ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ କରୋନା ସଂକ୍ରମିତ
ଡେରାଡୁନ, (ଓଡିଶା ଟାଇମ୍) :କରୋନା ସଂକ୍ରମଣକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ନିଜକୁ ଆଇସୋଲେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ତୀରଥ ସିଂହ ନିଜେ ଟ୍ୱିଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଟ୍ୱିଟରେ ଲେଖିଛନ୍ତି ଯେ ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଛି। ତାଙ୍କ ସ୍ୱାସ୍ଥ୍ୟ ଭଲ ଅଛି। ତାଙ୍କୁ କିଛି ଅସୁବିଧା ହେଉନାହିଁ। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ନିଜକୁ ଆଇସୋଲେଟ୍ କରିଛନ୍ତି। ଗତ କିଛି ଦିନରେ ଯେଉଁମାନେ ତାଙ୍କ ସମ୍ପର୍କରେ ଆସିଛନ୍ତି ସେମାନେ ସତର୍କ ରୁହନ୍ତୁ ଏବଂ ନିଜର କରୋନା ଯାଞ୍ଚ କରନ୍ତୁ ବୋଲି ସେ କହିଛନ୍ତି। ଏହାସହ ସେ ସମସ୍ତଙ୍କ କୁଶଳ ସ୍ୱାସ୍ଥ୍ୟ କାମନା କରିଛନ୍ତି।
ସୂଚନାଯୋଗ୍ୟ ଯେ, ଉତ୍ତରାଖଣ୍ଡରେ ମଧ୍ୟ କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୧୩୭ ନୂଆ ମାମଲା ସାମ୍ନାକୁ ଆସିଛି। ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ସତର୍କ ହୋଇଯାଇଛନ୍ତି। ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ କରୋନା ସଂକ୍ରମଣର ଶିକାର ହେବାରୁ ଚିନ୍ତା ବଢିଯାଇଛି।
ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁଯାୟୀ, ଜାନୁଆରୀ ପରେ ପ୍ରଥମଥର ପାଇଁ ଏତେ ସଂଖ୍ୟାରେ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ରାଜ୍ୟରେ ଜାନୁଆରୀ ୧୭ରୁ ୨୩ ତାରିଖ ମଧ୍ୟରେ କରୋନା ସଂକ୍ରମଣର ୮୯୫ ମାମଲା ସାମ୍ନାକୁ ଆସିଥିଲା। ଏହାପରେ ସଂକ୍ରମଣ ହ୍ରାସ ପାଇଥିଲେ। କିନ୍ତୁ ରବିବାର ଦିନ ସଂକ୍ରମଣ ମାମଲା ବୃଦ୍ଧି ପାଇଥିବା ଖବର ପରେ ସରକାରଙ୍କ ଚିନ୍ତା ବଢିଯାଇଛି।