ଉତ୍ତରାଖଣ୍ଡରେ ଜଳପ୍ରଳୟ : ୫୨ ମୃତ
ଡ଼େରାଡ଼ୁନ୍, (ଓଡିଶା ଟାଇମ୍): ଉତ୍ତରାଖଣ୍ଡରେ ମୂଷଳଧାରାରେ ବର୍ଷା ପରେ ବନ୍ୟା ବିତ୍ପାତ ସୃଷ୍ଟି ହୋଇଛି । ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି । ଏବେସୁଦ୍ଧା ୫୨ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ସ୍ଥାନରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ରାସ୍ତାଘାଟ ପୋଖରୀର ଭ୍ରମ ସୃଷ୍ଟି କରୁଛି । ବଜାରଘାଟ ସବୁ ପାଣିରେ ବୁଡି ରହିଛି । ଅନେକ ବ୍ୟକ୍ତି ଖାଦ୍ୟପେୟ ମଧ୍ୟ ପାଉନାହାଁନ୍ତି ।
ସ୍ଥାନୀୟ ଲୋକଙ୍କ କହିବାନୁସାରେ, ବୁଧବାର ସନ୍ଧ୍ୟା ୬ଟା ପରେ ଜଳସ୍ତର ବଢିଥିଲା । ଏନେଇ ଦୋକାନୀଙ୍କୁ ସତର୍କ କରାଯାଇଥିଲା । ତଥାପି ବଜାରଘାଟ ବୁଡି ଯାଇଥିଲା । ଅନେକ ବ୍ୟକ୍ତି ଏପରି ବନ୍ୟା ଦେଖିନଥିବା କହିଛନ୍ତି । ଆଉ କିଛି ସ୍ଥାନୀୟ ଲୋକେ ଯିବା ଆସିବା ପାଇଁ ବହୁ ଅସୁବିଧାର ସାମ୍ନା କରୁଛନ୍ତି । ସେ ଟ୍ରାକ୍ଟର ଜରିଆରେ ଯିବା ଆସିବା କରୁଛନ୍ତି । ଏଥିପାଇଁ ଟ୍ରାକ୍ଟର ଡ୍ରାଇଭର ଅଧିକ ଅର୍ଥ ମଧ୍ୟ ଦାବି କରୁଛନ୍ତି । ଏହାସତ୍ତ୍ୱେ ପାଣିରେ ବୁଡି ଯିବାର ଭୟ ରହିଛି । ରାଜ୍ୟର ପାହାଡିଆ ଅଞ୍ଚଳରେ ପାଣି କମିଥିବା ବେଳେ ତଳିଆ ଅଞ୍ଚଳ ଜଳମଗ୍ନ ହୋଇ ରହିଛି । କେଉଁଆଡେ ଯିବାକୁ ହେଲେ ବନ୍ୟାଜଳ ଦେଇ ଯିବାକୁ ପଡୁଛି ।
ରାଜ୍ୟରେ ପରିସ୍ଥିତିର ମୁକାବିଲା ପାଇଁ ଏନଡିଆରଏଫ ଟିମ୍ ନିୟୋଜିତ ହୋଇଛି । ୧୩୦୦ରୁ ଅଧିକଙ୍କୁ ବନ୍ୟା ପ୍ରଭାବିତ ଅଞ୍ଚଳରୁ ଉଦ୍ଧାର କରାଯାଇଛି । ଏନଡିଆରଏଫ ତରଫରୁ ଫଟୋ ସେୟାର ହୋଇଛି । ଯେଉଁଥିରେ ରାସ୍ତା ସାରା କାଦୁଅ ଓ ଆବର୍ଜନା ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି ।