ଛାଇ, ନିଜର ନା ଆଉ କାହାର !…

BHUBANRESWAR:  ଅଦିନରେ ଦେଶରେ ହେଉଛି ଉପରାଷ୍ଟ୍ରପତି ନିର୍ବାଚନ । ଜଗଦୀପ ଧନଖଡ଼ଙ୍କ ଅପ୍ରତ୍ୟାଶିତ ଇସ୍ତଫା ପରେ, ପଞ୍ଚଦଶ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେଉଛି । କିନ୍ତୁ ଏଥରର ଉପରାଷ୍ଟ୍ରପତି ନିର୍ବାଚନ, ଦକ୍ଷିଣ ଭାରତରେ Focused ହୋଇ ରହିଛି । ତାମିଲନାଡୁ ବାସିନ୍ଦା ସି. ପି. ରାଧାକ୍ରିଷ୍ଣନଙ୍କୁ ଏନଡିଏ ପ୍ରାର୍ଥୀ କରିବା ପରେ ତେଲଙ୍ଗାନା ତଥା ଅବିଭାଜିତ ଆନ୍ଧ୍ରପ୍ରଦେଶର ବାସିନ୍ଦା, ତଥା ସୁପ୍ରିମକୋର୍ଟର ପୂର୍ବତନ ଅବସରପ୍ରାପ୍ତ ଜଷ୍ଟିସ୍ ବି. ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ କରିଛି ବିରୋଧୀଙ୍କ ଇଣ୍ଡିଆ ମେଣ୍ଟ । ସି. ପି. ରାଧାକ୍ରିଷ୍ଣନ ଜଣେ RSS ଏବଂ ରାଜନୈତିକ ବ୍ୟକ୍ତିତ୍ବ । ସୁଦର୍ଶନ ରେଡ୍ଡୀ କିନ୍ତୁ ସମ୍ପୂର୍ଣ୍ଣ ରୂପେ ସାମ୍ବିଧାନିକ ବ୍ୟକ୍ତିତ୍ବ, ଆଦୌ ରାଜନୈତିକ ନୁହଁନ୍ତି । କୌଣସି ସଂଘ କିମ୍ବା ସଂଗଠନ ସହ ସେ ଜଡ଼ିତ ନାହାନ୍ତି । ଭାରତୀୟ ରାଜନୀତିରେ ଏବେ ସମ୍ବିଧାନର ଅସ୍ତିତ୍ବ, ମୁଖ୍ୟ ପ୍ରସଙ୍ଗ ହୋଇଥିବା ବେଳେ ଇଣ୍ଡିଆ ମେଣ୍ଟ, ସାମାଜିକ ନ୍ୟାୟର ପ୍ରତୀକ ତଥା ଜଣେ ସଚ୍ଚା ସାମ୍ବିଧାନିକ ବ୍ୟକ୍ତିତ୍ବଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିଛି । ଇଣ୍ଡିଆ ମେଣ୍ଟ ବିରୋଧରେ ମାଷ୍ଟର ଷ୍ଟ୍ରୋକ୍ ମାରିବାକୁ ଉଦ୍ୟମ କରିଥିବା ବିଜେପି ନେତୃତ୍ବାଧୀନ ଏନଡିଏ, ଏବେ ଇଣ୍ଡିଆ ମେଣ୍ଟର ଡବଲ୍ ମାଷ୍ଟର ଷ୍ଟ୍ରୋକରେ ଫସି ଯାଇଛି । କହିବାକୁ ଗଲେ, ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ଫସି ଯାଇଛି ଏନଡିଏ ।…

