ଯୁଦ୍ଧକୁ ଓହ୍ଲାଇଲା ଆମେରିକା ! ଋଷକୁ ଘେରିବାକୁ ପଠାଇଲା ୧୨୦୦୦ ସୈନ୍ୟ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଋଷ ସେନା କିଭକୁ ଅକ୍ତିଆର କରିବା ପାଇଁ ପ୍ରୟାସ ଜାରି ରଖିଛି । ଏହାମଧ୍ୟରେ ଆମେରିକା ଏକ ବଡ ପଦକ୍ଷେପ ନେଇଥିବା ସୂଚନା ମିଳିଛି । ଋଷକୁ ଅଟକାଇବାକୁ ଆମେରିକା ୧୨ ହଜାର ସୈନ୍ୟ ପଠାଇଥିବା ଜଣାପଡିଛି ।
ଯୁଦ୍ଧ ଉପରେ ସମସ୍ତ ଦେଶ ନଜର ରଖିଛନ୍ତି । ନାଟୋ ଦେଶମାନେ ୟୁକ୍ରେନକୁ ପରୋକ୍ଷରେ ସମର୍ଥନ କରୁଛନ୍ତି । କିଛି ଦେଶ ଅସ୍ତ୍ରଶସ୍ତ୍ର ମଧ୍ୟ ସହାୟତା କରୁଛନ୍ତି । ପ୍ରଥମେ ଚୁପ୍ ବସିଥିବା ଆମେରିକା ଋଷ ଉପରେ କେବଳ ଆର୍ଥିକ କଟକଣା ଲଗାଇଥିଲା । କିନ୍ତୁ ଜୋ ବାଇଡେନ ଶୁକ୍ରବାର ଯୁଦ୍ଧ ହେଲେ ଏହା ଭୟଙ୍କର ହେବ ବୋଲି କହିଥିଲେ । ଯାହା ପରେ ଆମେରିକା ୧୨ ହଜାର ସୈନ୍ୟ ପଠାଇଥିବା ସୂଚନା ମିଳିଛି । ଏହାସହ ବାଇଡେନ୍ କହିଥିଲେ ଯେ, ସେମାନେ ନାଟୋ ଅଞ୍ଚଳର ସମସ୍ତ ଭୂମିକୁ ସୁରକ୍ଷା ଦେବା ପାଇଁ ପ୍ରସ୍ତୁତ । ତେବେ ଆମେରିକା ପଠାଇଥିବା ସୈନ୍ୟ ଋଷ ସହ ପ୍ରତ୍ୟକ୍ଷ ଯୁଦ୍ଧ କରିବେ ନା ନାହିଁ ତାହା ସ୍ପଷ୍ଟ ହୋଇପାରି ନାହିଁ । ଏହି ଯବାନଙ୍କୁ ୟୁକ୍ରେନ ନିକଟବର୍ତ୍ତୀ ନାଟୋ ଦେଶରେ ନିୟୋଜିତ କରାଯାଇପାରେ ।
ସୂଚନାଯୋଗ୍ୟ, ଦୁଇ ଦେଶ ମଧ୍ୟରେ ଏବେ ଆର-ପାର ଲଢେଇ ଜାରି ରହିଛି । ରାଜଧାନୀ କିଭ୍ ର ୩ପଟୁ ଘେରିଛନ୍ତି ରୁଷ ସେନା । ଗରିଲା ୱାର କରି ଜବାବ ଦେଉଛି ୟୁକ୍ରେନ୍ । ରୁଷ-ୟୁକ୍ରେନ୍ ଯୁଦ୍ଧର ଆଜି ୧୬ଦିନ । କିଭ୍ ଦଖଲ କରିବାକୁ ରୁଷ ସେନା ଆଗକୁ ଆଗକୁ ମାଡ ଚାଲିଛନ୍ତି । ୟୁକ୍ରେନ୍ର ଅନ୍ୟ ସହରକୁ ମଧ୍ୟ ଦଖଲ କରିବା ଲାଗି ହମଲା ତୀବ୍ର କରିଛି ରୁଷ ସେନା । ଆମେରିକାର ମାକ୍ସାର ସାଟେଲାଇଟ୍ ଚିତ୍ର ଅନୁଯାୟୀ ୬୦କିଲୋମିଟର ଲମ୍ବିଥିବା ରୁଷ ସେନାର ଗାଡି ସବୁ ଏବେ ବିଭିନ୍ନ ଆଡକୁ ଖେଳି ଯାଇଛନ୍ତି । କିଭ୍ ସହର ଚାରିପାଖେ ରୁଷ ସେନା ଖେଦି ଯାଇଛନ୍ତି । ଏୟାରଷ୍ଟ୍ରାଇକ୍ ସହ ସ୍ଥଳଭାଗରେ ମଧ୍ୟ ରୁଷ ସେନା କିଭ ଭିତରକୁ ପଶିବାକୁ ଚେଷ୍ଟା କରୁଛନ୍ତି । ଆସନ୍ତା ୩-୪ ଦିନ ଭିତରେ ରୁଷ ସେନା ବଡ ଧରଣର ହମଲା କରିବା ପାଇଁ ରଣନୀତି ବନାଉଥିବା ଆକଳନ କରାଯାଉଛି ।