ତାଲିମ ନାହିଁ କି ବଜାର, ମହିଳା ରୋଜଗାରୀ ହେବେ କେମିତି- ଆଲୋଚନା କଲେ ନଗର ଉନ୍ନୟନ ମନ୍ତ୍ରୀ
ଭୁବନେଶ୍ୱର,(ଓଡ଼ିଶା ଟାଇମ୍):- କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ଲାଗି ସରକାର ଯେଉଁ ଲକ୍ଡାଉନ୍ ଶଟ୍ଡାଉନ୍ ବ୍ୟବସ୍ଥା ଆପଣାଇଲେ ତାହା ଦ୍ୱାରା ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଛି । ଏଥିରୁ ମୁକୁଳିବାକୁ ଲକ୍ଡାଉନ୍-୪ଆରମ୍ଭରୁ ଚିନ୍ତା କରାଯାଇ ଅନେକ ଘୋଷଣା କରାଯାଇଥିଲେ ମଧ୍ୟ ବାସ୍ତବରେ ତାହା ଲୋକଙ୍କ ପାଖରେ ପହଞ୍ଚିପାରୁ ନାହିଁ । ପରିସ୍ଥିତିକୁ ଅନୁଧ୍ୟାନ କରି ସହରାଞ୍ଚଳ ମହିଳାଙ୍କ ରୋଜଗାର ବୃଦ୍ଧି ପାଇଁ ଆବଶ୍ୟକ ସୁବିଧା ସୁଯୋଗ ଓ ଜ୍ଞାନ କୌଶଳ ପ୍ରଦାନ ଲାଗି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ନିର୍ଦେଶ ଦେଇଛନ୍ତି । ଏହା ସହ ସ୍ଥାନୀୟ ଅଞ୍ଚଳରେ ଆବଶ୍ୟକ ହେଉଥିବା ସାମଗ୍ରୀ ଉତ୍ପାଦନ କରି ତାହାକୁ କିପରି ସ୍ଥାନୀୟ ବଜାରରେ ବିକ୍ରି କରାଯାଇପାରିବ ସେଥିଲାଗି ବ୍ୟବସ୍ଥା ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି ।
ସହରାଞ୍ଚଳରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକୁ ଅଧିକ ସକ୍ରିୟ କରିବା ସହିତ ସେମାନଙ୍କ ରୋଜଗାର ବଢାଇବାପାଇଁ ଅଧିକାରୀମାନଙ୍କ ସହ ଆଲୋଚନା କରିବା ବେଳେ ସେମାନଙ୍କ ଆତ୍ମ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରିବା ଲାଗି ଗୁରୁତ୍ୱ ଦିଆଯାଇଥିଲା । ଅଧିକରୁ ଅଧିକ ଆତ୍ମନିଯୁକ୍ତି ଯୋଜନା କାର୍ଯ୍ୟକାରୀ କରାଯାଇ ପାରିଲେ ତାହା ମହିଳାଙ୍କ ଆୟ ବୃଦ୍ଧିରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା । ଏହି କ୍ରମରେ ଏକ ନିର୍ଦିଷ୍ଟ ଯୋଜନା ପ୍ରସ୍ତୁତ କରିବାକୁ ଶ୍ରୀ ଜେନା ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି । ଏହି ଯୋଜନା ଦ୍ୱାରା ମହିଳା ସ୍ୱୟଂ ସହାୟିକ ଗୋଷ୍ଠୀଗୁଡିକ ଯେଭଳି ନୂତନ ଜ୍ଞାନକୌଶଳ ବ୍ୟବହାର କରି ବଜାର ଭିତ୍ତିକ ସାମଗ୍ରୀ ଉତ୍ପାଦନ କରିବେ ତାହା ଉପରେ ଗୁରୁତ୍ୱ ଦେବାକୁ ସେ କହିଛନ୍ତି । ଆବଶ୍ୟକ ସମନ୍ୱୟ ରକ୍ଷାକରି ଓରମାସ୍ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ଲାଗି ବଜାର ସୃଷ୍ଟି କରିବାକୁ କୁହାଯାଇଛି । ଏଥିପାଇଁ ପୌର ପ୍ରଶାସକ, ସୁଡା ଓ ଓରମାସ ପକ୍ଷରୁ ମିଳିତ ଭାବେ ନିର୍ଦ୍ଧିଷ୍ଟ ଯୋଜନା ପ୍ରସ୍ତୁତ ଲାଗି ମନ୍ତ୍ରୀ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି ।
ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ଗୃହ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ, ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ଆଜି ଏ ସଂକ୍ରାନ୍ତରେ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ବୈଠକରେ ବିଜ୍ଞାନ ଓ କାରିଗରୀ, ସାମଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱରର ଦୁଇ ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ, ପୌର ପ୍ରଶାସକ ସଂଗ୍ରାମଜିତ ନାୟକ, ଓରମାସର ମୁଖ୍ୟ ନିର୍ବାହୀ ରାଜେଶ ପ୍ରଭାକର ପାଟିଲ, ସୁଡାର ନିର୍ଦ୍ଦେଶକ ଶୁଭେନ୍ଦୁ କାନୁନ୍ଗୋ, ଅତିରିକ୍ତ ନିର୍ଦ୍ଦେଶକ ସାରଦା ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।