ଯୁଦ୍ଧ ଓ ତା’ର ପରିବର୍ତ୍ତିତ ରୂପରେଖ…

ଭୁବନେଶ୍ୱର: ରାମାୟଣର ରାମ-ରାବଣ ଯୁଦ୍ଧ ଆଉ ମହାଭାରତର କୌରବ-ପାଣ୍ଡବ ଯୁଦ୍ଧ । ଉଦ୍ଦେଶ୍ୟ ଭଲ ଥାଉ ବା ମନ୍ଦ… ରାବଣ, ଯେତେବେଳେ ସୀତାଙ୍କୁ ଅପହରଣ କରିନେଲେ, ରାମଙ୍କ ପାଖରେ ଯୁଦ୍ଧ ବ୍ୟତୀତ ଆଉ କିଛି ବିକଳ୍ପ ନଥିଲା । କାରଣ ସ୍ତ୍ରୀକୁ ସୁରକ୍ଷା ଦେବା କିମ୍ବା ଅପହୃତ ସ୍ତ୍ରୀକୁ ଉଦ୍ଧାର କରିବା ଜଣେ ସ୍ବାମୀର ଧର୍ମ ଏବଂ କର୍ତ୍ତବ୍ୟ । ରାମ କ’ଣ ଚାହିଁଥିଲେ, ହନୁମାନଙ୍କ ମାଧ୍ୟମରେ ସୀତାଙ୍କୁ ଅଶୋକ ବନରୁ ଆଣିପାରି ନଥାନ୍ତେ ! ସୀତା କ’ଣ ଚାହିଁଥିଲେ ହନୁମାନଙ୍କ ପିଠିରେ ବସି ସ୍ବାମୀ ରାମଚନ୍ଦ୍ରଙ୍କ ପାଖକୁ ଫେରିପାରି ନଥାନ୍ତେ ! କିନ୍ତୁ ରାମ କିମ୍ବା ସୀତା ତାହା ଚାହିଁ ନଥିଲେ । ଧର୍ମର ଯୁଦ୍ଧରେ ଧର୍ମ ଓ ସତ୍ୟର ବିଜୟ ସହ ଅଧର୍ମ, ଅନ୍ୟାୟ ଓ ପାପର ବିନାଶ ଚାହିଁଥିଲେ ଉଭୟେ । ଯେଉଁଥି ପାଇଁ ପାଖରେ କିଛି ନଥାଇ ବି ପ୍ରଭୁ ରାମଚନ୍ଦ୍ରଙ୍କୁ ସବୁ କିଛି ମିଳିଥିଲା । ଆଉ ସବୁ କିଛି ଥାଇ ବି ଯୁଦ୍ଧରେ ହାରିଗଲେ ରାବଣ । ଠିକ ସେମିତି ମହାଭାରତରେ ରାଜ୍ୟ ପାଇଁ କୌରବ ଓ ପାଣ୍ଡବଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା । ଉଭୟେ ଥିଲେ ପରସ୍ପରର ବଡ଼ବାପା ପୁଅ ଓ ଦାଦାପୁଅ ଭାଇ । ବାପ-ଜେଜେ ବାପଙ୍କ ସମ୍ପତ୍ତି ଉପରେ ସେମାନଙ୍କ ଉତ୍ତର ପିଢ଼ିର ଅଧିକାର ଅଛି । ତେଣୁ କୌରବ ଓ ପାଣ୍ଡବଙ୍କ ମଧ୍ୟରେ ଯେଉଁ ଯୁଦ୍ଧ ହୋଇଥିଲା, ତାହା ସମ୍ପତ୍ତି ପାଇଁ ହୋଇଥିଲେ ମଧ୍ୟ ଧର୍ମର ଯୁଦ୍ଧ ଥିଲା । ପୁଣି ସେହି ଯୁଦ୍ଧ, ଯୁଦ୍ଧର ଧର୍ମିୟ ସଜ୍ଞା ପରିସର ବାହାରକୁ ଯାଇ ନଥିଲା । ସୂର୍ଯୋଦୟ ପରେ ଯୁଦ୍ଧ ବାଦ୍ୟ ବାଜିବା ପରେ ଯୁଦ୍ଧକ୍ଷେତ୍ରକୁ ଆସୁଥିଲେ ଉଭୟ ପକ୍ଷର ସୈନ୍ୟ ସାମନ୍ତ । ପୁଣି ସୂର୍ଯ୍ୟାସ୍ତ ପୂର୍ବରୁ ବନ୍ଦ ହେଉଥିଲା ଯୁଦ୍ଧ । ଶିବିରକୁ ଫେରି ଅସ୍ତ୍ରଶସ୍ତ୍ର ଥୋଇ ଦେଇ ଉଭୟ ପକ୍ଷର ସୈନ୍ୟ ସାମନ୍ତ ବିଶ୍ରାମ ନେଉଥିଲେ । ପର ଦିନର ଯୁଦ୍ଧ ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ । କିନ୍ତୁ ରାତିରେ ବିଶ୍ରାମ ନେଇଥିବା ବେଳେ କେହି କାହା ଉପରେ ଲୁଚିଛପି ଆକ୍ରମଣ କରି ନଥିଲେ । …

() କଣ ଏ ଯୁଦ୍ଧ… କାହିଁକି ଏହାର ଆବଶ୍ୟକତା ! ଯୁଦ୍ଧ ହେଉଛି, ରାଜ୍ୟ ସମୂହଙ୍କ ମଧ୍ୟରେ ସଂଗଠିତ ହିଂସା, ଯାହାର ସ୍ବରୂପ ଯେ କୌଣସି ଦିଗରୁ ଦେଖିଲେ ଅଧିକ ମାତ୍ରାରେ ରାଜନୈତିକ ହିଁ ଦେଖିବାକୁ ମିଳିବ । ଅନ୍ୟ ପ୍ରତି ହିଂସା ପରାୟଣ ହେବା ବା ଅନ୍ୟ ବିରୋଧରେ ଯୁଦ୍ଧ କରିବା ମନୁଷ୍ୟର ଏକ ସହଜାତ ପ୍ରବୃତ୍ତି । ସଦଭାବ, ପ୍ରେମ, ଅହିଂସା ଏବଂ ଶାନ୍ତି ମଧ୍ୟ ମନୁଷ୍ୟର ମୂଳ ସ୍ବଭାବ । କିନ୍ତୁ ଯେତେବେଳେ ମଣିଷ ବୁଦ୍ଧି, ବିବେକ ଓ ଆତ୍ମବଳ ସହ ମାନସିକ ସନ୍ତୁଳନ ହରାଇ ବସେ… ସେତେବଳେ ହିଂସା ବା ଯୁଦ୍ଧର ପନ୍ଥା ଅନୁସରଣ କରିଥାଏ । ତା ମନ ଭିତରେ ଅନ୍ୟ ପ୍ରତି ହିଂସା ବା ଯୁଦ୍ଧ କରିବାର ପ୍ରବୃତ୍ତି ସୃଷ୍ଟି ହୋଇଥାଏ । ଜାତିସଂଘ Charterରେ ବି ଲେଖା ଅଛି- ଯୁଦ୍ଧ, ମଣିଷର ମନରୁ ହିଁ ସୃଷ୍ଟି ହୋଇଥାଏ, ଯାହାକୁ ମନରୁ ବାହାର କରିଦେଇ, ସମ୍ପୂର୍ଣ୍ଣ ପରିହାର କରାଯାଇ ପାରିବ । କିନ୍ତୁ ତାହା କେବେ ବି ସମ୍ଭବ ନୁହେଁ । ଆଦିମ କାଳରୁ ହିଁ ଏ ଦୁନିଆରେ ଯୁଦ୍ଧ ଲାଗି ରହିଛି । ଆଉ ସୃଷ୍ଟି ଥିବା ଯାଏଁ ଏହା ଲାଗି ରହିବ । ଆକ୍ରମଣ, ଭୟ, ହିଂସା, ସମ୍ପତ୍ତି ଲୋଭ, ବିଚାରଧାରାରେ ପାର୍ଥକ୍ୟ, ଶକ୍ତି ବା କ୍ଷମତାରେ ଅସୁନ୍ତଳନ ଏବଂ ପରିଶେଷରେ ଅନ୍ୟାୟର ପ୍ରତିକାର ହିଁ ଯୁଦ୍ଧର କାରଣ । କିନ୍ତୁ ଯୁଦ୍ଧର ପ୍ରକୃତ ସଜ୍ଞାର ପରିସର ଭିତରେ ରହିବାକୁ ଅସମର୍ଥ ଆଜିର ଦୁନିଆ, ଯୁଦ୍ଧ ବା Warକୁ Military Operation ନାଁ ଦେଇଛି । ଏମିତି କହି ଯୁଦ୍ଧ ସଂକ୍ରାନ୍ତ ସମସ୍ତ Established ଜାତୀୟ ଓ ଅନ୍ତର୍ଜାତୀୟ ଆଇନ କାନୁନକୁ Bypass କରିଦେଉଛି ଏବେର ଦୁନିଆ ।…

