୮୧ ବର୍ଷ ବୟସରେ ଭେଟେରାନ୍ ବଲିଉଡ ଅଭିନେତା ଜଗଦିପଙ୍କ ଦେହାନ୍ତ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ବଲିଉଡର ଭେଟେରାନ୍ ଅଭିନେତା ତଥା ଲୋକପ୍ରିୟ କମେଡିଆନ୍ ସୟଦ ଇସ୍ତିଆକ୍ ଅହମଦ ଜାଫ୍ରିଙ୍କର ମୁମ୍ବାଇ ଠାରେ ଦେହାନ୍ତ ହୋଇଛି । ଯିଏକି ଜଗଦିପ ନାମରେ ପରିଚିତ ଥିଲେ ।
ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିବା ବେଳେ ବାର୍ଦ୍ଧକ୍ୟ ଜନିତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ସୁତ୍ରରୁ ପ୍ରକାଶ । ମୁମ୍ବାଇର ଶିଲା କବ୍ରିସ୍ତାନରେ ଜଗଦିପଙ୍କର ଶେଷକୃତ୍ୟ ସଂପନ୍ନ ହେବ ବୋଲି ସୂଚନା ମିଳିଛି ।
୭୦, ୮୦ ଓ ୯୦ ଦଶକରେ ମଧ୍ୟ ଜଗଦିପ ତାଙ୍କ ଅଭିନୟ ଯାଦୁରେ ସିନେ ପ୍ରେମୀଙ୍କ ମନୋରଞ୍ଜନ କରିପାରିଥିଲେ । ଏପରିକି ନିଜ ଫିଲ୍ମ କ୍ୟାରିୟରରେ ସେ ପ୍ରାୟ ୪୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି । ୧୯୭୫ ମସିହାରେ ରିଲିଜ ହୋଇଥିବା ଶୋଲେ ଚଳଚ୍ଚିତ୍ରରେ ସେ ସୁରମା ଭୋପାଲି ଚରିତ୍ରରେ ଅଭିନୟ କରିଥିଲେ । ଯାହା ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା । ସେ ଅନ୍ଦାଜ ଅପନା ଅପନା, ବ୍ରହ୍ମଚାରୀ ଓ ନାଗିନ ଭଳି ଫିଲ୍ମରେ ଅଭିନୟ କରିଛନ୍ତି ।
୧୯୩୯ ମସିହା ମାର୍ଚ୍ଚ ୨୯ ତାରିଖରେ ଜନ୍ମଗ୍ରହଣ କରିଥିବା ଜଗଦିପ ତାଙ୍କର ଦୁଇ ପୁଅ ନାଭେଦ ଓ ଜଭେଦ ଜାଫ୍ରିଙ୍କ ସହ ରହିଥିଲେ ।
ଜଗଦିପଙ୍କ ମୃତ୍ୟୁରେ ବଲିଉଡର ବହୁ ନାମୀଦାମୀ କଳାକାର ଶୋକବ୍ୟକ୍ତ କରିଛନ୍ତି । ଏପରି ସମୟରେ ଅଭିନେତା ଅଜୟ ଦେବଗନ ଟ୍ୱିଟ ଜରିଆରେ ତାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ସେହିପରି ଅନ୍ୟଜଣେ ହାସ୍ୟ ଅଭିନେତା ଜନି ଲିଭରଙ୍କ ସମେତ ବହୁ ଲୋକ ମଧ୍ୟ ତାଙ୍କ ମୃତ୍ୟୁରେ ସମବେଦନା ଜଣାଇଛନ୍ତି ।
ତାଙ୍କ ଦେହାନ୍ତରେ ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି ।