ସବୁ ଅଙ୍କ ଭୁଲ ହୋଇଯିବ !

BHUBANESWARଇଂରାଜୀରେ ଗୋଟେ Proverb ଅଛି, ‘There is many a slip between the cup and the lip । ଏହାର ଅର୍ଥ ହେଉଛି, ସବୁକିଛି ଠିକଠାକ ଲାଗୁଥିଲେ ବି… ସବୁକିଛି ସ୍ଥିର ନିଶ୍ଚିତ ଥିଲେ ବି… ସବୁକିଛି Guaranteed ଥିଲେ ବି… ଶେଷ ମୁହୁର୍ତ୍ତରେ ସବୁକିଛି ଗଡ଼ବଡ଼ ହୋଇଯିବାର ବହୁତ ବଡ଼ ସମ୍ଭାବନା ରହୁଛି । ତେବେ କଣ ସ୍ଥିର ନିଶ୍ଚିତ ଅଛି ଯେ, ତାହା ଶେଷ ମୂହୁର୍ତ୍ତରେ ଗଡ଼ବଡ଼ ହୋଇଯିବାର ସମ୍ଭାବନା ରଖୁଛି ! ଉପରାଷ୍ଟ୍ରପତି ନିର୍ବାଚନରେ ସେମିତି କିଛି ସମ୍ଭାବନା ରହୁଛି କି !…

() ଜୁଲାଇ ୨୧ରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି ଜଗଦୀପ ଧନଖଡ଼ । ଇସ୍ତଫାପତ୍ରରେ ସ୍ବାସ୍ଥ୍ୟଗତ ସମସ୍ୟାକୁ ସେ କାରଣ ଦର୍ଶାଇଛନ୍ତି । କିନ୍ତୁ ତାହା ଏଯାଏଁ ଦେଶବାସୀଙ୍କ ପାଇଁ ସନ୍ତୋଷଜନକ ହୋଇପାରିନି । ବିଦାୟକାଳୀନ ଭାଷଣ ବା ସମ୍ବର୍ଦ୍ଧନା କଥା ଛାଡ଼ନ୍ତୁ, ଇସ୍ତଫା ପରଠାରୁ ଧନଖଡ଼ଙ୍କ ଅନ୍ତର୍ଦ୍ଧାନ, ଅନେକ କିଛି ପ୍ରଶ୍ନବାଚୀ ଓ ସନ୍ଦେହ ସୃଷ୍ଟି କରୁଛି । ଧନଖଡ଼ଙ୍କ କ୍ଷେତ୍ରରେ ଯାହା ହେଲା ଏବଂ ଯାହା ହେଉଛି, ଦେଶର ଦ୍ବିତୀୟ ସାମ୍ବିଧାନିକ ପଦ ଓ ସେହି ପଦରେ ଅତୀତରେ ଥିବା କୌଣସି ବ୍ୟକ୍ତିଙ୍କ କ୍ଷେତ୍ରରେ ହୋଇନି । କିନ୍ତୁ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ପରବର୍ତ୍ତୀ ଉପରାଷ୍ଟ୍ରପତି ପଦ ପାଇଁ ଆରମ୍ଭ ହୋଇଯାଇଛି ନିର୍ବାଚନୀ ପ୍ରକ୍ରିୟା । ବିଜେପି ନେତୃତ୍ବାଧୀନ ଏନଡିଏ ପ୍ରାର୍ଥୀ ସି. ପି. ରାଧାକ୍ରିଷ୍ଣନ ଏବଂ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ତଥା ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ବି. ସୁଦର୍ଶନ ରେଡ୍ଡୀ ନାମାଙ୍କନ ଦାଖଲ କରି ସାରିଛନ୍ତି । ଏବେ କେବଳ ସେପ୍‌ଟେମ୍ବର ୯ ନିର୍ବାଚନକୁ ଅପେକ୍ଷା ।…

() ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନରେ ମୁଖ୍ୟତଃ ଶାସକ ଓ ବିରୋଧୀ ନିଜ ନିଜର ପ୍ରାର୍ଥୀଙ୍କୁ ନେଇ ଟଣା-ଓଟରା ହୋଇଥାନ୍ତି । କିନ୍ତୁ ଏଥରର ଉପରାଷ୍ଟ୍ରପତି ନିର୍ବାଚନକୁ ‘South Vs South’ କିମ୍ବା ‘ତାମିଲ ବନାମ ତେଲୁଗୁ’ କହିଲେ ଭୁଲ ହେବନି । ତେବେ ଏହା ଏକ ରାଜନୈତିକ ଭାଷା ବୋଲି ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ସୁଦର୍ଶନ ରେଡ୍ଡୀ ଏକ ପ୍ରମୁଖ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଅବସରରେ କହି ସାରିଛନ୍ତି । ତଥାପି ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନରେ ଆଞ୍ଚଳିକତାବାଦ ଓ ଆଞ୍ଚଳିକ ଅସ୍ମିତାକୁ ପ୍ରଧାନ୍ୟ ଦେବାର ନଜିର କିଛି କମ ନାହିଁ ।…

() ପ୍ରଣବ ମୁଖାର୍ଜୀଙ୍କ ରାଷ୍ଟ୍ରପତି ପ୍ରାର୍ଥିତ୍ବକୁ ପ୍ରଥମେ ଗ୍ରହଣ କରିବା ମୁଡ୍‌ରେ ନଥିଲା ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ । କିନ୍ତୁ ପରେ ବେଙ୍ଗଲ ଅସ୍ମିତାକୁ ପ୍ରାଧାନ୍ୟ ଦେଇ ସମର୍ଥନ କଲା ଟିଏମସି । ସେହିଭଳି ୨୦୦୭ରେ ଭୈରୋ ସିଂହ ଶେଖାୱତ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ବେଳେ ୟୁପିଏର ପ୍ରାର୍ଥୀ ଥିଲେ ପ୍ରତିଭା ଦେବୀ ସିଂହ ପାଟିଲ । ଆଉ ସେତେବେଳେ ବାଲ୍ ଥାକରେଙ୍କ ଶିବସେନାକୁ ମନେ ପଡ଼ିଥିଲା ମରାଠୀ ଅସ୍ମିତାର କଥା । ପ୍ରଥମରୁ ଏନଡିଏ ପ୍ରାର୍ଥୀ ଭୈରୋ ସିଂହ ଶେଖାୱତଙ୍କୁ ସମର୍ଥନ ଦେବାକୁ କଥା ଦେଇଥିବା ଶିବସେନା, ପରେ ପ୍ରତିଭା ଦେବୀ ସିଂହ ପାଟିଲଙ୍କୁ କଲା ସମର୍ଥନ । ଖାଲି ସେତିକି ନୁହେଁ, ୧୯୬୯ରେ ନୀଲମ ସଞ୍ଜୀବ ରେଡ୍ଡୀଙ୍କୁ କଂଗ୍ରେସ ରାଷ୍ଟ୍ରପତି ପ୍ରାର୍ଥୀ କରିଥିବା ବେଳେ ବିରୋଧୀ କ୍ୟାମ୍ପର ପ୍ରାର୍ଥୀ ଥିଲେ ଭି. ଭି. ଗିରି । ନୀଲମ ସଞ୍ଜୀବ ରେଡ୍ଡୀଙ୍କ ସମର୍ଥନ ପତ୍ରରେ ଥିଲା ଇନ୍ଦିରା ଗାନ୍ଧିଙ୍କ ଦସ୍ତଖତ । କିନ୍ତୁ ବିରୋଧୀ ପ୍ରାର୍ଥୀ ଭି. ଭି. ଗିରିଙ୍କ ପ୍ରତି ସମର୍ଥନ ବଢୁଥିବା ଦେଖି, ସେତେବେଳେ All India Radio (AIR)ରେ ଇନ୍ଦିରା ଗାନ୍ଧି କରିଥିଲେ ବଡ଼ ଘୋଷଣା । ଅନ୍ତରାତ୍ମା ଆଧାରରେ ଭୋଟ୍ ଦିଆଯାଇ ପାରିବ ବୋଲି କହିଥିଲେ ଇନ୍ଦିରା ଗାନ୍ଧି । ଆଉ ରାଷ୍ଟ୍ରପତି ହୋଇଥିଲେ ଭି. ଭି. ଗିରି । କହିଲେ ଦେଖି, କାହିଁକି ଏବଂ କେଉଁ ପରିସ୍ଥିତିରେ ଇନ୍ଦିରା ଗାନ୍ଧି ଅନ୍ତରାତ୍ମା ଆଧାରିତ ଭୋଟିଂ ଦେବାର କଥା ଉଠାଇଲେ ? କଣ କିଛି ବୁଝି ହେଉଛି ! There is many a slip between the cup and the lip… ଏବେ ବୋଧେ ବୁଝି ହେଉଥିବ ଏହି ଇଂରାଜୀ ଲୋକକଥାର ଅର୍ଥ ଏବଂ Sense କଣ ହୋଇପାରେ !…