() ୧୯୭୧ରେ ପୂର୍ବ ପାକିସ୍ତାନ ଓ ପଶ୍ଚିମ ପାକିସ୍ତାନ ମଧ୍ୟରେ ଯେତେବେଳେ ଗୃହଯୁଦ୍ଧ ହେଲା, ସେତେବେଳେ ଭାରତ, ଅନେକ ମାତ୍ରାରେ ପ୍ରଭାବିତ ହେବା ଆରମ୍ଭ କଲା । ତେଣୁ ସେହି ଯୁଦ୍ଧରେ ତୁରନ୍ତ ଭାରତ ପଶିବାକୁ ଚାହିଁଥିଲେ ସେତେବେଳର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି । ଯୁଦ୍ଧକ୍ଷେତ୍ରକୁ ଲମ୍ଫ ମାରିବାକୁ ସେତେବେଳର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଶାମ୍ ମାନେସ୍କାଙ୍କୁ ଅନେକ ଥର କହିଥିଲେ । କିନ୍ତୁ ପରିବେଶ, ପରିସ୍ଥିତି ଅନୁକୂଳ ନଥିବାରୁ ଏବଂ ଅନ୍ତର୍ଜାତୀୟ ଆଇନ ଅନ୍ୟ ଏକ ଦେଶର ଗୃହଯୁଦ୍ଧରେ ଲମ୍ଫ ମାରିବାକୁ, ଅନୁମତି ଦେଉ ନଥିବାରୁ ଇନ୍ଦିରା ଗାନ୍ଧିଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଚାଲିଥିଲେ ଫିଲ୍ଡ ମାର୍ଶାଲ ଶାମ ମାନେସ୍କା । ଏମିତି ପାଖାପାଖି ୬ ମାସ ଗଡ଼ାଇ ଦେଇଥିଲେ । ପାକିସ୍ତାନ ହାରିଲା… ବାଂଲାଦେଶ ଜନ୍ମ ନେଲା… ପାକ୍ ସେନା, ଭାରତୀୟ ସେନା ଆଗରେ ଆତ୍ମ ସମର୍ପଣ କରିବାକୁ ବାଧ୍ୟ ହେଲା । ପାକ୍ ସେନାର ହଜାର ହଜାର ଯବାନଙ୍କୁ ପଣବନ୍ଦୀ କଲା ଭାରତୀୟ ସେନା । ସେହି ପଣବନ୍ଦୀ ଥିବା ପାକିସ୍ତାନ ସୈନିକଙ୍କ ଖାଇବା, ପିଇବା, ରହିବା, ଶୋଇବା… ସବୁ ଭଲମନ୍ଦ ନିଜେ କ୍ୟାମ୍ପକୁ ଯାଇ ବୁଝୁଥିଲେ ଫିଲ୍ଡ ମାର୍ଶାଲ ଶାମ ମାନେସ୍କା । ସେମାନଙ୍କୁ ଦିଆ ଯାଉଥିବା ଖାଦ୍ୟକୁ ନିଜେ ଖାଇ ତାର ମାନ ପରୀକ୍ଷା କରୁଥିଲେ । ଗାଧୁଆ ଘର ଓ ପାଇଖାନ୍ ସଫା ସୁତରା ରହୁଛି କି ନାହିଁ, ନିଜେ ଯାଇ ଦେଖୁଥିଲେ । ରାତିରେ ମଶାରୀ ଟାଙ୍ଗୁଛନ୍ତି କି ନାହିଁ, ତାହା ମଧ୍ୟ ପଚାରି ବୁଝୁଥିଲେ । ପ୍ରତିପକ୍ଷ ସେନାର ଯବାନଙ୍କ ପ୍ରତି ଆତିଥ୍ୟରେ ଯେମିତି