ବିଜୟୱାଡା ଅଗ୍ନିକାଣ୍ଡ: ହସ୍ପିଟାଲ ଓ ହୋଟେଲ୍ ବିରୋଧରେ ପୋଲିସରେ ଏଫଆଇଆର ଦାଏର
ବିଜୟୱାଡା, (ଓଡିଶା ଟାଇମ୍): ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ଥିବା ଏକ କୋଭିଡ କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଫଳରେ ମୃତ୍ୟୁ ସଂଖ୍ୟା ୧୧କୁ ଛୁଇଁଛି ।
ସୂଚନାନୁଯାୟୀ, ରମେଶ ହସ୍ପିଟାଲ ପକ୍ଷରୁ କରୋନା ରୋଗୀଙ୍କ ଚିକିତ୍ସା ଲାଗି ସ୍ୱର୍ଣ୍ଣ ପାଲେସ୍ ହୋଟେଲ୍ ସହ ବୁଝାମଣା କରାଯାଇଥିଲା । ଏପରିକି ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କୁ ଜଣାଥିଲା ଯେ ହୋଟେଲରେ ଇଲେକ୍ଟ୍ରିସିଟି ଡିଫେକ୍ଟ ରହିଛି, ତଥାପି କୌଣସି ମରାମତି କାର୍ଯ୍ୟ କରାଯାଇ ନଥିଲା ଅଭିଯୋଗ କରି ତହସିଲଦାର୍ ପି ଜୟଶ୍ରୀ ସ୍ଥାନୀୟ ଥାନାରେ ଏଫଆଇଆର ଦାଏର କରିଛନ୍ତି ।
ନ୍ୟୁଜ୍ ଏଜେନ୍ସି ଏଏନଆଇ ମୁତାବକ ବିଜୟୱାଡାର ଏକ ହୋଟେଲରେ କୋଭିଡ କେୟାର ସେଣ୍ଟର ଚାଲୁଥିବା ବେଳେ ରବିବାର ସକାଳେ କୌଣସି କାରଣବଶତଃ ଏଠାରେ ଅଗ୍ନିକାଣ୍ଡ ଘଟିଥିଲା । ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ଆଜି ଭୋର ପ୍ରାୟ ୫ଟା ସମୟରେ ଏହି ଅଘଟଣା ଘଟିଥିଲା । ସେହି ହସ୍ପିଟାଲରେ ପାଖାପାଖି ୨୨ ଜଣ ରୋଗୀ ଚିକତ୍ସିତ ହେଉଥିଲେ । ସେହିପରି କ୍ରିଷ୍ଣା ଜିଲ୍ଲାପାଳ ମହମ୍ମଦ ଇମତିଆଜ୍ କହିଛନ୍ତି ଯେ ପ୍ରାଥମିକ ତଦନ୍ତରୁ ଏହା ସର୍ଟସର୍କିଟ୍ ବୋଲି ଅନୁମାନ କରାଯାଉଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ତେବେ ଏହି ଘଟଣାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀ ଦୁଃଖ ପ୍ରକାଶ କରିଛନ୍ତି । ଏପରିକି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ମୃତକଙ୍କ ପରିବାର ବର୍ଗଙ୍କୁ ୫୦ ଲକ୍ଷର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ।
ଏହାଛଡା ଆହତ ମାନଙ୍କୁ ଅନ୍ୟତ୍ର ଚିକିତ୍ସା କରାଇବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆହତଙ୍କ ଦ୍ରୁତ ଆରୋଗ୍ୟ କାମନା କରିବା ସହ ଏହି ଅଘଟଣାରେ କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ସୂଚନା ପ୍ରଦାନ କରିଛନ୍ତି ।