ଜେଇଙ୍କ ଘରେ ଭିଜିଲାନ୍ସ ଚଢାଉ
ଗଜପତି, (ଓଡିଶା ଟାଇମ୍) :ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲ୍ଲା ରାୟଗଡା ବ୍ଲକରେ କାର୍ଯ୍ୟରତ ଯନ୍ତ୍ରୀ କେ.ନାଗେଶ୍ବର ସେନାପତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ବ୍ରହ୍ମପୁରରେ ଥିବା ଶଳାଘର, ଆସିକା ସ୍ଥିତ ପୈତୃକ ଘର, ରାୟଗଡ଼ ଅଫିସ ଓ ଛଅମାଇଲରେ ଥିବା ଇଟା ଫ୍ୟାକ୍ଟ୍ରି ସମେତ ଏକା ସାଙ୍ଗରେ ୬ଟି ସ୍ଥାନରେ ଚଢାଉ କରାଯାଇଥିଲା । ଭିଜିଲାନ୍ସ କୋର୍ଟ ସ୍ବତନ୍ତ୍ର ଜଜ୍ଙ୍କ ସର୍ଚ୍ଚ ଓ୍ବାରଣ୍ଟ ବଳରେ ଚଢାଉ କରାଯିବା ସହ ପ୍ରାୟ ୨ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ଠାବ କରାଯାଇଥିବା ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନ ଏସପି ଶାନ୍ତନୁ ପାଢ଼ୀ ସୂଚନା ଦେଇଛନ୍ତି ।
ସ୍ଥାବର ଓ ଅସ୍ଥାବର ସଂପତ୍ତି ମଧ୍ୟରେ ରହିଛି ପାରଳାଖେମୁଣ୍ଡିରେ ଥିବା ଦୁଇ ମହଲାଘରର ମୂଲ୍ୟ ୩୬ ଲକ୍ଷ ୪୬ ହଜାର ୫୭୬ ଟଙ୍କା, ଇଟା କାରଖାନାର ମୂଲ୍ୟ ୨୧ ଲକ୍ଷ ୯୨ ହଜାର ୧୬୪ ଟଙ୍କା, ବିଭିନ୍ନ ସ୍ଥାନରେ ଥିବା ୭ଟି ପ୍ଲଟ୍ ଯାହାର ମୂଲ୍ୟ ୭ ଲକ୍ଷ ୫୫ ହଜାର ୫୦୫ ଟଙ୍କା, ଅନ୍ୟମାନଙ୍କ ନାମରେ ଥିବା ୨ଟି ପ୍ଲଟ୍ ଯାହାର ମୂଲ୍ୟ ୨୯ହଜାର, ଖୋର୍ଦ୍ଧାରେ ଥିବା ଗୋଟିଏ ପ୍ଲଟ୍ ଯାହାର ମୂଲ୍ୟ ୧୬୯୫୫ ଟଙ୍କାର ସଂପତ୍ତି ସହ ଘରର ଆସବାବପତ୍ର ମୂଲ୍ୟ ୪ ଲକ୍ଷ ୬୯ ହଜାର ୪୫୯ ଟଙ୍କା, ନଗଦ ୬୦ ଲକ୍ଷ ୯୦ ହଜାର ୬୪୦ ଟଙ୍କା, ୟାମାହ ମୋଟରସାଇକେଲ, ସ୍ବିଫ୍ଟ ଡିଜାଇର କାର୍, ପାସନ ପ୍ରୋ ମୋଟର ସାଇକେଲର ମୂଲ୍ୟ ୧୦ ଲକ୍ଷ ୩୨ ହଜାର ଟଙ୍କା, ବିଭିନ୍ନ ବ୍ୟାଙ୍କରେ ଡିପୋଜିଟ୍ ଥିବା ୬୬ଲକ୍ଷ ୮୯ହଜାର ୨୭୧ ଟଙ୍କା, ୪ ଲକ୍ଷ ୩ ହଜାର ୯୦ ଟଙ୍କାର ସୁନା ଅଳଙ୍କାର, ୨୫ ହଜାର ୩୦ ଟଙ୍କା ରୂପା ଅଳଙ୍କାର ଆଦି ଠାବ ହୋଇଛି। ସମୁଦାୟ ସଂପତ୍ତିର ପରିମାଣର ୨ କୋଟି ୧୩ ଲକ୍ଷ ୪୯ ହଜାର ୭୨୩ ଟଙ୍କା ବୋଲି ଭିଜିଲାନ୍ସ ବିଭାଗ ଆକଳନ କରିଛନ୍ତି।