ତିଳେ ମାତ୍ର ତ୍ରୁଟି ନରହିବ, ସେଥିପ୍ରତି ସମ୍ପୂର୍ଣ୍ଣ ସଜାଗ ଥିଲେ ସେ । ଶାମ୍ ମାନେସ୍କାଙ୍କ ଏଭଳି ବ୍ୟବାହର ଓ ଆଚରଣ ଦେଖି ପାକ୍ ଯବାନମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । କହିଥିଲେ, “ସାର୍, ଆମେ ତ ଆପଣଙ୍କ ବିରୋଧରେ ଯୁଦ୍ଧ କରୁଥିଲୁ… ଆମେ ତ ଆପଣଙ୍କ ଶତ୍ରୁ… ହେଲେ ଆପଣ, ଆମ୍ଭମାନଙ୍କ ଭଲମନ୍ଦ ଏମିତି କାହିଁକି ବୁଝୁଛନ୍ତି !”… ପାକ୍ ଯବାନଙ୍କୁ ଫିଲ୍ଡ ମାର୍ଶାଲ ଶାମ ମାନେସ୍କାଙ୍କ ଆଭମୁଖ୍ୟ ଓ ଆଚରଣ ବ୍ୟତିକ୍ରମ ଭଳି ଲାଗିଥିଲା । କିନ୍ତୁ ଫିଲ୍ଡ ମାର୍ଶାଲ ଶାମ ମାନେସ୍କା, ସେମାନଙ୍କୁ କଣ କହିଥିଲେ ଜାଣନ୍ତି ! “ତୁମେମାନେ ଆମର ଶତ୍ରୁ ଥିଲ, କିନ୍ତୁ ଆତ୍ମ ସମର୍ପଣ ପରେ ନୁହେଁ… ଏବେ ତୁମେମାନେ ପଣବନ୍ଦୀ ସତ, କିନ୍ତୁ ଆମର ଅତିଥି । ଅସ୍ତ୍ର ଛାଡ଼ି ଆତ୍ମ ସମର୍ପଣ କରିଥିବା ପ୍ରତିପକ୍ଷ ସଦସ୍ୟଙ୍କୁ ହତ୍ୟା କରିବା ଯୁଦ୍ଧର ପରିପନ୍ଥୀ, ଆଉ ଧର୍ମର ମଧ୍ୟ । ଏହା କେବେ ବି କୌଣସି ବୀର କିମ୍ବା ଯୋଦ୍ଧାର କର୍ତ୍ତବ୍ୟ କିମ୍ବା ଧର୍ମ ନୁହେଁ । ଦ୍ବିତୀୟରେ ତୁମେମାନେ, ତୁମ ଦେଶ ପାଇଁ ଯୁଦ୍ଧ କରୁଥିଲ । ଯାହା ତୁମର କର୍ତ୍ତବ୍ୟ ଏବଂ ଧର୍ମ ଥିଲା” । ଫିଲ୍ଡ ମାର୍ଶାଲ ଶାମ୍ ମାନେସ୍କାଙ୍କ ମୁହଁରୁ ଏମିତି ଶୁଣିବା ପରେ ପାକ୍ ଯବାନମାନେ ଯୁଦ୍ଧର ପ୍ରକୃତ ସଜ୍ଞା ନେଇ ପ୍ରକୃତିସ୍ଥ ହୋଇଥିଲେ । ନିଜ ସେନା ମୁଖ୍ୟଙ୍କଠାରୁ ଭାରତର ସେନା ମୁଖ୍ୟଙ୍କୁ କରିଥିଲେ ହୃଦୟରୁ ସାଲ୍ୟୁଟ୍ ।…

() କୌଣସି ଦେଶ ବିରୋଧରେ ଯୁଦ୍ଧ କରିବା କେବେ ବି କୌଣସି ଦେଶର ସେନାର ନିଷ୍ପତ୍ତି ନୁହେଁ । ସେନା ନିଜେ ନିଜେ କେବେ ବି ଏହି ନିଷ୍ପତ୍ତି ନେଇ ନଥାଏ । ଯୁଦ୍ଧ ଏକ ରାଜନୈତିକ ନିଷ୍ପତ୍ତି । ସରକାର ହିଁ ଏହି ନିଷ୍ପତ୍ତି ନେଇଥାନ୍ତି । ସବୁ କ୍ଷେତ୍ରର Pro n Consକୁ ବିଚାରକୁ ନେଇ, ସମସ୍ତ ସହଯୋଗୀ, ବିରୋଧୀ ଏବଂ ପୂରା ଦେଶବାସୀଙ୍କୁ Confidenceକୁ ନେଇ ଯୁଦ୍ଧ କରିବାର ନିଷ୍ପତ୍ତି ନିଆ ଯାଇଥାଏ । ଶତ୍ରୁର ଦକ୍ଷତା, କ୍ଷମତା ଓ ଶକ୍ତି ସହ ନିଜ ଦେଶର ଦକ୍ଷତା, କ୍ଷମତା ଓ ଶକ୍ତିକୁ ମାପିବା ପରେ ହିଁ ଯୁଦ୍ଧ ନିଷ୍ପତ୍ତି ନିଆ ଯାଇଥାଏ । ପରିବେଶ ଏବଂ ପରିସ୍ଥିତିକୁ ବି ବାଦ୍ ଦେଇ ନୁହେଁ । କିନ୍ତୁ ପୁଲୱାମା ଓ ପେହଲଗାମ୍ ମାମଲାରେ ପାକିସ୍ତାନ ବିରୋଧରେ Whimscally ଯୁଦ୍ଧ କ୍ଷେତ୍ରକୁ ଲମ୍ଫ ମାରିବା ଭାରତକୁ ଲାଭ ଦେଇଥାଇ ପାରେ ସତ, କିନ୍ତୁ କିଛି କମ ମହଙ୍ଗା ପଡ଼ିନି । କାରଗିଲ୍ ଯୁଦ୍ଧ କିନ୍ତୁ ଥିଲା ଏ ଦୃଷ୍ଟିରୁ ସମ୍ପୂର୍ଣ୍ଣ ବ୍ୟତିକ୍ରମ ।…

() ସେତେବେଳେ ସିନା ଫିଲ୍ଡ ମାର୍ଶାଲ ଶାମ ମାନେସ୍କା ପରିବେଶ ଓ ପରିସ୍ଥିତିକୁ ଦେଖି, ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ପ୍ରସ୍ତାବକୁ ୬ ମାସ ଗଡ଼ାଇ ଦେଇଥିଲେ । ଏବେ କିନ୍ତୁ ଭାରତର ୩ ସେନା, ସରକାରଙ୍କ ନିଷ୍ପତ୍ତିକୁ ସଠିକ ବତାଇବାକୁ… ସରକାରଙ୍କ ସ୍ବରରେ ସ୍ବର ମିଳାଇବାକୁ, Press Meet କରିବାକୁ ପଛାଉ ନାହାଁନ୍ତି । କାହିଁ, ପୁଲମାମା ଓ ପେହଲଗାମ୍ ମାମଲାରେ ଭାରତର ଆକ୍ରମଣକୁ ନେଇ ପାକିସ୍ତାନର ୩ ବାହିନୀ ତ Press Meet କରିନି ! ଏହା ହିଁ ହେଉଛି ଆମ ପାଇଁ ବର୍ତ୍ତମାନ ପରିସ୍ଥିତିରେ ଯୁଦ୍ଧର ଏକ ପରିବର୍ତ୍ତିତ ଭାରତୀୟ ରୂପରେଖ ।…

() ଏବେ ଆସନ୍ତୁ ଇସ୍ରାଏଲ-ଆମେରିକା ଓ ଇରାନ ଯୁଦ୍ଧ ପ୍ରସଙ୍ଗକୁ ଅନୁଶୀଳନ କରିବା । ପ୍ରଥମତଃ ଏହି ଯୁଦ୍ଧ ପଛର ବଳିଷ୍ଠ କାରଣ ହିଁ ନାହିଁ । ଦ୍ବିତୀୟରେ ଶତ୍ରୁକୁ ଦୁର୍ବଳ ଭାବି ଯୁଦ୍ଧକୁ ଓହ୍ଲାଇବା ଗୋଟେ ପ୍ରକୃତ ଯୋଦ୍ଧାର ନିଷ୍ପତ୍ତି ନହେଁ, ଯାହା ଇସ୍ରାଏଲ ଓ ଆମେରିକା କରିଛନ୍ତି । ଇରାନକୁ ଏତେ ଦୁର୍ବଳ କାହିଁକି ଭାବିଲେ ଇସ୍ରାଏଲ ଓ ଆମେରିକା ? MOSSAD ଓ CIAର Yardsticରେ ଇରାନର ଶକ୍ତି