(1) ରାଷ୍ଟ୍ରପତି ନିର୍ବାଚନ ହେଉ ବା ଉପରାଷ୍ଟ୍ରପତି ନିର୍ବାଚନ, ଏଥିରେ ନଥାଏ ଦଳୀୟ କିମ୍ବା ମେଣ୍ଟ ହ୍ବିପ୍ । କିନ୍ତୁ ଅଧିକାଂଶ ସମୟରେ ଆଞ୍ଚଳିକ ଅସ୍ମିତାର ଦବଦବା ଏବଂ ପ୍ରଭାବ ଦେଖିବାକୁ ମିଳିଛି । ୨୦୦୨ରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଥିଲେ ଡକ୍ଟର ଏ. ପି. ଜେ. ଅବଦ୍ଦୁଲ କଲାମ । ପ୍ରତିପକ୍ଷ ପ୍ରାର୍ଥୀ ଲକ୍ଷ୍ମୀ ସେହଗଲଙ୍କ ସହ ତାଙ୍କର ପ୍ରତିନ୍ଦ୍ବନ୍ଦିତା ହେଉଥିଲା । ସେତେବେଳେ ଏନଡିଏକୁ ବାହାରୁ ସମର୍ଥନ ଦେଉଥିଲା ଟିଡିପି । ଅବଦ୍ଦୁଲ୍ କଲାମ୍ ଦକ୍ଷିଣ ଭାରତୀୟ ହୋଇଥିବା ବେଳେ ତାଙ୍କୁ ସମର୍ଥନ କରି ମେଣ୍ଟ ଧର୍ମ ପାଳନ କରିଥିଲା ଟିଡିପି । ୨୦୦୭ରେ ଏନଡିଏ ସମର୍ଥିତ ପ୍ରାର୍ଥୀ ଭୈରୋଁ ସିଂ ଶେଖାୱତଙ୍କ ବିରୋଧରେ ୟୁପିଏ ସମର୍ଥିତ ପ୍ରାର୍ଥୀ ଥିଲେ ପ୍ରତିଭା ଦେବୀ ସିଂହ ପାଟିଲ । ଟିଡିପି ସେତେବେଳେ ଏନଡିଏ କିମ୍ବା ୟୁପିଏରେ ନଥିବା ବେଳେ ଆନ୍ଧ୍ରରେ ଥିଲା କଂଗ୍ରେସ ସରକାର । ଆଉ ଟିଡିପି ଥିଲା ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ । ରାଜ୍ୟର କଂଗ୍ରେସ ସରକାରକୁ ବିରୋଧ କରିବାକୁ ଯାଇ ରାଷ୍ଟ୍ରପତି ନିର୍ବାଚନରେ କଂଗ୍ରେସ ସମର୍ଥିତ ୟୁପିଏ ପ୍ରାର୍ଥୀ ପ୍ରତିଭା ଦେବୀ ସିଂହ ପାଟିଲଙ୍କୁ ଭୋଟ ଦେଇ ନଥିଲା ଟିଡିପି । ୨୦୧୨ରେ ୟୁପିଏ ସମର୍ଥିତ ରାଷ୍ଟ୍ରପତି ପ୍ରାର୍ଥୀ ପ୍ରଣବ ମୁଖାର୍ଜୀଙ୍କ ବିରୋଧରେ ଛିଡ଼ା ହୋଇଥିଲେ ପି. ଏ. ସାଙ୍ଗମା । ଟିଡିପି ସେତେବେଳେ ନା ୟୁପିଏରେ ଥିଲା ନା ଏନଡିଏରେ… ଭୋଟ ହିଁ ଦେଇ ନଥିଲା ନାଇଡୁଙ୍କ ଟିଡିପି । ୨୦୧୭ରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ଟକ୍କର ଦେଉଥିଲେ ୟୁପିଏ ସମର୍ଥିତ ପ୍ରାର୍ଥୀ ମୀରା କୁମାର । ସେତେବେଳେ ଟିଡିପି ଏନଡିଏର ଅଂଶୀଦାର ଥିଲା, ଆଉ କୋବିନ୍ଦଙ୍କ ସମର୍ଥନରେ ଭୋଟ ଦେଇଥିଲା । ୨୦୨୨ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ସମର୍ଥିତ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେଇଛି ଟିଡିପି ।…

(2) ୨୦୧୮ ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏର ପ୍ରାର୍ଥୀ ଥିଲେ ଭେଙ୍କେୟା ନାଇଡୁ । ଟିଡିପି ସେତେବେଳେ ଏନଡିଏରେ ଥିବା ବେଳେ ଆନ୍ଧ୍ରପ୍ରଦେଶ ଅସ୍ମିତାକୁ ଗୁରୁତ୍ବ ଦେଇ ଭେଙ୍କେୟା ନାଇଡୁଙ୍କୁ କରିଥିଲା ସମର୍ଥନ ।…