() ତାମିଲନାଡୁ ବାସିନ୍ଦା ସି. ପି. ରାଧାକ୍ରିଷ୍ଣନଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରି ଏନଡିଏ, ମାରିଛି Master Stroke । ଇଣ୍ଡିଆ ମେଣ୍ଟର ପ୍ରମୁଖ ସହଯୋଗୀ ଏମ. କେ. ଷ୍ଟାଲିନଙ୍କ ଡିଏମକେ ପାଇଁ ଏକ ପ୍ରକାର ଦ୍ବନ୍ଦ୍ବ ସୃଷ୍ଟି କରିଦେଇଛି ଏନଡିଏ । ଆସନ୍ତାବର୍ଷ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ସି. ପି. ରାଧାକ୍ରିଷ୍ଣନଙ୍କୁ ନେଇ ଡିଏମକେ ପାଇଁ ତାମିଲ ଅସ୍ମିତା ଉପରେ ପ୍ରଶ୍ନବାଚୀ ଛିଡ଼ା କରାଇ ଦେଇଛି ବିଜେପି ନେତୃତ୍ବାଧୀନ ଏନଡିଏ । କିନ୍ତୁ ଇତିହାସ କହୁଛି, ତାମିଲନାଡୁର ରାଜନୀତି କେବେ ବି ବ୍ୟକ୍ତି ଆଧାରିତ ରହିନି, ବରଂ ଅନେକାଂଶରେ ତାହା ମୁଦ୍ଦା ଆଧାରିତ ରହିଆସିଛି ।…

() ସି. ପି. ରାଧାକ୍ରିଷ୍ଣନଙ୍କ ବିରୋଧରେ ତେଲଙ୍ଗାନାର ବି. ସୁଦର୍ଶନ ରେଡ୍ଡୀଙ୍କୁ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ କରିବା ପରେ ଏନଡିଏନର ନିଦ ହଜିଯାଇଛି । ବୋଧ ହୁଏ, ଇଂରାଜୀ Proverb, There is many a slip between the cup and the lipକୁ ନେଇ ଅନେକାଂଶରେ ବିଜେପି ନେତୃତ୍ବାଧୀନ ଏନଡିଏ ଛାନିଆ ଏବଂ ଆଶଙ୍କାରେ। RSSରୁ ବିଜେପି ରାଜନୀତିକୁ ଆସିଛନ୍ତି ସି. ପି. ରାଧାକ୍ରିଷ୍ଣନ । କହିବାକୁ ଗଲେ ସେ ଜଣେ ସମ୍ପୂର୍ଣ୍ଣ ରାଜନୈତିକ ବ୍ୟକ୍ତିତ୍ବ । ସାଂସଦ ହୋଇଛନ୍ତି, ଏକାଧିକ ରାଜ୍ୟରେ ରାଜ୍ୟପାଳ ବି ହୋଇଛନ୍ତି । ଅବସରପ୍ରାପ୍ତ ଜଷ୍ଟିସ୍ ବି. ସୁଦର୍ଶନ ରେଡ୍ଡୀ କିନ୍ତୁ ରାଜନୈତିକ ବ୍ୟକ୍ତିତ୍ବ ନୁହଁନ୍ତି । ବିଚାରପତି ଥିବା ବେଳେ ସାମାଜିକ ନ୍ୟାୟର ଚାମ୍ପିଅନ୍ ଥିଲେ ଏହି ସାମ୍ବିଧାନିକ ବ୍ୟକ୍ତିତ୍ବ । ଆଉ ଏବେ ବି ସମ୍ବିଧାନ ଉପରେ ତାଙ୍କର ଅଗାଢ଼ ବିଶ୍ବାସ ଓ ଭରସା ଅତୁଟ ରହିଛି । ନାମାଙ୍କନ ଦାଖଲ ପରେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ ଏହା ସେ କହି ସାରିଛନ୍ତି ବି. ସୁଦର୍ଶନ ରେଡ୍ଡୀ ।…

() ତାମିଲନାଡୁ ରାଜନୀତି ମୁଦ୍ଦା ଆଧାରିତ ହୋଇଥିବା ବେଳେ ଅବିଭାଜିତ ଆନ୍ଧ୍ରପ୍ରଦେଶ ରାଜନୀତି ଅନେକାଂଶରେ ବ୍ୟକ୍ତି ଆଧାରିତ ରହି ଆସିଛି । ତେଣୁ ଏଭଳି ସ୍ଥିତିରେ କଣ କରିବେ ବିଜେପି ସହଯୋଗୀ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଏନ୍. ଚନ୍ଦ୍ରବାବୁ ନାଇଡୁ ? କଣ କରିବ ରାଜ୍ୟରେ ତାଙ୍କ ସହଯୋଗୀ ତଥା ଉପମୁଖ୍ୟମନ୍ତ୍ରୀ ଥିବା ପବନ କଲ୍ୟାଣଙ୍କ ଜନସେନା ? କଣ କରିବ ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେ. ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି ବା BRS ?… କଂଗ୍ରେସ ପ୍ରତି କେସିଆରଙ୍କର ରହିଛି ପ୍ରବଳ ଘୃଣା । କିନ୍ତୁ ବି. ସୁଦର୍ଶନ ରେଡ୍ଡୀ ତ’ କେବଳ କଂଗ୍ରେସର ପ୍ରାର୍ଥୀ ନୁହଁନ୍ତି ନା ! ପୂରା ଇଣ୍ଡିଆ ମେଣ୍ଟର… ଯାହା ମଧ୍ୟରେ ଅଧିକାଂଶ ରାଜନୈତିକ ଦଳର ଶୀର୍ଷ ନେତୃତ୍ବଙ୍କ ସହ କେସିଆରଙ୍କର ଭଲ ସମ୍ପର୍କ ରହିଛି । ପୁଣି ଦିଲ୍ଲୀ ଅବକାରୀ ଦୁର୍ନୀତିରେ ଝିଅ କେ. କବିତାଙ୍କ ଜେଲ୍ ଯିବା ଘଟଣାକୁ ଭୁଲିଯାଇ, କେସିଆର୍, ଏନଡିଏ ପ୍ରାର୍ଥୀ ସି. ପି. ରାଧାକ୍ରିଷ୍ଣନଙ୍କୁ ସମର୍ଥନ କରିବେ କି ? କେବଳ ସମୟ ହିଁ ଏହା ସ୍ପଷ୍ଟ କରିବ ।…

() କେନ୍ଦ୍ରର ବିଜେପି ନେତୃତ୍ବାଧୀନ ଏନଡିଏ ସରକାରକୁ ୧୪ ମାସ ପୂରିଲାଣି । କିନ୍ତୁ କୌଣସି ଗୋଟେ ବି ଦିନ, ବିରୋଧୀ କିମ୍ବା ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ, ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ସମାଲୋଚନା କରିବା କେହି ଦେଖି ନାହାନ୍ତି । କଂଗ୍ରେସର କୌଣସି ନେତା ମଧ୍ୟ ଏଯାଏ ନାଇଡୁଙ୍କୁ କିମ୍ବା ତାଙ୍କ ଟିଡିପିକୁ ସମାଲୋଚନା କରି ନାହାନ୍ତି । ଠିକ ସେହିପରି ଜେଡିୟୁ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଛି । କଂଗ୍ରେସ କିମ୍ବା ବିହାରରେ ଇଣ୍ଡିଆ ମେଣ୍ଟର ପ୍ରମୁଖ ସହଯୋଗୀ ଲାଲୁଙ୍କ ଆରଜେଡି ମଧ୍ୟ ଏଯାଏ, ଜେଡିୟୁ ମୁଖ୍ୟ ନୀତୀଶ କୁମାରଙ୍କୁ ନେଇ ମୁହଁ ଖୋଲିନି । ଏପରିକି ଏବେ ବିହାରରେ ନିର୍ବାଚନ କମିଶନଙ୍କ ‘SIR’ ଅଭିଯାନ ବିରୋଧରେ ଇଣ୍ଡିଆ ମେଣ୍ଟର ‘ଜନ ଅଧିକାର ରାଲି’ ଚାଲୁଥିଲେ ମଧ୍ୟ ରାହୁଲ ଗାନ୍ଧି କିମ୍ବା ତେଜସ୍ବୀ ଯାଦବଙ୍କ ମୁହଁରୁ ନୀତୀଶଙ୍କୁ ସମାଲୋଚନା କରିବା ଶୁଣିବାକୁ ମିଳିନି ।…

