ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ ଓ ସହଯୋଗୀ

ନର୍ଲା, (ଓଡିଶା ଟାଇମ୍) : ବହୁ ଦିନରୁ ହେଉଥିବା ଅଭିଯୋଗକୁ ଆଜି ପ୍ରମାଣିତ କରିଛି ଦୁର୍ନୀତି ନିବାରଣ ବିଭାଗ। ନର୍ଲା ତହସିଲ ଅନ୍ତର୍ଗତ ତୁଳାପଡା ରାଜସ୍ୱ କାର୍ଯ୍ୟାଳୟରେ ଗୁରୁବାର ଚଢାଉ କରି ରାଜସ୍ୱ ନିରୀକ୍ଷକ ଓ ତାଙ୍କର ଜଣେ ସହଯୋଗୀଙ୍କୁ ଧରିଛି ଭିଜିଲାନ୍ସ। ତେବେ ପୂର୍ବ ଅଭିଯୋଗ କ୍ରମେ ଜାଲ ବିଛାଇ ଦୁର୍ନୀତି ନିବାରଣ ବିଭାଗ ଅଭିଯୁକ୍ତଙ୍କ ଠାରୁ ରଙ୍ଗ ବୋଳା ଟଙ୍କା ଜବତ କରିଛନ୍ତି।

ସୂଚନାନୁଯାୟୀ, ବାଲିସିଙ୍ଗା ପଂଚାୟତ ଅଧୀନସ୍ଥ ତେର୍ଲୋ ଗ୍ରାମର ନିରଞ୍ଜନ ନାୟକ ନିଜର ୧୬ ଏକର ୪୭ ଡେସିମଲ୍‍ ଜମିକୁ ୧୧ଜଣଙ୍କ ପାଇଁ ପାର୍ଟିସନ, ଡିମାର୍କେସନ୍‍ ଓ ସ୍କେଚ୍‍ ତିଆରି କରିବା ପାଇଁ ତୁଳାପଡା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ତେବେ ଏହି କାମ କରିବାପାଇଁ ତୁଳାପଡା ରାଜସ୍ୱ ନିରୀକ୍ଷକ ଥବିର ଭୋଇ ଆବେଦନକାରୀଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ଦାବୀ କରିଥିଲେ। ଏହା ଜାଣି ଆବେଦନକାରୀ ଭିଜିଲାନ୍ସର ସାହାଯ୍ୟ ଲୋଡ଼ିଥିଲେ। ସମସ୍ତ ଘଟଣା ଜାଣିବା ପରେ ଭିଜିଲାନ୍ସ ଯୋଜନା ମୁତାବକ ଆବେଦନକାରୀଙ୍କୁ ରଙ୍ଗ ବୋଳା ନୋଟ୍‍ ଦେବା ସହ ଛକି ବସିଥିଲେ। ରାଜସ୍ୱ ନିରୀକ୍ଷକଙ୍କ ସହଯୋଗୀ ବୈଦ୍ୟନାଥ ସାହୁଙ୍କ ଜରିଆରେ ସେ ଏହି ଟଙ୍କାକୁ ଗ୍ରହଣ କରିବା ପରେ ଭିଜିଲାନ୍ସ ଅଧିକାରୀ ମାଡିବସିଥିଲେ। ଡିଏସ୍‍ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଦୀନବନ୍ଧୁ ବେହେରା ନିରୀକ୍ଷକ ନୁଆପଡା ଜିଲ୍ଲା, ସନ୍ତୋଷ କୁମାର ମହାନ୍ତି, ରାଜେସ କୁମାର ନାଏକ, ଶିବ ପ୍ରସାଦ ପ୍ରଧାନ, ବ୍ରହ୍ମାନନ୍ଦ ପଣ୍ଡା, ଗୁଣନିଧି ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ଡିଏସ୍‍ପି ସତ୍ୟବାନ ମହାନନ୍ଦ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *