ରାଜନୀତି ପାଇଁ ଟଙ୍କା ଅଛି, ହେଲେ ନିଯୁକ୍ତି ଦେବାକୁ ନାହିଁ!

ଆଗ ଭଳି ଆଉ ଚା’ ବେପାର ଚାଲୁନି କି ପକୁଡ଼ି ଛାଣିଲେ ଖାଇବାକୁ ଲୋକ ନାହାନ୍ତି । ଦେଶବାସୀ କେବେଠୁ ଭୁଲି ଯାଇଛନ୍ତି ବର୍ଷକୁ 2 କୋଟି ନିଯୁକ୍ତିର କଥା । ଆଉ ଏବେ ରାଜ୍ୟର ଶିକ୍ଷିତ ଯୁବ ଗୋଷ୍ଠୀଙ୍କୁ ଭୁଲି ଯିବାକୁ ହେବ 2 ବର୍ଷ ସରକାରୀ ନିଯୁକ୍ତିର ସ୍ୱପ୍ନ । ରାଜ୍ୟକୁ ଦୀର୍ଘ 20 ବର୍ଷ ଧରି ଶାସନ କରୁଥିବା ବିଜେଡି ସରକାରକୁ କାଳେ କରୋନା ମୋଡ଼ି ଦେଇଛି ! ମାତ୍ର ମାସ କେଇଟାରେ ଏ ମହାମାରୀ କାଳେ, ରାଜ୍ୟ ସରକାରଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି ! ଯେଉଁଥି ପାଇଁ ସିଧାସଳଖ ପ୍ରଭାବିତ ହେବାକୁ ଯାଉଛନ୍ତି ରାଜ୍ୟର ଶିକ୍ଷିତ ଯୁବ ଗୋଷ୍ଠୀ । କେବଳ ସ୍ୱାସ୍ଥ୍ୟ ବିଭାଗକୁ ଛାଡ଼ିଦେଲେ, ଅନ୍ୟ ସବୁ ବିଭାଗରେ ନୂତନ ସରକାରୀ ନିଯୁକ୍ତି ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ସତରେ, ବିଜୁ ଯୁବ ବାହିନୀ ଗଠନ କରି ଭୋଟ୍ ହାତେଇବାରେ ମାହିର୍ ସରକାର, ରାଜ୍ୟର ଲକ୍ଷ ଲକ୍ଷ ଶିକ୍ଷିତ ଯୁବ ଗୋଷ୍ଠୀଙ୍କ ପ୍ରତି ଏମିତି ନିର୍ଦ୍ଦୟ କେମିତି ହେବାକୁ ଯାଉଛନ୍ତି ? ଅନେକ ବିପର୍ଯ୍ୟୟକୁ ସଫଳତାର ସହ ମୁକାବିଲା କରିଥିବା କହି, ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ବାଃ ବାଃ ସାଉଁଟିଥିବା ରାଜ୍ୟର ବିଜେଡି ସରକାର, ମହାମାରୀ କରୋନା ମାଡ଼ରେ କଣ ସତରେ ହାରି ଯାଇଛନ୍ତି ? ନା, ଆର୍ଥିକ ପରିଚାଳନାଗତ ତ୍ରୁଟି ପାଇଁ ଏଭଳି ଆତ୍ମସମର୍ପଣ କରିଛନ୍ତି ?
