ପ୍ରଦୀପ ଓ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ରେଡ୍
ଭୁବନେଶ୍ବର, (ଓଡ଼ିଶା ଟାଇମ): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍ । ପ୍ରଦୀପଙ୍କ ଘର ସମେତ ତାଙ୍କ ସହଯୋଗୀ ଓ ସମ୍ପର୍କୀୟଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଏକକାଳୀନ ୧୫ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ଚଢାଉ ତାଲିକାରେ ବ୍ରହ୍ମପୁର ସହର ତଥା ଉପକଣ୍ଠ ଅଞ୍ଚଳର ୧୦ଜଣ ବହୁ ପରିଚିତ ଲୋକଙ୍କ ନାଁ ରହିଛି । ବ୍ରହ୍ମପୁର ସିଟି କଲେଜର ପୂର୍ବତନ ଅଧ୍ୟକ୍ଷ ବଡ଼ କୁଶସ୍ଥଳୀର କମ୍ବୁପାଣି ସାହୁ, ହରେକୃଷ୍ଣ ସାହୁ, ନରେନ୍ଦ୍ର ପୁରର ମଦନ ପାଣିଗ୍ରାହୀ, ସର୍ବେଶ୍ବର ରାଓ, ସୂର୍ଯ୍ୟ ସାହୁ ଓ ପ୍ରଦୀପଙ୍କ ଡ୍ରାଇଭରଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରିଛି ଭିଜିଲାନ୍ସ ।
ପୂର୍ବରୁ ଟାଟା କମ୍ପାନୀରେ ଚାକିରି କରାଇଦେବା ନାଁରେ ଠକେଇ ଅଭିଯୋଗରେ ପ୍ରଦୀପଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ୬ଟି ମାମଲାରେ ହାଇକୋର୍ଟରୁ ଜାମିନ ପାଇବା ପରେ ମେ ୧୨ରେ ସେ ଜେଲରୁ ବାହାରିଥିଲେ ପ୍ରଦୀପ । ଏହି ମାମଲାରେ ପୂର୍ବତନ ଆଇଏଫଏସ୍ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶକୁ ମଧ୍ୟ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ଠକେଇ ନେଇ ପ୍ରଦୀପ ପାଣିଗ୍ରାହୀ,ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ନାଁରେ ମାମଲା ରୁଜୁ କରିଥିଲା ଇଡି । ଏବେ ଯାଏଁ ଇଡି ୧୫ ଜଣଙ୍କୁ ଜେରା କରିଛି ।