ଓ ସାମର୍ଥ୍ୟ ମାପିବାରେ କେଉଁଠି ତ୍ରୁଟି ରହିଗଲା କି ! ମୋସାଦ୍ ଓ ସିଆଇଏ ରିପୋର୍ଟର Veracity, Verify କିଏ, କେମିତି କରିଥିଲେ ? ଆମେରିକା ନା ଇସ୍ରାଏଲ ! କିଏ, କାହା ହାତକୁ ନେଇ ପ୍ରଥମେ ଗରମ ପାଣିରେ ବୁଡ଼ାଇ ଦେଲା ! ନା, ଉଭୟ ଦେଶର ପାଗଳ ନେତୃତ୍ବ ମିଳିମିଶି ଏକା ସଙ୍ଗରେ ଗରମ ପାଣିରେ ହାତ ବୁଡ଼ାଇ ଦେଇଛନ୍ତି ! ଏବେ କିଏ କାହାକୁ କେମିତି ଧରିବ, କେମିତି ଉଦ୍ଧାର କରିବ !…

() ଆମେରିକା ବୈଦେଶିକ ସଚିବ ମାକ୍ରୋ ରୁବିଓ କହିଲେଣି, ଇସ୍ରାଏଲର Intel Input ଆଧାରରେ ଆମେରିକା, ଇରାନ ବିରୋଧରେ ଯୁଦ୍ଧକୁ ଓହ୍ଲାଇଛି । ତା’ ହେଲେ ଏଇଠି କଣ ବୁଝିବାକୁ ପଡ଼ିବ ଯେ, ଇସ୍ରାଏଲ, ଆମେରିକାକୁ ବ୍ୟବହାର କରିଛି ! ନେତାନ୍ୟାହୁ, ଟ୍ରମ୍ପଙ୍କୁ ନଚାଇଛନ୍ତି ଏବଂ ନଚାଉଛନ୍ତି ! ବିଶ୍ବର ସବୁଠାରୁ ଶକ୍ତିଶାଳୀ ଏବଂ ଧନୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଣ ଏତେ ଗୁଡବକ୍ ! ଇସ୍ରାଏଲ୍ ଭଳି ଦେଶର କଥାରେ ଯୁଦ୍ଧକୁ ଡେଇଁ ପଡ଼ିଲେ ! ନ ହୋଇଥିଲେ ଏମିତି କରିଥାନ୍ତେ କାହିଁକି !…

() କିଏ ଟ୍ରମ୍ପଙ୍କୁ କହିଥିଲା, ଆମେରିକା ଯୁଦ୍ଧ ମୈଦାନକୁ ଓହ୍ଲାଇଲେ ଇରାନ ସଙ୍ଗେ ସଙ୍ଗେ ହାରିବ କିମ୍ବା ଆତ୍ମ ସମର୍ପଣ କରିବ ବୋଲି ? କିଏ ତାଙ୍କୁ କହିଥିଲା, ଆମେରିକାର ତାକତ ଦେଖି ଇରାନ ଭୟରେ ଥରି ଉଠିବ ବୋଲି ? କିଏ ତାଙ୍କୁ କହିଥିଲା, ଖାମିନେଇଙ୍କ ମୃତ୍ୟୁ ପରେ ଇରାନରେ ସତ୍ତା ପରିବର୍ତ୍ତନ ଆମେରିକା ଓ ଇସ୍ରାଏଲ ପାଇଁ ସହଜ ହୋଇଯିବ ବୋଲି ? କିଏ ତାଙ୍କୁ କହିଥିଲା, ଖାମିନେଇଙ୍କୁ ହତ୍ୟା କରିଦେଲେ, ଖାମିନେଇଙ୍କୁ ବିରୋଧ କରୁଥିବା ଲୋକେ ଟ୍ରମ୍ପ-ଟ୍ରମ୍ପ ଓ ନେତାନ୍ୟାହୁ-ନେତାନ୍ୟାହୁ ଭଜିବେ ? ଇସ୍ରାଏଲ ସହ ମିଶି ଇରାନ ଉପରେ ଆକ୍ରମଣ କରିବାକୁ ଆମେରିକା କଂଗ୍ରେସ, ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଅନୁମତି ଦେଇଛି କି ? ନା ସଂଖ୍ୟା ବଳରେ କଂଗ୍ରେସକୁ ବାଇପାସ୍ କରି, ମନଇଚ୍ଛା Tariff ବଢ଼ାଇଲା ଭଳି, ଇରାନ ବିରୋଧରେ ଯୁଦ୍ଧ କ୍ଷେତ୍ରକୁ ଲମ୍ଫ ମାରିଛନ୍ତି ସେ ! ବିରୋଧୀ ଡେମୋକ୍ରାଟ୍ କଥା ଛାଡ଼ନ୍ତୁ, ନିଜ ରିପବ୍ଲିକାନ୍ ପାର୍ଟିର ସମର୍ଥନ, ତାଙ୍କର ଏହି ନିଷ୍ପତ୍ତି ପଛରେ ଅଛି ତ ! କିଛି ସିନେଟର କହିଲେଣି ‘It’s not America’s war, it’s Trump’s war’ !…

() ନିଜ ଦେଶବାସୀଙ୍କୁ ବି Confidenceକୁ ନେଇ ନାହାଁନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପୁଣି ନିଜ ପ୍ରତିଜ୍ଞା ନିଜେ ଭାଙ୍ଗିଛନ୍ତି । ଦ୍ବିତୀୟ ଥର ରାଷ୍ଟ୍ରପତି ହେବା ପରେ ଆମେରିକା ବିଶ୍ବରେ ଯୁଦ୍ଧ ଚାହେଁ ନାହିଁ ବୋଲି ସେ କହିଥିଲେ । ରୁଷିଆ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ବନ୍ଦ କରିବାକୁ ଏକାଧିକ ଥର ପ୍ରୟାସ କରିଛନ୍ତି । ପୁଣି ପାକିସ୍ତାନ ଓ ଭାରତ ମଧ୍ୟରେ Ceasfire ସେ ହିଁ କରାଇଛନ୍ତି ବୋଲି ୭୦ରୁ ଅଧିକ ଥର କହି ସାରିଲେଣି । ତାଙ୍କୁ ନୋବେଲ୍ ଶାନ୍ତି ପୁରସ୍କାର ମିଳୁ ବୋଲି କମ ବିକଳେଇ ହୋଇ ନାହାଁନ୍ତି ସେ । କିନ୍ତୁ ନୋବେଲ୍ ଶାନ୍ତି ପାଇବାକୁ ବ୍ୟାକୁଳ ହେଉଥିବା ବ୍ୟକ୍ତି ଜଣକ ଏବେ ସାରା ବିଶ୍ବ ପାଇଁ ଅଶାନ୍ତିର କାରଣ ହୋଇଛନ୍ତି । ନିଜ ଦେଶରେ ତାଙ୍କୁ କମ ବିରୋଧ କରାଯାଉନି… ତାଙ୍କ ବିରୋଧରେ ଆମେରିକାରେ ହଜାର ହଜାର ଲୋକ ଦୈନିକ ରାସ୍ତାକୁ ଆସି ଆନ୍ଦୋଳନ ଓ ବିରୋଧ ପ୍ରଦର୍ଶନ କରୁଛନ୍ତି । ଅନ୍ୟ ଦେଶରେ ବି ତାଙ୍କୁ ଓ ତାଙ୍କ ନିଷ୍ପତ୍ତିକୁ କିଛି କମ ଛି ଛି କରାଯାଉନି । ତେଣୁ ଏଭଳି ସ୍ଥିତିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୁଦ୍ଧି ଓ ବିଚାରଶକ୍ତିକୁ ନେଇ ସନ୍ଦେହ ସୃଷ୍ଟି ହେଉଛି । Tariff ମାମଲାରେ ସୁପ୍ରିମକୋର୍ଟରୁ ସୁପ୍ରିମ ଝଟକା ପାଇବା ପରେ ଟ୍ରମ୍ପଙ୍କ ଚେତା ପଶିଲାନି କେମିତି ! ପୁଣି ଅବଚେତନ ଅବସ୍ଥାରେ ଥାଇ ଇସ୍ରାଏଲ କଥାରେ ପୁଣି ଏତେ ବଡ଼ ଭୁଲ କରି ବସିଲେ କେମିତି !…