କରୋନା ପାଇଁ ସବୁ ବେପାର ଠପ୍ । ସାରା ବିଶ୍ୱର ଅର୍ଥନୀତି ଦୁର୍ବଳ ହୋଇ ପଡ଼ିଲାଣି । ପୁଣି ବିଭିନ୍ନ ଘରୋଇ କ୍ଷେତ୍ରରେ ଦିନକୁ ଦିନ ଛଟେଇ, ବେକାରୀ ସମସ୍ୟାକୁ ବଢାଇବାରେ ଲାଗିଛି । ଆମ ଦେଶରେ ମେକ୍ ଇନ୍ ଇଣ୍ଡିଆ ଏବଂ ଷ୍ଟାର୍ଟ ଅପ୍ ଇଣ୍ଡିଆ କେବଳ ‘ନାରା’ ହୋଇ ରହି ଯାଇଥିବା ବେଳେ ଏବେ ସବୁଠି ଗୋଟେ ନୂଆ ଚର୍ଚ୍ଚା, ‘ଆତ୍ମନିର୍ଭର ଭାରତ’ । କେନ୍ଦ୍ରର ‘ମେକ୍ ଇନ୍ ଇଣ୍ଡିଆ’ ଶୈଳୀରେ ‘ମେକ୍ ଇନ୍ ଓଡ଼ିଶା’ର କଥା କହୁଥିବା ରାଜ୍ୟ ସରକାର, ପରୋକ୍ଷରେ ଶିକ୍ଷିତ ଯୁବଗୋଷ୍ଠୀଙ୍କୁ, ବିନା ସରକାରୀ ଚାକିରିରେ ଆତ୍ମନିର୍ଭର ହେବାକୁ କହୁ ନାହାନ୍ତି ତ ? କାରଣ କେନ୍ଦ୍ରର ବିଭିନ୍ନ ଯୋଜନାକୁ ସମାନ୍ତରାଳ ଶୈଳୀରେ କପି-ପେଷ୍ଟ୍ କରିବାରେ ଆମ ରାଜ୍ୟ ସରକାର ଯେ, ମାହିର୍, ଏକଥା କାହାକୁ ଅଛପା ନାହିଁ ।
19 ନିର୍ବାଚନ ପୂର୍ବରୁ ବେଶ୍ ଦମ୍ଭରେ ଥିଲା ଭଳି ଲାଗୁଥିଲେ ସରକାର । କୋଟି କୋଟି ଟଙ୍କା ଫୋପାଡ଼ି ଦେଇ ବିଜୁ ଯୁବ ବାହିନୀକୁ ଖୁବ୍ ସକ୍ରିୟ କରାଇଥିଲେ । ‘ପିଠା’ ଯୋଜନା ନାଁରେ ଗାଁ ଗାଁରେ ଜମାଉଥିଲେ ପିଠା, ପଣାର ଆସର । ପୁଣି ‘କାଳିଆ’ ଯୋଜନା କରି ସେଥିରେ ଜରୁରିକାଳୀନ ପାଣ୍ଠି ଟଙ୍କା ମାଡ଼ିଦେଲେ । ଲାଗୁଥିଲା, ସତେ ଯେମିତି ରାଜ୍ୟରେ ଟଙ୍କାର ଅଭାବ ନାହିଁ । କିନ୍ତୁ, ନିର୍ବାଚନ ପରେ ପରେ ଫୋନି ବାତ୍ୟା ଖୋଲିଦେଲା ସରକାରଙ୍କ ଅସଲ ମୁଖା । ବାତ୍ୟାକୁ ଗୁରୁତର ଭାବେ ଅଙ୍ଗେ ନିଭାଇଥିବା ପୁରୀ, ଭୁବନେଶ୍ୱର ଏବଂ କଟକ ଲୋକେ, ସେତେବେଳେ ଠିକ୍ ଦେଖିପାରିଛନ୍ତି ରାଜ୍ୟ ସରକାରଙ୍କ ଅସହାୟତା । 