୨ରୁ ୧୮ ବର୍ଷର ପିଲାଙ୍କ ଉପରେ ହେବ ଭାକସିନ୍ର ଟ୍ରାଏଲ୍, ମଞ୍ଜୁରି ପ୍ରଦାନ କଲା ଡିସିଜିଆଇ
ନୂଆଦିଲ୍ଲୀ, (ଓଡିଶା ଟାଇମ୍):କରୋନା ବିରୋଧି ଲଢେଇରେ ଆଉ ଏକ ବଡ ପଦକ୍ଷେପ ନେଇଛନ୍ତି ସରକାର । ଗୁରୁବାର ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ ଅଫ୍ ଇଣ୍ଡିଆ ବା ଡିସିଜିଆଇ ୨ରୁ ୧୮ ବର୍ଷ ବ୍ୟକ୍ତିଙ୍କ ଉପରେ ଟିକା ଟ୍ରାଏଳ ନେଇ ଅନୁମତି ପ୍ରଦାନ କରିଛନ୍ତି । ପୂର୍ବରୁ ଭାକସିନ୍ ଉପରେ ନଜର ରଖୁଥିବା ସବଜେକ୍ଟ ଏକ୍ସପର୍ଟ ଟ୍ରାଏଲ ନେଇ ସୁପାରିଶ କରିଥିଲା ।
ସୂଚନା ଅନୁସାରେ, ଭାରତ ବାୟୋଟେକ୍ ପକ୍ଷରୁ ଏହି ଟ୍ରାଏଲ ୫୨୫ ସ୍ୱେଚ୍ଛାସେବୀଙ୍କ ଉପରେ କରାଯିବ । ଏହା ୨ରୁ ୧୮ ବର୍ଷ ବୟସର ପିଲାଙ୍କ ଉପରେ କରାଯାଉଥିବା କ୍ଲିନିକାଲ ଟ୍ରାଏଲର ଫେଜ୍ ୨ ଓ ଫେଜ୍ ୩ ହେବ । ଟ୍ରାଏଲ ବେଳେ ପ୍ରଥମ ଓ ଦ୍ୱିତୀୟ ଡୋଜ୍ ମଧ୍ୟରେ ୨୮ ଦିନ ବ୍ୟବଧାନ ରହିବ ।
ଦିଲ୍ଲୀ ଏବଂ ପାଟନା ଏମସ୍ ସହିତ ନାଗପୁରର ମେଡିଟ୍ରିନା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଏହି ଟିକାର କ୍ଲିନିକାଲ ଟ୍ରାଏଲ କରାଯିବ ବୋଲି ସୂଚନା ମିଳିଛି। ଭାରତରେ ଆଗାମୀ ଦିନରେ କରୋନାର ତୃତୀୟ ଲହର ଆସିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି । ଏଥିରେ ଶିଶୁ ଓ କିଶୋରମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଏମାନେ କିଭଳି ସୁରକ୍ଷିତ ରହିପାରିବେ ସେନେଇ ତତ୍ପରତା ବଢିଛି ।