ଭାରତ ଫେରିପାରନ୍ତି ବିଜୟ ମାଲ୍ୟା
ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍) : ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଯେ କୌଣସି ସମୟରେ ଭାରତକୁ ପ୍ରତ୍ୟାର୍ପଣ କରାଯାଇପାରେ । ଏ ନେଇ ଆଇନଗତ ପ୍ରକ୍ରିୟା ପ୍ରାୟତଃ ଶେଷ ହୋଇଯାଇଛି, ଏଣୁ ଆଉ କୌଣସି ପ୍ରତିବନ୍ଧକ ନ ଥିବା ଜଣେ ତଦନ୍ତକାରୀ ଅଧିକାରୀ କହିଛନ୍ତି । ଗତ ମେ ୧୪ ତାରିଖରେ ବ୍ରିଟିଶ ସୁପ୍ରିମ କୋର୍ଟ ପ୍ରତ୍ୟାର୍ପଣ ବିରୁଦ୍ଧରେ ମାଲ୍ୟା କରିଥିବା ଆବେଦନକୁ ଖାରଜ କରିଦେଇଥିଲେ । ବ୍ରିଟେନ ସୁପ୍ରିମକୋର୍ଟ ମାଲ୍ୟାର ଆବେଦନ ଖାରଜ କରିଛନ୍ତି । ସେଥିପାଇଁ ମାଲ୍ୟାର ପ୍ରତ୍ୟାର୍ପଣ ନେଇ ସମସ୍ତ ଔପଚାରିକତା ସମ୍ପୂର୍ଣ ହୋଇସାରିଛ । ସିବିଆଇ ଓ ଇଡି ଟିମ ମାଲ୍ୟାର ପ୍ରତ୍ୟାର୍ପଣକୁ ନେଇ ପ୍ରସ୍ତୁତି କରୁଛନ୍ତି । ମାମଲାରେ ଜଡିତ ସିବିଆଇ ସୂତ୍ରରୁ ଜଣାପଡିଛି ଯେ, ପ୍ରତ୍ୟାର୍ପଣ ପରେ ପ୍ରଥମେ ସିବିଆଇ ମାଲ୍ୟାକୁ ଅଟକ ରଖିବା କାରଣ ସିବିଆଇ ମାଲ୍ୟା ବିରୋଧରେ ପ୍ରଥମେ ମାମଲା ରୁଜ୍ଜୁ କରିଥିଲା ।
ସୂଚନାଥାଉ କି, ପୂର୍ବତନ ରାଜ୍ୟସଭା ସାଂସଦ ବିଜୟ ମାଲ୍ୟାଙ୍କର ଦେଶରେ କିଙ୍ଗଫିଶର ମଦ, ଏୟାରଲାଇନ୍ସ ଆଦି ବ୍ୟବସାୟ ରହିଛି । ବିଭିନ୍ନ ବ୍ୟାଙ୍କରୁ ୯୦୦୦ କୋଟି ଟଙ୍କା ଋଣ ପରିଶୋଧ ନକରି ୨୦୧୬ରେ ଲଣ୍ଡନ ଫେରାର ହୋଇଯାଇଥିଲେ । ଏବେ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାଲ୍ୟାଙ୍କୁ ଭାରତ ଆଣିବା ପାଇଁ ସମସ୍ତ ପ୍ରସ୍ତୁତି କରୁଥିବା ଜଣାପଡ଼ିଛି । ସିବିଆଇର ଜଣେ ଅଧିକାରୀ କହିଛନ୍ତି, ମାଲ୍ୟା ଭାରତରେ ପହଞ୍ଚିବା ପରେ ପ୍ରଥମେ ତାଙ୍କୁ ରିମାଣ୍ଡରେ ନେବୁ । ମେ’୧୪ରେ ମାଲ୍ୟା ପ୍ରତ୍ୟର୍ପଣ କେସରେ ହାରିବା ପରେ ୨୮ ଦିନ ଭିତରେ ଭାରତ ଆସିବାର ନିୟମ ରହିଛି । ଏହାରି ଭିତରେ ୨୦ ଦିନ ବିତିସାରିଛି । ତେଣୁ ଆଗାମୀ ୮ ଦିନ ମଧ୍ୟରେ ପଳାତକ ମାଲ୍ୟାଙ୍କୁ ଲଣ୍ଡନରୁ କୌଣସି ମୂହୂର୍ତ୍ତରେ ସିବିଆଇ ଏବଂ ଇଡି ଭାରତ ଆଣିପାରନ୍ତି ।