ଚୀନକୁ ବଡ଼ ଝଟ୍‌କା; ୧୨ କମ୍ପାନୀକୁ କଳା ତାଲିକାଭୁକ୍ତ କଲା ଆମେରିକା

ୱାସିଂଟନ, (ଓଡିଶା ଟାଇମ୍) :ଚୀନକୁ ବଡ଼ ଝଟ୍‌କା ଦେଇଛି ଆମେରିକା। ଚୀନର ପ୍ରାୟ ୧୨ଟି ବଡ଼ କମ୍ପାନୀକୁ ଆମେରିକା କଳା ତାଲିକାଭୁକ୍ତ କରିଛି। ଏହି କମ୍ପାନୀଗୁଡ଼ିକ ମଧ୍ୟରେ ଚୀନର ସବୁଠୁ ବଡ଼ ଚିପ୍‌ ନିର୍ମାତା କମ୍ପାନୀ ‘ସେମିକଣ୍ଡକ୍ଟର ମାନୁଫାକ୍‌ଚରିଂ ଇଣ୍ଟରନ୍ୟାଶନାଲ କର୍ପ (ଏସଏମଆଇସି)’ ଏବଂ ଚୀନର ଡ୍ରୋନ ନିର୍ମାତା ‘ଏଚଜେଡ୍‌ ଡିଜେଆଇ ଟେକ୍ନୋଲୋଜି ଲିମିଟେଡ୍‌’ ସାମିଲ ରହିଛି। ଟ୍ରମ୍ପ ପ୍ରଶାସନ ପକ୍ଷରୁ ଗତ ଶୁକ୍ରବାର ଏ ନେଇ ସୂଚନା ଦିଆଯାଇଛି।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ବିରୋଧରେ କଠୋର ଆଭିମୁଖ୍ୟ ପ୍ରଦର୍ଶନ କରୁଥିବା ରାଷ୍ଟ୍ରପତି ଭାବେ ତାଙ୍କ ପଦ ଛାଡ଼ିବାକୁ ଚାହୁଁଛନ୍ତି। ଏହି କାରଣରୁ ଟ୍ରମ୍ପ ପ୍ରଶାସନ ୧୨ଟି ଚାଇନା କମ୍ପାନୀକୁ କଳା ତାଲିକାଭୁକ୍ତ କରିଦେଇଛି। ଆମେରିକା ବାଣିଜ୍ୟ ବିଭାଗ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କହିଛି, ଏସଏମଆଇସି ଚୀନର ସୈନ୍ୟ-ନାଗରିକ ସଞ୍ଚାଳନ (ଏମସିଏଫ) ସିଦ୍ଧାନ୍ତରୁ ସୃଷ୍ଟି ହୋଇଛି। ଚୀନର ସାମରିକ ଶିଳ୍ପାଞ୍ଚଳରେ ଏସଏମଆଇସି ଏବଂ ଅନ୍ୟ କିଛି ଗୁପ୍ତ କମ୍ପାନୀ ମଧ୍ୟରେ କାର୍ଯ୍ୟକଳାପ ଜାରି ରହିଥିବା ପ୍ରମାଣ ମିଳିଛି। ଏହି କାରଣରୁ ପଦକ୍ଷେପ ନିଆଯାଇଛି।

ଆମେରିକା ବାଣିଜ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି, ବିଶ୍ଵର ସବୁଠୁ ବଡ଼ ଡ୍ରୋନ ନିର୍ମାତା କମ୍ପାନୀ ଡିଜେଆଇକୁ ବି ଏହି ବାଣିଜ୍ୟ କଳା ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ତେବେ ଡିଜେଆଇ ପକ୍ଷରୁ ତୁରନ୍ତ ଏ ନେଇ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ବାଣିଜ୍ୟ ମନ୍ତ୍ରୀ ୱିଲ୍‌ବର ରସ୍‌ କହିଛନ୍ତି, ଆମେ ଆମେରିକାର ପ୍ରଯୁକ୍ତିବିଦ୍ୟାକୁ ପ୍ରତିକୂଳ ସୈନ୍ୟ ସାମଗ୍ରୀ ନିର୍ମାଣ କରିବାରେ ସହଯୋଗ କରିବାକୁ ଦେବୁ ନାହିଁ। ଏହି କାରଣରୁ ଆମେରିକା ସରକାର ଏସଏମଆଇସିକୁ କଳା ତାଲିକାଭୁକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *