥଳବିଶେଷରେ ୧୨୦ କିମି ବେଗରେ ପବନର ଝଟ୍କା ଅନୁଭୂତ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ଭାରତ ମହାସାଗରରେ ଆସୁଛି ଆଉ ଏକ ବାତ୍ୟା ନିଭାର୍ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେବା ସମ୍ଭାବନା ରହିଛି ।ଆସନ୍ତା ୨୪ ଘଣ୍ଟାରେ ଏହା ସାମୁଦ୍ରିକ ଝଡ଼ର ରୂପ ନେଇପାରେ । ପରେ ବାତ୍ୟା ଉତ୍ତର-ପଶ୍ଚିମ ଦିଗକୁ ମୁହାଁଇ ତାମିଲନାଡୁ ଓ ପୁଡୁଚେରୀ ଉପକୂଳ କରାଇକାଲ୍ ଓ ମାମଲାପୁରମ୍ ମଧ୍ୟରେ ଗତି କରିବାର ସମ୍ଭାବନା ରହିଛି। ଏହାର ବିଶେଷ ପ୍ରଭାବ ଓଡ଼ିଶା ଉପରେ ନାହିଁ ।
କିନ୍ତୁ ୨୫ ଓ ୨୬ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୨୬ ତାରିଖରେ ମାଲକାନଗିରି, ରାୟଗଡା, କୋରାପୁଟ, ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ ଗଭୀର ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ଅନ୍ୟପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ତାପମାତ୍ରା ୨ ରୁ ୩ ଡିଗ୍ରୀ ଖସିବା ସହ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ କୁହୁଡ଼ି ଦେଖାଦେବ ।