ସୀମା ବିବାଦ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର, (ଓଡିଶା ଟାଇମ୍) :ଓଡିଶା ସହ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ ଓ ଝାଡଖଣ୍ଡ ସହ ରହିଥିବା ଦୀର୍ଘ ଦିନର ସୀମା ବିବାଦକୁ ସମାଧାନ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ତଥା ଆପୋଷ ବୁଝାମଣା କରିବା ପାଇଁ କେନ୍ଦ୍ର ସରକାରଙ୍କ ସହାୟତା ନେବା ଓ ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିବା ସହ ବିଭିନ୍ନ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି ପଡୋଶୀ ରାଜ୍ୟ ଗୁଡିକ ସହ ଥିବା ସୀମା ବିବାଦକୁ ଆଲୋଚନା କରିବା ପାଇଁ ସର୍ବଦଳୀୟ ବୈଠକ ଡକାଯାଉ ।

ଏହି ବୈଠକରେ ଓଡିଶା ଗୁଇନ୍ଦା ବିଭାଗର ତଥ୍ୟ ସହ ସମାଜର ବ୍ୟକ୍ତିବିଶେଷଙ୍କ କଥାକୁ ଗୁରୁତ୍ୱକୁ ନିଆଯାଉ । ସୀମା ବିବାଦର ବିସ୍ତୃତ ଓ ସ୍ଥାୟୀ ସମାଧାନ କରିବା ପାଇଁ ଓଡିଶା ବିଧାନସଭାରେ ବିଭିନ୍ନ ଦଳର ସଦସ୍ୟ ମାନଙ୍କୁ ନେଇ ଏକ ଗୃହ କମିଟି ଗଠନ କରାଯାଉ । ଯଦ୍ୱାରା ସେମାନେ ଏହା ଉପରେ ବିଶେଷ ଅନୁଧ୍ୟାନ କରିବା ସହ ତଥ୍ୟ ଆଧାରିତ ପରାମର୍ଶ ଦେବେ ।

ଏହି ସୀମା ବିବାଦ ବିଷୟର ଗୁରୁତ୍ୱକୁ ଅଧିକ ଧ୍ୟାନରେ ରଖି ଓଡିଶା ଏବଂ ପଡୋଶୀ ରାଜ୍ୟ ମଧ୍ୟରେ ଥିବା ସୀମା ବିବାଦର ସମାଧାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ସହାୟତା ଲୋଡିବାକୁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ସୂଚାଇଛନ୍ତି ।

ସମସ୍ତ ବିଷୟକୁ ଦୃଷ୍ଟିରେ ରଖି ଓଡିଶା ନିଜ ପଡୋଶୀ ରାଜ୍ୟ ଯଥା ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଝାଡଖଣ୍ଡ ରାଜ୍ୟ ଗୁଡିକ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ସୀମା ବିବାଦକୁ ସମାଧାନ କରିପାରିବ । ସଂଘୀୟ ବ୍ୟବସ୍ଥା ତଥା ରାଜ୍ୟ ମାନଙ୍କ ମଧ୍ୟରେ ଭାଇଚାରା ଦୃଷ୍ଟିରେ ଓଡିଶା ଏହି ସବୁ ଆଲୋଚନାରେ ମୁଖ୍ୟ ଭୂମିକା ଗ୍ରହଣ କରୁ । ଓଡିଶାର ଲୋକଙ୍କ ସାମାଜିକ-ଆର୍ଥିକ ସ୍ୱାର୍ଥ ସହ ଯେପରି ସାଲିସ ନହୁଏ ତାହାକୁ ସୁନିଶ୍ଚିତ କରିବା ସହ ଆବଶ୍ୟକତା ପଡିଲେ ରାଜ୍ୟ ଏହି ବିବାଦକୁ ସମାଧାନ କରିବା ପାଇଁ ଆଇନଗତ ପଦକ୍ଷେପ ନେବା ପାଇଁ ବିଚାର କରିବା ଉଚିତ୍ ବୋଲି ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି ।

Leave a Reply

Your email address will not be published.