ମମତାଙ୍କୁ ଭେଟିଲେ ବିଜେପିରେ ସାମିଲ ୨ ଟିଏମସି ବିଧାୟକ

ପଶ୍ଚିମବଙ୍ଗ, (ଓଡିଶା ଟାଇମ୍) :ବିଜେପିରେ ସାମିଲ ହୋଇଥିବା ତୃଣମୂଳ କଂଗ୍ରେସ(ଟିଏମସି)ର ଦୁଇ ବିଧାୟକ ସୋମବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି। ଏହି ଘଟଣା ପଶ୍ଚିମବଙ୍ଗ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ବିଧାୟକଙ୍କ ପରବର୍ତ୍ତୀ ରାଜନୈତିକ ପଦକ୍ଷେପକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ବୋଗାଓଁର ବିଧାୟକ ବିଶ୍ଵଜିତ୍ ଦାସ ଓ ନୂଆପଡାର ବିଧାୟକ ସୁନିଲ ସିଂହ ନିଜର ନିର୍ବାଚନୀ କ୍ଷେତ୍ରରେ ମମତାଙ୍କୁ ଭେଟିଛନ୍ତି।

ଦୁଇ ବିଧାୟକ ଦାବି କରିଛନ୍ତି ଯେ,  ନିଜ ଅଞ୍ଚଳର ଉନ୍ନୟନମୂଳକ କାମ ପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ  ଭେଟିଛନ୍ତି। ଏହି ଦୁଇ ବିଧାୟକଙ୍କ ନିର୍ବାଚନୀ  କ୍ଷେତ୍ର ୨୪ ପ୍ରଗଣା ଜିଲ୍ଲାରେ ରହିଛି। ବିଜେପି ରାଜ୍ୟ ସଭାପତି ଦିଲୀପ ଘୋଷ ବୈଠକ ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟକୁ ଖାରଜ କରିଛନ୍ତି। ସେ କହିଛନ୍ତି, ଏହି ବିଷୟରେ ଦଳକୁ ପୂର୍ବରୁ ସୂଚନା ଦିଆଯାଇଥିଲା।ସେ କହିଛନ୍ତି, ଏହାକୁ ଅନ୍ୟ କୌଣସି ରୂପରେ ଦେଖିବା ଉଚିତ୍ ନୁହେଁ। ବିଧାୟକ ଭାବେ ନିଜ ନିର୍ବାଚନୀ ମଣ୍ଡଳର ବିକାଶ ପ୍ରସଙ୍ଗରେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ସର୍ବଦା ଭେଟି ପାରିବେ।  ଦାସ ଓ ସିଂହ ୨୦୧୯ ଲୋକସଭା ନିର୍ବାଚନ ପରେ ବିଜେପିରେ ସାମିଲ ହୋଇଥିଲେ ମାତ୍ର ଟିଏମସି ବିଧାୟକ ଭାବେ ଇସ୍ତଫା ଦେଇନଥିଲେ।

Leave a Reply

Your email address will not be published. Required fields are marked *