(3) ଏବେ ଆସନ୍ତୁ ଯିବା ନତୀଶ କୁମାରଙ୍କ ଜେଡିୟୁ ପାଖକୁ । ୨୦୦୨ରେ ଜେଡିୟୁ, ଏନଡିଏର ଅଂଶୀଦାର ଥିବା ବେଳେ ଅବଦ୍ଦୁଲ୍ କଲାମଙ୍କୁ କରିଥିଲା ସମର୍ଥନ । ଅର୍ଥାତ, ସେତେବେଳେ ମେଣ୍ଟ ଧର୍ମ ପାଳନ କରିଥିଲା ନୀତୀଶଙ୍କ ଜେଡିୟୁ । ୨୦୦୭ରେ ମଧ୍ୟ ଏନଡିଏ ସମର୍ଥିତ ପ୍ରାର୍ଥୀ ଭୈରୋଁ ସିଂହ ଶେଖାୱତଙ୍କୁ ସମର୍ଥନ କରିଥିଲା ଜେଡିୟୁ । ୨୦୧୨ରେ କିନ୍ତୁ ଏନଡିଏ ସମର୍ଥିତ ପ୍ରାର୍ଥୀ ପି. ଏ. ସାଙ୍ଗମାଙ୍କୁ ଭୋଟ ନଦେଇ ୟୁପିଏ ସମର୍ଥିତ ପ୍ରାର୍ଥୀ ପ୍ରଣବ ମୁଖାର୍ଜୀଙ୍କୁ ଭୋଟ ଦେଇଥିଲା ନୀତୀଶଙ୍କ ପାର୍ଟି । ସେତେବେଳେ ବ୍ୟକ୍ତିଗତ ପସନ୍ଦକୁ ପ୍ରାଥମିକତା ଦେଇଥିଲେ ନୀତୀଶ କୁମାର । ୨୦୧୭ ବେଳକୁ ଏନଡିଏରେ ନଥିଲା ଜେଡିୟୁ, ମହାଗଠବନ୍ଧନରେ ଥିଲା । କିନ୍ତୁ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦକୁ କରିଥିଲା ସମର୍ଥନ । ଆଉ ତାର କିଛିଦିନ ପରେ ମହାଗଠବନ୍ଧନ ଛାଡ଼ି ଏନଡିଏକୁ ଚାଲି ଯାଇଥିଲା ଜେଡିୟୁ । ୨୦୨୨ ବେଳକୁ ଜେଡିୟୁ, ଏନଡିଏରେ ଥିଲା । ଆଉ ଏନଡିଏ ପ୍ରାର୍ଥୀ ଦ୍ରୋପଦୀ ମୁର୍ମୁଙ୍କୁ ଭୋଟ ଦେବାର କିଛିଦିନ ପରେ ପୁଣି ଏନଡିଏ ଛାଡ଼ି ମହାଗଠବନ୍ଧନକୁ ଚାଲିଗଲେ ନୀତୀଶ କୁମାର । ୨୦୧୮ ବେଳକୁ ଜେଡିୟୁ, ଏନଡିଏରେ ଥିବା ବେଳେ, ଏନଡିଏ ସମର୍ଥିତ ଉପରାଷ୍ଟ୍ରପତି ପ୍ରାର୍ଥୀ ଭେଙ୍କେୟା ନାଇଡୁଙ୍କୁ କରିଥିଲା ସମର୍ଥନ ।…