() କଥାରେ ଅଛି, ମାଆଠାରୁ ଯଦି କେହି ଅଧିକ ସ୍ନେହ, ଶ୍ରଦ୍ଧା ବା ଆଦର କରେ, ତେବେ ସେ ଡାହାଣୀ ବ୍ୟତୀତ ଆଉ କେହି ନୁହେଁ । ଏଠି ସ୍ନେହ, ଶ୍ରଦ୍ଧା ଆଳରେ କୋଳରେ ବସାଇ ବସାଇ ଛୋଟା କରିଦେବା ହିଁ ଡାହାଣୀର ଏକମାତ୍ର ଉଦ୍ଦେଶ୍ୟ । ଯାହା ଅଧିକାଂଶ ଆଞ୍ଚଳିକ ରାଜନୈତିକ ଦଳ କ୍ଷେତ୍ରରେ କରିସାରିଛି ବିଜେପି । ସେ AIADMK କଥା କୁହନ୍ତୁ ବା ଶିବସେନା କିମ୍ବା ଏନସିପି ଦି ଫାଳ ହେବା କଥା । ରାମବିଳାସ ପାଶୱାନଙ୍କ ଲୋକ ଜନଶକ୍ତି ପାର୍ଟି, ବିଜେପି ପାଇଁ ହିଁ ଦି-ଫାଳ ହୋଇଛି । INLDରୁ ବାହାରି ଯାଇ ଜନନାୟକ ଜନତା ପାର୍ଟି ଗଢ଼ିଥିବା ଏବଂ ଏକଦା ହରିୟାଣାର ଉପମୁଖ୍ୟମନ୍ତ୍ରୀ ଥିବା ଦୁଷ୍ୟନ୍ତ ଚୌତାଲାଙ୍କ ରାଜନୈତିକ ଅସ୍ତିତ୍ବ ଏବେ କେଉଁଠି ? ସମଦୂରତାର ଦ୍ବାହି ଦେଇ ବିଜେପି ସହ ଭିତିରିଆ ସମମିତ୍ରତା ସ୍ଥାପନ କରିଥିବା ନବୀନ ପଟ୍ଟନାୟକଙ୍କ ବିଜେଡିର ରାଜନୈତିକ ଅସ୍ତିତ୍ବ ଏବେ କେଉଁଠି, କେଉଁ ଅବସ୍ଥାରେ ? କିନ୍ତୁ ଏବେ ହେଉଛି ଉପରାଷ୍ଟ୍ରପତି ନିର୍ବାଚନ, ଯେତେବେଳେ କି ଭୋଟ ଚୋରି ପ୍ରସଙ୍ଗ ଜାତୀୟ ରାଜନୀତିରେ Political Hot Potato ହୋଇ ରହିଛି । ପୁଣି ୧୩୦ତମ ସମ୍ବିଧାନ ସଂଶୋଧନ ନାଁରେ Government of Union Territories (Amendment) Bill 2025 ମଧ୍ୟ ଅନେକ କିଛି ସମସ୍ୟା ସୃଷ୍ଟି କରିବା ସମ୍ଭାବନା ରଖୁଛି । ଏହା ଚନ୍ଦ୍ରବାବୁ ନାଇଡୁ ଓ ନୀତୀଶ କୁମାରଙ୍କ ରାଜନୀତି ଓ ରାଜନୈତିକ କ୍ୟାରିଅରକୁ ପ୍ରଭାବିତ କରିବା ଯଥେଷ୍ଟ ସମ୍ଭାବନା ରଖୁଛି । ତେଣୁ ଏଭଳି ସ୍ଥିତିରେ ଅସ୍ତିତ୍ବ ବଞ୍ଚାଇବା ପାଇଁ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଓ ନୀତୀଶ କୁମାରଙ୍କ ଜେଡିୟୁ କିଛି ଭିନ୍ନ ନିଷ୍ପତ୍ତି ନେବେନି ତ ! ରାଜନୀତିରେ ସବୁକିଛି ସମ୍ଭବ । ସେପଟେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନରେ କିନ୍ତୁ ଦଳୀୟ କିମ୍ବା ମେଣ୍ଟ ହ୍ବିପ୍ ସେତେଟା ଗୁରୁତ୍ବ ରଖିନି । ଏହି ଦୁଇ ନିର୍ବାଚନକୁ ଯଦି ଦେଖିବା, ତେବେ ଅଧିକାଂଶ ସମୟରେ ଆଞ୍ଚଳିକ ଅସ୍ମିତା ଆଗରେ ମୁଣ୍ଡ ନୁଆଁଇଛନ୍ତି ଅଧିକାଂଶ ପ୍ରମୁଖ ଆଞ୍ଚଳିକ ଦଳ । ତେଣୁ ଏଭଳି ସ୍ଥିତିରେ ସେପ୍‌ଟେମ୍ବର ୯ରେ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନରେ କିଛି ବି ହୋଇଯାଇପାରେ ! ଏଇ ଯେମିତି ସାମ୍ବିଧାନିକ କ୍ଲବ୍ ସଭାପତି ନିର୍ବାଚନରେ ଅମିତ ଶାହଙ୍କ ସମର୍ଥିତ ପ୍ରାର୍ଥୀ ସଞ୍ଜୀବ ବାଲ୍ୟାନଙ୍କୁ ହରାଇ ଦେଲେ ବିଜେପିର ଅନ୍ୟତମ ନେତା ରାଜୀବ ପ୍ରତାପ ରୁଡି ।…