7-8 ଦିନ ଯାଏଁ ସରକାରଙ୍କର କୌଣସି ନେତା କି ଅଧିକାରୀ, ମୁହଁ ଖୋଲିଲେନି । ରାସ୍ତାରେ ଭାଙ୍ଗି ପଡ଼ିଥିବା ହଜାର ହଜାର ସଂଖ୍ୟାରେ ଗଛକୁ କାଟିବାକୁ ବି ରାଜ୍ୟ ସରକାରଙ୍କ ପାଖରେ ଟଙ୍କା ନଥିଲା । ନଚେତ୍ ଯେଉଁ କାଠରୁ ରାଜ୍ୟ ବନ ନିଗମ ମାଧ୍ୟମରେ ସରକାର, ଶହ ଶହ କୋଟି ଟଙ୍କା ପାଇଥାନ୍ତେ, ତାକୁ କାଟି ରାସ୍ତା ସଫା କରିବାକୁ ଲୋକଙ୍କୁ ନିବେଦନ କରି ନଥାନ୍ତେ । ସରକାରଙ୍କ ଅନୁମତି ପରେ ବସ୍ତି ଲୋକେ କାଠ ନେଇଗଲେ ସତ, କିନ୍ତୁ ରାସ୍ତା ସଫା କରିଦେଲେ । ନଚେତ୍… ଆଉ କେତେ ଦିନ ଯେ, ରାଜଧାନୀ ରାସ୍ତା ଅମଡ଼ା ହୋଇ ପଡ଼ିଥାନ୍ତା, ତାହା କିଏ କହିଥାନ୍ତା ! ଫୋନି ପରବର୍ତ୍ତୀ ସ୍ଥିତି ଉପରେ ଖବର ସଂଗ୍ରହ କରୁଥିବା ଅନେକ ସାମ୍ବାଦିକ, ‘ଅଫ୍ ଦି ରେକର୍ଡ’ରେ ରାଜ୍ୟ ସରକାର ବିଫଳ ବୋଲି କହିଛନ୍ତି । ତେବେ ସେ ଯାହା ହେଉ, ଫୋନି ମୁକାବିଲାରେ ବି ରାଜ୍ୟ ସରକାର ସଫଳ ବୋଲି କୁହାଗଲା । କିନ୍ତୁ ସେ ସଫଳତାର ବାସ୍ତବତା, ମାସେ ପରେ ଭୁବନେଶ୍ୱରରେ ଏବଂ ପ୍ରାୟ 3 ମାସ ପରେ ପୁରୀରେ ବିଜୁଳି ଆଲୁଆ ଦେଖିଥିବା ଲୋକେ ହିଁ ଠିକ୍ ଜାଣିଥିବେ! ଜରୁରିକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଉଦ୍ଦିଷ୍ଟ ଟଙ୍କାକୁ କାଳିଆ ଯୋଜନାରେ ମାଡ଼ିଦେବା ହିଁ ଫୋନି ପରବର୍ତ୍ତୀ ସ୍ଥିତି ମୁକାବିଲାରେ ବିଳମ୍ବ ସୃଷ୍ଟି କଲା । ପରିସ୍ଥିତିକୁ ଅନୁଭବ କରିଥିବା ଲୋକେ ହିଁ କହିବେ, ଏହା ସେତେବେଳର ଲଙ୍ଗଳା ସତ୍ୟ ।
ହଁ, ଆଜ୍ଞା, ଲଙ୍ଗଳା ସତ୍ୟ ବା ଇଂରାଜୀରେ ଯାହାକୁ କହନ୍ତି ନେକେଡ୍ ଟ୍ରୁଥ୍ । ସତ୍ୟ ଏହା ଯେ, କରୋନା ପାଇଁ ଆର୍ଥିକ ମାନ୍ଦାବସ୍ଥା । ପୁଣି ମାନ୍ଦାବସ୍ଥାକୁ ସାମ୍ନା କରିବାକୁ ଦରକାର ଆର୍ଥିକ କଟକଣା । ଯେତେବେଳେ କି ରାଜସ୍ୱ କମ୍ ରହିଛି ଏବଂ ରାଜକୋଷରୁ ଖର୍ଚ୍ଚ ବଢ଼ି ବଢ଼ି ଚାଲିଛି, ସେତେବେଳେ ସରକାରଙ୍କୁ ଆର୍ଥିକ ଚିନ୍ତା ହେବା ସ୍ୱାଭାବିକ । ଆର୍ଥିକ କଟକଣାମୂଳକ ପଦକ୍ଷେପ ନେବା ସରକାରଙ୍କ ଅଧିକାର । କିନ୍ତୁ ଯେଉଁ ସରକାର ଖଣି ମାଲିକଙ୍କୁ 