(4) ଏବେ ଆସନ୍ତୁ ଯିବା ତାମିଲନାଡୁକୁ । ୨୦୦୨ରେ ଏନଡିଏର ଅଂଶୀଦାର ଥିଲା ଡିଏମକେ । ଆଉ ମେଣ୍ଟ ଧର୍ମ ଅନୁଯାୟୀ ମେଣ୍ଟ ସମର୍ଥିତ ପ୍ରାର୍ଥୀ ଏ. ପି. ଜେ. ଅବଦ୍ଦୁଲ୍ କଲାମଙ୍କୁ କରିଥିଲା ସମର୍ଥନ । ୨୦୦୭ ବେଳକୁ ଡିଏମକେ, ୟୁପିଏର ସହଯୋଗୀ ଥିବା ବେଳେ ପ୍ରତିଭା ଦେବୀ ସିଂହ ପାଟିଲଙ୍କୁ କରିଛି ସମର୍ଥନ । ୨୦୧୨ରେ ମଧ୍ୟ ୟୁପିଏ ଅଂଶୀଦାର ଥିଲା ଡିଏମକେ । ଆଉ ୟୁପିଏ ସମର୍ଥିତ ପ୍ରାର୍ଥୀ ପ୍ରଣବ ମୁଖାର୍ଜୀଙ୍କୁ ହିଁ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେଇଥିଲା ଡିଏମକେ । ସେହିଭଳି ୨୦୧୭ବେଳକୁ କଂଗ୍ରେସର ସହଯୋଗୀ ଥିବା ଡିଏମକେ, କଂଗ୍ରେସ ସମର୍ଥିତ ପ୍ରାର୍ଥୀ ମୀରା କୁମାରଙ୍କୁ କରିଥିଲା ସମର୍ଥନ । ୨୦୨୨ରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ନକରି, ବିରୋଧୀଙ୍କ ସମର୍ଥିତ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଡିଏମକେ କରିଥିଲା ସମର୍ଥନ ।…

(5) ୨୦୧୮ ଉପରାଷ୍ଟ୍ରପତି ନିର୍ବାଚନରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଗୋପାଳ କୃଷ୍ଣ ଗାନ୍ଧିଙ୍କୁ ଡିଏମକେ କରିଥିଲା ସମର୍ଥନ । ଭେଙ୍କେୟା ନାଇଡୁ ଦକ୍ଷିଣ ଭାରତର ହୋଇ ମଧ୍ୟ ତାଙ୍କୁ ସମର୍ଥନ କରି ନଥିଲା ଡିଏମକେ ।…

(6) ଦେଖିବାକୁ ଗଲେ, ରାଷ୍ଟ୍ରପତି ନିର୍ବାଚନ ହେଉ ବା ଉପରାଷ୍ଟ୍ରପତି ନିର୍ବାଚନ… ସବୁବେଳେ ମେଣ୍ଟ ସହ ହିଁ ରହି ଆସିଛି ଡିଏମକେ । କିନ୍ତୁ ଟିଡିପି ଏବଂ ଜେଡିୟୁ କ୍ଷେତ୍ରରେ କିଛିଟା ବ୍ୟତିକ୍ରମ ଦେଖିବାକୁ ମିଳିଛି । ଆଉ ସବୁଠାରୁ ବଡ଼ Observation ହେଉଛି, ଏହି ଦୁଇ ଦଳର ମୁଖିଆ ରାଜନୈତିକ ଦୃଷ୍ଟିକୋଣରୁ ଅଧିକାଂଶ ସମୟ ଭରସାଯୋଗ୍ୟ ନୁହଁନ୍ତି । ହଁ, ଏଠି ବା ଭୁଲ ରହିଲା କେଉଁଠି ! ରାଜନୀତିରେ ଯେଉଁଠି ଭରସା ନାହିଁ, ସେଠି ସ୍ବାର୍ଥ ନାହିଁ… ଆଉ ଯେଉଁଠି ସ୍ବାର୍ଥ ନାହିଁ, ସେଠି ଭରସା ଆସିବ ବା କେଉଁଠୁ ! ତେଣୁ ସେଇଥି ପାଇଁ ପରା କୁହାଯାଇଛି, ସ୍ବାର୍ଥ ସର୍ବସ୍ବ ରାଜନୀତିରେ ନା ଅଛି ଦୋସ୍ତି, ନା ଦୁଷ୍ମନି… ଅଛି କେବଳ ସ୍ବାର୍ଥ ।…