() ଖାଲିଥିବା ପଦକୁ ଛାଡ଼ିଦେଲେ, ବର୍ତ୍ତମାନ ଉଭୟ ଲୋକସଭା ଓ ରାଜ୍ୟସଭାରେ 781 ଜଣ ସାଂସଦ ଅଛନ୍ତି । ଯେଉଁମାନଙ୍କୁ ନେଇ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଗଠନ ହୋଇଛି Electoral College । ମ୍ୟାଜିକ ନମ୍ବର ୩୯୨ ହେଉଥିବା ବେଳେ ବିଜେପି ନେତୃତ୍ବାଧୀନ ଏନଡିଏ ପାଖରେ ଅଛନ୍ତି ୪୨୨ ଜଣ ସାଂସଦ । ବାକି 359 ଜଣ ବିଭିନ୍ନ ବିରୋଧୀ ଦଳର ଅଛନ୍ତି । ଭୋଟିଂ ପରେ ନାକଚ୍ ଭୋଟକୁ ବାଦ ଦେବା ପରେ, ବୈଧ ଭୋଟ ସଂଖ୍ୟା ଆଧାରରେ ମ୍ୟାଜିକ ନମ୍ବର ସ୍ଥିର ହେବ । ଅର୍ଥାତ ଏବେ ଦେଖା ଯାଉଥିବା ମ୍ୟାଜିକ ନମ୍ବର, ୩୯୨ ହୁଏତ ଭୋଟ ଗଣତି ବେଳକୁ ନଥାଇପାରେ । ଯଦି ମ୍ୟାଜିକ ନମ୍ବର ବଦଳିବାର ସମ୍ଭାବନା ରହୁଛି, ତେବେ ଭୋଟିଂରେ ସେମିତି କିଛି ମ୍ୟାଜିକ୍ କାହିଁକି ବା ହୋଇ ନପାରିବ ! ଯଦି ଟିଡିପି, ଜନସେନା ଏବଂ BRS, ଶେଷ ମୁହୁର୍ତ୍ତରେ ତେଲୁଗୁ ଅସ୍ମିତାକୁ ପ୍ରାଧାନ୍ୟ ଦିଅନ୍ତି… ପୁଣି ସରକାରର ପ୍ରମୁଖ ସହଯୋଗୀ ଥିବା ନାଇଡୁଙ୍କ ଟିଡିପି ଏବଂ ନୀତୀଶଙ୍କ ଜେଡିୟୁ ଯଦି, ସରକାର ଆଣିଥିବା Government of Union Territories (Amendment) Bill 2025କୁ ଦେହକୁ ନେଇଯାଆନ୍ତି, ତେବେ ସବୁ ଅଙ୍କ ଭୁଲ ହୋଇଯିବନି ତ ! ଖାସ୍ ସେଇଥି ପାଇଁ ପରା କଥାରେ ଅଛି- There is many a slip between the cup and the lip ।…

Leave a Reply

Your email address will not be published. Required fields are marked *