ଆତଙ୍କବାଦୀଙ୍କ ମୁକାବିଲା କରିବେ ମହିଳା କମାଣ୍ଡୋ
ଡେରାଡୁନ, (ଓଡିଶା ଟାଇମ୍) :ଉତ୍ତରାଖଣ୍ଡରେ ଏଣିକି ଆତଙ୍କବାଦୀ କାର୍ଯ୍ୟକଳାପ ଓ ଅପରେସନରେ ସାମିଲ ହେବେ ମହିଳା କମାଣ୍ଡୋ। ପ୍ରଥମଥର ଉତ୍ତରାଖଣ୍ଡରେ ୨୨ ଜଣ ମହିଳା କମାଣ୍ଡୋଙ୍କୁ ନେଇ ଆତଙ୍କବାଦ ନିରୋଧ ସ୍କ୍ୱାଡ ଗଠନ କରାଯାଇଛି। ଏହି ସ୍କ୍ୱାଡ୍ରେ କେବଳ ମହିଳା କମାଣ୍ଡୋମାନେ ରହିଛନ୍ତି। ସେମାନେ ବିଦ୍ରୋହୀଙ୍କ ବିରୋଧରେ ମଧ୍ୟ ପୁରୁଷ କମାଣ୍ଡୋଙ୍କ ଭଳି ଅପରେସନ କରିବେ। ମଙ୍ଗଳବାର ଉତ୍ତରାଖଣ୍ଡ ପୁଲିସ୍ ଏହି ମହିଳା ଆତଙ୍କବାଦ ନିରୋଧ ସ୍କ୍ୱାଡ(ଏଟିଏସ)କୁ ହରିଦ୍ୱାରର ମହାକୁମ୍ଭରେ ମୁତୟନ କରିଛି।
ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ରମ ସିଂହ ରାୱତ କହିଛନ୍ତି, ୪ର୍ଥ ରାଜ୍ୟ ଭାବେ ଉତ୍ତରାଖଣ୍ଡରେ କେବଳ ମହିଳା କମାଣ୍ଡୋ ରହିଥିବା ଏଟିଏସ୍ ଗଠନ କରିଛି। ଏହା ଆମ ପାଇଁ ଗର୍ବ ଓ ଗୌରବର ବିଷୟ। ଏହା ମହିଳାଙ୍କୁ ଫୋର୍ସରେ ସାମିଲ ହେବାକୁ ପ୍ରେରଣା ଯୋଗାଇବ ଓ ଦେଶର ସେବା କରିବାକୁ ଉତ୍ସାହିତ କରିବ।
୨୦୧୮ରେ ପ୍ରଥମ ରାଜ୍ୟ ଭାବେ ଦିଲ୍ଲୀରେ ମହିଳା କମାଣ୍ଡୋଙ୍କୁ ନେଇ ଏଟିଏସ୍ ସ୍ୱାଟ ଟିମ୍ ଗଠନ କରାଯାଇଥିଲା। ଚଳିତ ମାସରେ କର୍ଣ୍ଣାଟକା ସମସ୍ତ ମହିଳା ଥିବା ଗରୁଡ଼ କମାଣ୍ଡୋଙ୍କ ଟ୍ରେନିଂ ମଧ୍ୟ ଆରମ୍ଭ କରିଛି। ଆତଙ୍କବାଦୀ ନିରୋଧ ୟୁନିଟ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ରହିଛି।
ଏହି ସ୍କ୍ୱାଡରେ ଥିବା ସଦସ୍ୟଙ୍କୁ ଘଞ୍ଚ ଜଙ୍ଗଲ, ବିଦ୍ରୋହୀଙ୍କୁ କେମିତି ମୁକାବିଲା କରାଯିବ, ଅସ୍ତ୍ରଶସ୍ତ୍ରର ବ୍ୟବହାର, ଆଇଇଡିର ମୁକାବିଲା ଓ ଆତ୍ମରକ୍ଷାର ମାର୍ଶଲ ଆକ୍ଟ ବିଷୟରେ ସ୍ୱତନ୍ତ୍ର ଭାବେ ତାଲିମ ଦିଆଯାଇଛି।