(7) ରାଷ୍ଟ୍ରପତି ନିର୍ବାଚନ ହେଉ କି ଉପରାଷ୍ଟ୍ରପତି ନିର୍ବାଚନ… ଏହି ଦୁଇ ନିର୍ବାଚନରେ ଆଞ୍ଚଳିକ ଅସ୍ମିତାର ଦବଦବା, ଅଧିକାଂଶ ସମୟ ଦେଖିବାକୁ ମିଳିଛି । ପୂର୍ବର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନଠାରୁ ଏଥରର ଉପରାଷ୍ଟ୍ରପତି ନିର୍ବାଚନ ସମ୍ପୂର୍ଣ୍ଣ ଭିନ୍ନ । ଏହାର ଏକମାତ୍ର କାରଣ ହେଉଛି ମାହୋଲ୍ ବା ରାଜନୈତିକ ମାହୋଲ୍ । ଏଥରର ଉପରାଷ୍ଟ୍ରପତି ନିର୍ବାଚନ, କେବଳ ‘ସି. ପି. ରାଧାକ୍ରିଷ୍ଣନ ବନାମ ବି. ସୁଦର୍ଶନ ରେଡ୍ଡୀ’ ନୁହେଁ କିମ୍ବା ‘South Vs South’ କିମ୍ବା ‘ତାମିଲ ବନାମ ତେଲୁଗୁ’ କିମ୍ବା ‘ଏନଡିଏ ବନାମ ଇଣ୍ଡିଆ’ ନୁହେଁ । ଅନେକାଂଶରେ ଏହା ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷାର ଲଢ଼େଇ । ତେଣୁ ଏଭଳି ସ୍ଥିତିରେ NaNi Factor ବା ନାଇଡୁ-ନୀତୀଶ Factor ଅନେକ କିଛି ଗୁରୁତ୍ବ ରଖୁଛି । ନାଇଡୁ-ନୀତୀଶ Factorକୁ ପ୍ରଭାବିତ କଲା ଭଳି ଆଉ ଏକ Factor, ସରକାର ନିଜେ ଛିଡ଼ା କରାଇ ଦେଇଛନ୍ତି । ତାହା ହେଉଛି ସମ୍ବିଧାନର 130ତମ ସଂଶୋଧନ, ଯେଉଁଥିରେ ପ୍ରାବଧାନ ରହିଛି ଯେ- ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟମନ୍ତ୍ରୀ ଯଦି କୌଣସି ଅପରାଧିକ ମାମଲାରେ ଗିରଫ ହୋଇ ୩୦ ଦିନ ପୋଲିସ କିମ୍ବା ଜେଲ୍ ହେପାଜତରେ ରହନ୍ତି, ତେବେ ତାଙ୍କ ପଦ ସ୍ବୟଂ ଚାଲିଯିବ । ବିରୋଧୀଙ୍କ କହିବା କଥା, ଏହା ସମ୍ପୂର୍ଣ୍ଣ ଅସାମ୍ବିଧାନିକ ହୋଇଥିବା ବେଳେ କେବଳ ବିରୋଧୀ ଏବଂ ଆଞ୍ଚଳିକ ରାଜନୈତିକ ଦଳଙ୍କୁ ଟାର୍ଗେଟ କରିବା ବିଜେପିର ଲକ୍ଷ୍ୟ । ଭବିଷ୍ୟତରେ ନିର୍ବାଚନ ନିରଙ୍କୁଶତା ବଜାୟ ରଖିବାକୁ ବିଜେପି ଏଭଳି ବିଲ୍ ଆଣିଥିବା କହୁଛନ୍ତି ବିରୋଧୀ । ତେଣୁ ଏଭଳି ସ୍ଥିତିରେ ଏହି ବିଲ୍ ମଧ୍ୟ ଉପରାଷ୍ଟ୍ରପତି ନିର୍ବାଚନ ଉପରେ ପ୍ରଭାବ ପକାଇବା ସମ୍ଭାବନା ରଖୁଛି ।…

(8) ଯଦି ଅବିଭାଜିତ ଆନ୍ଧ୍ରପ୍ରଦେଶର ସମସ୍ତ ରାଜନୈତିକ ଦଳ, ଏହି ବିଲକୁ ଦେହକୁ ନେଇ… ପୁଣି ସମ୍ବିଧାନ ଓ ଗଣତନ୍ତ୍ରକୁ ପ୍ରାଧାନ୍ୟ ଦେବାକୁ ଯାଇ… ଯଦି ତେଲୁଗୁ ଅସ୍ମିତାକୁ ଆଗ କରନ୍ତି… ଏବଂ ଉପରାଷ୍ଟ୍ରପତି ନିର୍ବାଚନରେ ବି. ସୁଦର୍ଶନ ରେଡ୍ଡୀଙ୍କୁ ସମର୍ଥନ କରନ୍ତି… ତେବେ କଣ ହେବ ଏନଡିଏର ଅବସ୍ଥା !…

