ଅନଲକ୍ ୫.୦ ଗାଇଡ୍ଲାଇନ୍: ଖୋଲିବ ସିନେମା ହଲ୍, ମନୋରଞ୍ଜନ ପାର୍କ, ସ୍କୁଲ-କଲେଜ୍ ଉପରେ ରାଜ୍ୟ ନେବେ ନିଷ୍ପତ୍ତି
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :କରୋନା ସଂକ୍ରମଣର ପ୍ରକୋପ ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅନଲକ୍-୫ ପାଇଁ ଗାଇଡ୍ଲାଇନ୍ ଜାରି କରିଛନ୍ତି। ଗୃହ ମନ୍ତ୍ରଣାଳୟର ଗାଇଡ୍ଲାଇନ୍ ଅନୁଯାୟୀ ଅନଲକ-୫ରେ ସିନେମାଘର ଓ ମଲ୍ଟିପ୍ଲେକ୍ସ ୫୦ ପ୍ରତିଶତ ସିଟ୍ ସହିତ ଖୋଲିବ। ଅକ୍ଟୋବର ୧୫ରୁ ସିନେମା ଘର, ମଲ୍ଟିପ୍ଲେସ୍, ମନୋରଞ୍ଜନ ପାର୍କ ଖୋଲାଯିବ। ଅକ୍ଟୋବର ୧୫ ପରେ ଅନଲକ-୫ରେ ସ୍କୁଲ ଓ କୋଚିଂ ସେଣ୍ଟର ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କୁ ଦିଆଯାଇଛି। ଏଥିପାଇଁ ଅଭିଭାବକଙ୍କ ସହମତି ଜରୁରୀ। ସ୍ଵିମିଂ ପୁଲ୍ କେବଳ ଖେଳାଳିଙ୍କ ପ୍ରଶିକ୍ଷଣ ପାଇଁ ଖୋଲାଯିବ। ଉଲ୍ଲେଖନୀୟ ଅନଲକ୍-୪ ଆଜି ଶେଷ ହେଉଛି।
ସିନେମା ହଲ୍, ଥିଏଟର୍ସ, ମଲ୍ଟିପ୍ଲେକ୍ସ ନେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଖୁବ୍ ଶୀଘ୍ର ଗାଇଡ୍ଲାଇନ୍ ଜାରି କରିବେ। ସାମାଜିକ, ଶିକ୍ଷାନୁଷ୍ଠାନ, କ୍ରୀଡା, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ, ରାଜନୈତିକ ଓ ଅନ୍ୟ କାର୍ଯ୍ୟକ୍ରମରେ କେବଳ ୧୦୦ ଲୋକଙ୍କୁ ସାମିଲ କରିବାକୁ ଅନୁମତି ଦିଆଯାଇଛି। ଏହି ସବୁ କାର୍ଯ୍ୟକ୍ରମର କଣ୍ଟେନମେଣ୍ଟ ଜୋନ୍ର ଲୋକ ସାମିଲ ହୋଇ ପାରିବେ ନାହିଁ। ଭାରତ ସରକାର କଣ୍ଟେନମେଣ୍ଟ ଜୋନ୍ରେ ଜାରି ଲକ୍ଡାଉନ୍ ଅବଧିକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।