() କୌଣସି ଘରେ ଚୋରି କରିବା ପୂର୍ବରୁ ଚୋର ପ୍ରଥମେ Recce କରିଥାଏ । Entry Pointକୁ ଯେତେକି ଗୁରୁତ୍ବ ଦେଇଥାଏ, Exit ବା Escape Routeକୁ ତାଠାରୁ ଅଧିକ ଗୁରୁତ୍ବ ଦେଇଥାଏ । କିନ୍ତୁ Escape Route ନରଖି, ଯୁଦ୍ଧରେ ଆମେରିକାକୁ Entry କରାଇ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏବେ କେମିତି ଯୁଦ୍ଧରୁ ବାହାରିବେ ଖାଲି ବିଳିବିଳେଇ ହେଉଛନ୍ତି । ସେଇଥି ପାଇଁ ବୋଧେ, ସାଉଦି ଆରବ ମାଧ୍ୟମରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ମଧ୍ୟସ୍ଥ କରାଇ ଇରାନକୁ ବୁଝାଇବାକୁ ଭିତିରିଆ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି ! ଉପରେ ମୁହଁ ଟାଣ କରି କିନ୍ତୁ କହୁଛନ୍ତି, ‘The new regime of Iran wants to talk with me. But, I said, it’s too late’ । ମୃତ୍ୟୁ ପୂର୍ବରୁ ଇରାନ ସୁପ୍ରିମ ଲିଡର୍ ଆୟାତୋଲ୍ଲା ଅଲ୍ଲୀ ଖାମିନେଇ ବାରମ୍ବାର କହି ଚାଲିଥିଲେ, ଇରାନ କେବେ ବି ପ୍ରଥମେ ଯୁଦ୍ଧ କରିବନି, କିନ୍ତୁ ଯଦି କିଏ ଆରମ୍ଭ କଲା, ତେବେ ଯୁଦ୍ଧର ‘ସମାପ୍ତି ନିଷ୍ପତ୍ତି’ କେବଳ ଇରାନ ହିଁ ନେବ । ଏବେ ତାଙ୍କ ଅବର୍ତ୍ତମାନରେ ବି ତାଙ୍କ ଦେଶ ଇରାନ, ତାଙ୍କ କଥାରେ ଚାଲିଛି । ଯେଉଁଥି ପାଇଁ ଇରାନ ବିରୋଧରେ ଯୁଦ୍ଧକୁ ମାତ୍ର ୪-୫ ଦିନର କଥା ବୋଲି କହି ଚାଲିଥିବା ଟ୍ରମ୍ପ ଏବେ କହିଲେଣି, ଯୁଦ୍ଧ ୪-୫ ମାସ କିମ୍ବା ତାଠାରୁ ଅଧିକ ସମୟ ହୋଇପାରେ ।…

Leave a Reply

Your email address will not be published. Required fields are marked *