(9) ଲୋକସଭାରେ ଟିଡିପିର ୧୬ ସାଂସଦ ଥିବା ବେଳେ ରାଜ୍ୟସଭାରେ ଅଛନ୍ତି ୨ । ସେହିଭଳି ଜଗନ ମୋହନ ରେଡ୍ଡୀଙ୍କ YSRCPର ଲୋକସଭାରେ ୪ ଏବଂ ରାଜ୍ୟସଭାରେ ୭ ସାଂସଦ ଅଛନ୍ତି । ପବନ କଲ୍ୟାଣଙ୍କ ଜନସେନାର କେବଳ ଲୋକସଭାରେ ୨ ଜଣ ସାଂସଦ ଅଛନ୍ତି । ଏମିତିରେ ଦେଖିବାକୁ ଗଲେ ଆନ୍ଧ୍ରପ୍ରଦେଶରୁ ମୋଟ ୩୧ ଜଣ ସାଂସଦ ଅଛନ୍ତି । ସେପଟେ ଲୋକସଭାରେ କେସିଆରଙ୍କ BRSର ୪ ଏବଂ ଆସାଦ୍ଦୁଦ୍ଦିନ ଅୱେସୀ AIMIM ତରଫରୁ ଏକମାତ୍ର ରାଜ୍ୟସଭା ସଦସ୍ୟ ଅଛନ୍ତି । ଏମିତିରେ ଦେଖିବାକୁ ଗଲେ ଅବିଭାଜିତ ଆନ୍ଧ୍ରପ୍ରଦେଶରୁ ୩୬ ସାଂସଦ ଅଛନ୍ତି । ସେପଟେ ନୀତୀଶଙ୍କ ଜେଡିୟୁର ଲୋକସଭାରେ ୧୨ ଏବଂ ରାଜ୍ୟସଭାରେ ୪ ସାଂସଦ, ଏମିତି ୧୬ ଜଣ ଅଛନ୍ତି । ଦେଖିବାକୁ ଗଲେ ଏଇଠି ୫୨ ହୋଇଗଲାଣି, ଯାହା ବିଜେପି ନେତୃତ୍ବାଧୀନ ଏନଡିଏର ଗଣତିରେ ରହିଛି । କିନ୍ତୁ ଗ୍ୟାରେଣ୍ଟି ଅଛି କି ? ଆଉ ଯଦି ଗ୍ୟାରେଣ୍ଟି ନାହିଁ, ତେବେ ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପାଇଁ ବିଜୟ କେମିତି ଯେ ସହଜ ହେବ ! ଯଦି ସବୁ ଫ୍ୟାକ୍ଟରକୁ ବିଚାରକୁ ନେଇ ନାଇଡୁ ଏବଂ ନୀତୀଶ ବା NaNi ଭିନ୍ନ କିଛି ନିଷ୍ପତ୍ତି ନିଅନ୍ତି, ତେବେ ଚିରାଗ ପାଶୱାନ ଏବଂ ଜୟନ୍ତ ଚୌଧୁରୀଙ୍କ ଭଳି ଅଧିକାଂଶ ଆଞ୍ଚଳିକ ରାଜନୈତିକ ଦଳର ନେତୃତ୍ବ ବା କାହିଁକି ଏଭଳି ନିଷ୍ପତ୍ତି ନେଇ ନପାରିବେ ! ସମ୍ବିଧାନ କ୍ଲବ୍ ରାଷ୍ଟ୍ରପତି ନିର୍ବାଚନରେ ଯଦି ସମ୍ଭବ, ଅସମ୍ଭବ ଏବଂ ଅସମ୍ଭବ, ସମ୍ଭବ ହୋଇଗଲା… ତେବେ ଉପରାଷ୍ଟ୍ରପତି ନିର୍ବାଚନରେ ସେମିତି କିଛି ଯେ ନହେବ, ତା କିଏ କହିବ !…

Leave a Reply

Your email address will not be published. Required fields are marked *