ସିନ୍ଦୂର କହିବ, ସ୍ବାମୀ କାହାର…

BHUBANESWAR: ଭାରତୀୟ ନାରୀ ମଥାର ସିନ୍ଦୂର, କେବେ ବି ବାଟର ହାଟ ସଉଦା ନୁହେଁ । ଏହା ନାରୀ ସୌନ୍ଦର୍ଯ୍ୟର ଏକ ପରିପ୍ରକାଶ ହୋଇପାରେ ସତ, କିନ୍ତୁ ଏହା ଛଳ, କପଟ କିମ୍ବା ମିଥ୍ୟାର କେବେ ବି ପରିପ୍ରକାଶ ନୁହେଁ । ସତୀତ୍ବର ଅନେକ ସଜ୍ଞା ବାହାରିପାରେ, ହେଲେ ସିନ୍ଦୂରର ନୁହେଁ । ସିନ୍ଦୂର ପରା ସ୍ବାମୀ-ସ୍ତ୍ରୀ, ସମ୍ପର୍କର ଅସ୍ମିତା । ସ୍ତ୍ରୀ ମଥାରେ ସ୍ବାମୀର ଅସ୍ମିତା…

() ହଁ ଆଜ୍ଞା, ଆମେ ସେହି ଅସ୍ମିତାର କଥା କହୁଛୁ । ଉପ-ରାଷ୍ଟ୍ରପତି ନିର୍ବାଚନରେ ତାମିଲ ବନାମ ତେଲୁଗୁର କଥା କହୁଛୁ… ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ସି. ପି. ରାଧାକ୍ରିଷ୍ଣନ ବନାମ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ବି. ସୁଦର୍ଶନ ରେଡିଙ୍କ କଥା କହୁଛୁ । କହିବାକୁ ଗଲେ, ରାଜନୀତି ଏବେ South Vs Southରେ ହିଁ ଅଟକି ରହିଛି । ଇତିହାସରେ ପ୍ରଥର ଥର ପାଇଁ ଦେଶର ଦ୍ବିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଥିବା ବ୍ୟକ୍ତିତ୍ବ ଇସ୍ତଫା ଦେଲେ । ବିଦାୟକାଳୀନ ସମ୍ବର୍ଦ୍ଧନା କଥା ଛାଡ଼ନ୍ତୁ, ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏବେ କେଉଁଠି, ତାହା ଦେଶବାସୀ କିମ୍ବା ବିଶ୍ବବାସୀ ଏଯାଏଁ, ଜାଣିପାରିଲେ ନାହିଁ । କିନ୍ତୁ ଏସବୁ ଭିତରେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ସଠିକ ଅନୁପାଳନ କରାଯାଇଛି । ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ସଂକ୍ରାନ୍ତ ବିଜ୍ଞପ୍ତି ସଠିକ ସମୟରେ ବାହାରିଥିବା ବେଳେ ଆସନ୍ତା ସେପ୍ଟେମ୍ବର 9ରେ ହେବାକୁ ଯାଉଛି ନିର୍ବାଚନ । ଅଗଷ୍ଟ ୨୧ ନାମାଙ୍କନ ଦାଖଲ ପୂର୍ବରୁ ବିଜେପି ନେତୃତ୍ବାଧୀନ ଏନଡିଏ ଏବଂ ବିରୋଧୀ ଇଣ୍ଡିଆ ମେଣ୍ଟ, ସେମାନଙ୍କ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି । ମହାରାଷ୍ଟ୍ରର ବର୍ତ୍ତମାନର ରାଜ୍ୟପାଳ ସି. ପି. ରାଧାକ୍ରିଷ୍ଣନଙ୍କୁ ଏନଡିଏ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବି. ସୁଦର୍ଶନ ରେଡିଙ୍କୁ ପ୍ରାର୍ଥୀ କରିଛି ଇଣ୍ଡିଆ ମେଣ୍ଟ । ସୁଦର୍ଶନ ରେଡି ତେଲୁଗୁ ହୋଇଥିବା ବେଳେ ରାଧାକ୍ରିଷ୍ଣନ ତାମିଲ । ଏନଡିଏ, ପ୍ରଥମେ ରାଧାକ୍ରିଷ୍ଣନଙ୍କ ନାଁ ଘୋଷଣା କରିବା ପରେ ଗୋଦି ମିଡିଆ କୁରୁଳି ଉଠିଲା । ରାଧାକ୍ରିଷ୍ଣନଙ୍କୁ ନେଇ ଆରମ୍ଭ ହୋଇଗଲା, ତାମିଲ ଅସ୍ମିତା ବନାମ ଷ୍ଟାଲିନଙ୍କ ଡିଏମକେର ରାଜନୈତିକ ଆଭିମୁଖ୍ୟ ଚର୍ଚ୍ଚା । କିନ୍ତୁ ଏବେ ଇଣ୍ଡିଆ ମେଣ୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ବି. ସୁଦର୍ଶନ ରେଡିଙ୍କ ନାଁ ଘୋଷଣା କରି, ଏନଡିଏର ଟେନସନ ବଢ଼ାଇ ଦେଇଛି ।…