58 ହଜାର କୋଟି ଟଙ୍କା ଛାଡ଼ କରି ଦେଇଛନ୍ତି, ବିଭିନ୍ନ କମ୍ପାନି ଉପରେ 3 ହଜାର 225 କୋଟି ଟଙ୍କା ଜଳକର ବକେୟା ପକାଇ ରଖିଛନ୍ତି, ପୁଣି 3 ବର୍ଷରେ ବିଜୁ ଯୁବ ବାହିନୀ ନାଁରେ 450 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି… ସେ ସରକାର, ଏତେ ଶୀଘ୍ର ଦରିଦ୍ର ହୋଇଗଲା କେମିତି ? ବର୍ଷକୁ ଏମିତି ସରକାରୀ କ୍ଷେତ୍ରରେ କେତେ ନିଯୁକ୍ତି ଦେଉଥିଲେ ଯେ, 2 ବର୍ଷ ପାଇଁ ନୂତନ ପଦ ସୃଷ୍ଟି ବନ୍ଦ କରିଦେଲେ ? ଓଡ଼ିଶା ହିଁ ଦେଶର ପ୍ରଥମ ରାଜ୍ୟ, ଯେଉଁଠି, ଯୋଗ୍ୟତା ଭିତ୍ତିରେ OPSC କିମ୍ବା SSC କ୍ଲିଅର୍ ପରେ ମଧ୍ୟ ଯୁବବର୍ଗଙ୍କୁ ପ୍ରାରମ୍ଭିକ ପର୍ଯ୍ୟାୟରେ, କମ୍ ଦରମାରେ କିଛିବର୍ଷ ପାଇଁ ଠିକାରେ ଚାକିରି କରିବାକୁ ପଡ଼ିଥାଏ । ପୁଣି ଯେଉଁଠି ‘ସମାନ କାମକୁ ସମାନ ଦରମା’କୁ ଜଳାଞ୍ଜଳି ଦେଇ ବିଭିନ୍ନ ପ୍ରକାରର ଶିକ୍ଷକ ନିଯୁକ୍ତି ପାଇଛନ୍ତି, ସେ ରାଜ୍ୟ ସରକାରଙ୍କ ଠାରୁ କଣ ବା ଅଧିକ ଆଶା କରାଯାଇ ପାରେ ! ଏଠି ଅବସରପ୍ରାପ୍ତ ଧଳା ହାତୀଙ୍କୁ ପୋଷିବାକୁ ସରକାରଙ୍କର ଟଙ୍କା ଅଛି, କିନ୍ତୁ ଶିକ୍ଷିତ ଯୁବବର୍ଗଙ୍କ ପାଇଁ ନୁହେଁ । ତେଣୁ ଏଭଳି ସ୍ଥିତିରେ ନୂତନ ସରକାରୀ ନିଯୁକ୍ତି ଉପରେ ସରକାର ଲଗାଇଥିବା କଟକଣା, 2 ବର୍ଷ ଚାଲିବ ନା ତା ପୂର୍ବରୁ ହଟାଇ ଦିଆଯିବ ନା 2 ବର୍ଷରୁ ଅଧିକ ସମୟ ଲମ୍ବିବ, ତାହା କେବଳ ସମୟ ହିଁ କହିବ । ଏବେ ଅପେକ୍ଷା, କେବେ ହେବ ଭୁବନେଶ୍ୱର ଜୟଦେବ ଭବନରେ ସେହି ଉତ୍ସବ ! ଯେଉଁଠି ଯୋଗ୍ୟତା ଭିତ୍ତିରେ ଚାକିରି ପାଇଥିବା ଯୁବବର୍ଗଙ୍କ ହାତକୁ ଦୟା କଲା ଭଳି ନିଯୁକ୍ତି ପତ୍ର ବଢାଇ ଦେବେ ରାଜ୍ୟ ସରକାର !
( ଲେଖକ ଜଣେ ସାମ୍ବାଦିକ। ଏହି ସ୍ତମ୍ଭରେ ପ୍ରତିଫଳିତ ମନ୍ତବ୍ୟ ତାଙ୍କ ବ୍ୟକ୍ତିଗତ ଚିନ୍ତନ ଓ ଅନୁଶୀଳନ ଉପରେ ଆଧାରିତ। u )