ଆଜି କେବଳ ଭୁବନେଶ୍ୱରରେ, କାଲିଠୁ ପୁଣି ଅନ୍ୟ ଜିଲ୍ଲାରେ ଟିକାକରଣ
ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜିଠାରୁ ରାଜ୍ୟରେ ପୁଣି ଆରମ୍ଭ ହେଉଛି କୋଭିଡ୍ ଟିକାକରଣ । ଆଜି କେବଳ ଭୁବନେଶ୍ୱରରେ ଟିକାକରଣ କରାଯିବ । ଆସନ୍ତାକାଲିଠାରୁ ଅନ୍ୟ ଜିଲ୍ଲାରେ ଭ୍ୟାକସିନେସନ୍ ହେବ । ରାଜ୍ୟରେ ୩ ଲକ୍ଷ ୫୦ ହଜାର ୭୨୬ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି।
ଏପର୍ଯ୍ୟନ୍ତ ରାଜ୍ୟରେ ୧ ଲକ୍ଷ ୭୭ ହଜାର ୯୦ ଜଣ କରୋନା ଟିକା ନେଇଛନ୍ତି। ବାକି ୧ ଲକ୍ଷ ୭୩ ହଜାର ୬୩୬ ଜଣଙ୍କୁ ଟିକା ଦିଆଯିବ । ଫେବୃୟାରୀ ୧୦ ଯାଏ ଟିକାକରଣ ହେବ। କେବେ କେଉଁଠାରେ ଟିକାକରଣ କରାଯିବ ସେନେଇ ଜିଲ୍ଲାସ୍ତରରୁ ମାଇକ୍ରୋ ପ୍ଲାନ୍ ଆସିବା ପରେ ସେହି ଅନୁସାରେ ଟିକାକରଣ ହେବ ବୋଲି ଜଣାପଡ଼ିଛି । ଅର୍ଥାତ୍ କେବେ କେଉଁଠି ଓ କେତେଜଣ ଲୋକଙ୍କୁ ଟିକା ଦିଆଯିବ ସେ ନେଇ ଜିଲ୍ଲାଗୁଡ଼ିକ ରିପୋର୍ଟ ଦେବେ।
ଯେଉଁମାନେ ପଞ୍ଜିକୃତ ହୋଇ ଟୀକା ନେଇ ନାହାନ୍ତି, ସେମାନଙ୍କୁ ପର୍ଯ୍ୟାୟକ୍ରମେ ପୁଣି ଡକାଯିବ ବୋଲି ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ରାଜସ୍ୱ, ଗୃହ ଓ ନଗର ଉନ୍ନୟନ ବିଭାଗର ସମ୍ମୁଖ ଯୋଦ୍ଧାଙ୍କ ପଞ୍ଜୀକରଣକୁ ଜାନୁଆରି ୩୧ ଯାଏ ବୃଦ୍ଧି କରାଯାଇଛି।