() South Vs Southକୁ ନେଇ ଏବେ ହରଡ଼ଘଣାରେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି । ୱାକଫ୍ ବୋର୍ଡ ସଂଶୋଧନ ବିଲକୁ ଅସନ୍ତୋଷରେ ସମର୍ଥନ ଦେଇଥିବା ନାଇଡୁଙ୍କ ଟିଡିପି, ନଭେମ୍ବରରେ କି ନିଷ୍ପତ୍ତି ନେବେ, ତାହା ହୁଏତ, ଏବେଠୁ କହିବା ସମ୍ଭବପର ହୋଇ ନପାରେ, କିନ୍ତୁ, ଏହା ସତ ଯେ, ବିହାରରେ ହେଉଥିବା’SIR’ ଅଭିଯାନ ଉପରେ ନାଇଡୁଙ୍କ ଟିଡିପି ଏଯାଏ କୌଣସି ପ୍ରତିକୂଳ ବା ଅନୁକୂଳ ମନ୍ତବ୍ୟ ଦେଇନି । ପୁଣି ଏହା ବି ସତ ଯେ, ଗତ ୧୪ ମାସ ମଧ୍ୟରେ ନାଇଡୁଙ୍କ ମୁହଁରୁ, ବିରୋଧୀଙ୍କୁ କିମ୍ବା ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରିବା ଦେଖିବାକୁ ମିଳିନି । କିନ୍ତୁ ଏବେ ଉପରାଷ୍ଟ୍ରପତି ନିର୍ବାଚନରେ, ବିଶେଷକରି ଇଣ୍ଡିଆ ମେଣ୍ଟ ସୁଦର୍ଶନ ରେଡିଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ… ଦ୍ବନ୍ଦ୍ବରେ ନାଇଡୁଙ୍କ ଟିଡିପି । ଏବେ ନାଇଡୁଙ୍କ ପାଇଁ କେଉଁ ଅସ୍ମିତା ବଡ଼ ? ତାମିଲ ଅସ୍ମିତା ନା ତେଲୁଗୁ ଅସ୍ମିତା ?

() ଭେଙ୍କେୟା ନାଇଡୁଙ୍କୁ ଯେତେବେଳେ ଏନଡିଏ, ରାଷ୍ଟ୍ରପତି ପ୍ରାର୍ଥୀ କଲାନି, ସେତେବେଳେ ଟିଡିପି ସମେତ, ଆନ୍ଧ୍ରପ୍ରଦେଶର ସମସ୍ତ ରାଜନୈତିକ ଦଳ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାର ଲୋକେ ମଧ୍ୟ କମ ଅସନ୍ତୁଷ୍ଟ ନଥିଲେ । କିନ୍ତୁ ଏବେ ତେଲଙ୍ଗାନା ମାଟିର ପୁଅ ସୁଦର୍ଶନ ରେଡିଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିଛି ଇଣ୍ଡିଆ ମେଣ୍ଟ । ସୁଦର୍ଶନ ରେଡିଙ୍କ ସହ ନାଇଡୁଙ୍କର ସମ୍ପର୍କ ବହୁତ ଭଲ । କିନ୍ତୁ ଏବେ ସେ କି ନିଷ୍ପତ୍ତି ନେବେ ? କଂଗ୍ରେସ ପ୍ରତି ଅସୀମ ଘୃଣା ରହିଥିଲେ ମଧ୍ୟ, ଦିଲ୍ଲୀ ଅବକାରୀ ଦୁର୍ନୀତିରେ, ଝିଅ କେ. କବିତାଙ୍କ ଜେଲ ଯିବା ଘଟଣାକୁ ଭାରତ ରାଷ୍ଟ୍ର ସମିତି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଭୁଲି ପାରିବେ କି ? ଏଠି କାହାକୁ ସମର୍ଥନ କରିବ କେସିଆରଙ୍କ BRS ? କଣ କରିବେ YSR କଂଗ୍ରେସ ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡି ? ଏନଡିଏ ପ୍ରାର୍ଥୀଙ୍କୁ ନା ଇଣ୍ଡିଆ ମେଣ୍ଟ ପ୍ରାର୍ଥୀଙ୍କୁ ସମର୍ଥନ କରିବ ଜଗନଙ୍କ YSR କଂଗ୍ରେସ ? ପ୍ରଣବ ମୁଖାର୍ଜୀ ଯେତେବେଳେ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିଲେ, ସେତେବେଳେ ରାଜନୈତିକ ଦଳ ନିର୍ବିଶେଷରେ ପଶ୍ଚିମବଙ୍ଗର ସମସ୍ତ ରାଜନୈତିକ ଦଳ ସମର୍ଥନ କରିଥିଲେ । ମାଆ, ମାଟି, ମାନୁଷର କଥା କହି ପ୍ରଣବ ଦା’ଙ୍କୁ ସମର୍ଥନ କରିଥିଲା ଦିଦି ଓରଫ ମମତା ବାନାର୍ଜୀଙ୍କ ଟିଏମସି । ପ୍ରତିଭା ଦେବୀ ସିଂହ ପାଟିଲଙ୍କ କ୍ଷେତ୍ରରେ ମଧ୍ୟ ସେମିତି ହୋଇଥିଲା । ଏନଡିଏରେ ଥାଇ ମଧ୍ୟ ଉଦ୍ଧବ ଥାକରେଙ୍କ ସେତେବେଳର ଶିବସେନା, ମରାଠା ଅସ୍ମିତାର କଥା କହି, ପ୍ରତିଭା ଦେବୀ ସିଂହ ପାଟିଲଙ୍କୁ ଦେଇଥିଲା ପୂର୍ଣ୍ଣ ସମର୍ଥନ । ଆଉ ଏବେ ଉପରାଷ୍ଟ୍ରପତି ନିର୍ବାଚନରେ ଉଭୟ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନା ପାଇଁ ସେହିଭଳି ପରିସ୍ଥିତି ସୃଷ୍ଟି ହୋଇଛି ।…

() ଏବେ ଆସନ୍ତୁ, କେନ୍ଦ୍ର ରାଜନୀତିକୁ ଟିକେ, ଓଡ଼ିଶା ରାଜନୀତିର Lenseରେ ଦେଖିବା । ଉଭୟ ଏନଡିଏ ଏବଂ ଇଣ୍ଡିଆର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ହେବା ପରେ, ୧୯ ତାରିଖ ଅର୍ଥାତ ମଙ୍ଗଳବାର ଏହା ହିଁ, ଜାତୀୟ ରାଜନୀତିରେ ଏବଂ ଜାତୀୟ ଗଣମାଧ୍ୟମରେ Hot Topic ହୋଇଥିଲା । କିନ୍ତୁ ରାଜ୍ୟରେ ବିଜେଡି ଉଠାଇଲା, ଆଗକୁ ହେବାକୁ ଯାଉଥିବା ‘SIR’ ପ୍ରସଙ୍ଗ । ଅବଶ୍ୟ, ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶିତ ହୋଇସାରିଛି । ତେଣୁ ରାଜ୍ୟରେ ଏ ଖବରର ଯଥେଷ୍ଟ ପ୍ରାଧାନ୍ୟ ରହିଛି । ବିଜେଡି, ଏ ବାବଦରେ ସାମ୍ବାଦିକ ସମ୍ମିଳନୀ କରି ଅସନ୍ତୋଷ ଜାହିର କରିବା ଏକ ପ୍ରକାର ଠିକ ଅଛି । ହେଲେ, ବିହାରର ‘SIR’ ଅଭିଯାନ ସହ ରାହୁଲଙ୍କ ‘ଭୋଟ ଚୋରି’ ଅଭିଯୋଗର ଶତ ପ୍ରତିଶତ ସାମଞ୍ଜସ୍ୟ ଥିଲେ ମଧ୍ୟ, ରାହୁଲଙ୍କ ମନ୍ତବ୍ୟ ଉପରେ, ବିଜେଡି ଏଯାଏଁ ମୁହଁ ଖୋଲିନି । କିନ୍ତୁ ରାଜ୍ୟରେ ‘SIR’ ହେବାକୁ ଯାଉଥିବା ଶୁଣି, ତରବରିଆ ଭାବେ, ସାମ୍ବାଦିକ ସମ୍ମିଳନୀ କରିଛି । ତୀବ୍ର ବିରୋଧ କରିଛି… ଯେତେବେଳ କି, ବିହାରରେ ହେଉଥିବା ‘SIR’ ଅଭିଯାନ ଉପରେ, ଦିଲ୍ଲୀରେ ଚାଲିଥିବା ଉଠାପକା ରାଜନୀତିର କୌଣସି ଫ୍ରେମରେ ହିଁ ବିଜେଡିକୁ ଦେଖିବାକୁ ମିଳିନି ।…

() କଂଗ୍ରେସ ଓ ବିଜେପିଠାରୁ ବିଜେଡି, ସମଦୂରତା ଅବଲମ୍ବନ କରି ଆସୁଥିବା ଏବେ ବି କହି ଚାଲିଛି । କିନ୍ତୁ ୨୦୧୪ ପରଠାରୁ ବିଜେଡିର ଏହି ସମଦୂରତାର କୋଣ, କେତେ ଡିଗ୍ରୀରେ ରହିଛି, କୁଆଡ଼େ ଢଳିଛି… ତାହା କେହି କେବେ ଅନୁଶୀଳନ କରିଛନ୍ତି କି ? …

() ଯେତେବେଳେ କି, ୩ ଅପରାଧିକ ସଂଶୋଧନ ବିଲକୁ ବିରୋଧ କରି, ବିରୋଧୀ ପକ୍ଷର ୧୪୬ ସାଂସଦ ନିଲମ୍ବିତ ହେଲେ, ସେତେବେଳେ କେନ୍ଦ୍ର ସରକାରଙ୍କ ପାଖରେ ଚଟ୍ଟାଣ ଭଳି ଛିଡ଼ା ହୋଇଥିଲା ବିଜେଡି । ୱାକଫ୍ ବୋର୍ଡ ସଂଶୋଧନ ବିଲ୍ ଉପରେ ବିଜେଡିର ବିବେକାନୁମୋଦିତ ନିଷ୍ପତ୍ତି, ଅନେକ କିଛି ସ୍ପଷ୍ଟ କରିଦେଇଛି । ଆଉ ଏବେ ଆସି ପହଞ୍ଚି ଯାଇଛି ଉପରାଷ୍ଟ୍ରପତି ନିର୍ବାଚନ… କାହାକୁ ସମର୍ଥନ କରିବ ବିଜେଡି ? କାହା ପାଇଁ ବିବେକାନୁମୋଦିତ ନିଷ୍ପତ୍ତି ନେବ ? ଭୋଟିଂରେ ଭାଗ ନେବ ନାଁ, ସମଦୂରତାର ଆଳ ଦେଖାଇ ବିରତ ରହିବ ବିଜେଡି !…

() ଉପରାଷ୍ଟ୍ରପତି ନିର୍ବାଚନ ଏବେ ମୁଖ୍ୟତଃ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଓ ତାମିଲନାଡୁ ରାଜନୀତି ଉପରେ କେନ୍ଦ୍ରିତ ହୋଇଛି । ସି. ପି. ରାଧାକ୍ରିଷ୍ଣନଙ୍କୁ ଏନଡିଏ ପ୍ରାର୍ଥୀ କରି ତାମିଲନାଡୁରେ ଇଣ୍ଡିଆ ମେଣ୍ଟର ରାଜନୀତିକୁ ହଲଚଲ୍ କରିବାକୁ ଚେଷ୍ଟା କରିଥିବା ବେଳେ ସୁଦର୍ଶନ ରେଡିଙ୍କୁ ନେଇ ଉଭୟ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ ଏନଡିଏକୁ ଚେକ୍ ଦେଇଛି ଇଣ୍ଡିଆ ମେଣ୍ଟ । ଆଉ ସେପଟେ ବିଜେଡି ଉପରେ ମଧ୍ୟ ରହିଛି ସମସ୍ତଙ୍କ ନଜର । ଏଇଠି ହିଁ ସିନ୍ଦୂର ସ୍ପଷ୍ଟ କରିବ, କିଏ କାହାର ସ୍ବାମୀ…

Leave a Reply

Your email address will not be published. Required fields are marked *