କରୋନା ଲଢେଇରେ ଆଖିବୁଜିଲେ ୨ କରୋନା ଯୋଦ୍ଧା

ପୁରୀ, (ଓଡିଶା ଟାଇମ୍) : କରୋନାରେ ଦୁଇ ପୋଲିସ ଯୋଦ୍ଧାଙ୍କ ଜୀବନ ଯାଇଛି । କରୋନା ସହ ସମ୍ମୁଖ ଲଢ଼େଇ କରୁ କରୁ ସେମାନଙ୍କ ଜୀବନ ଦୀପ ଲିଭିଯାଇଛି । ଏହି ଦୁଇ ଯୋଦ୍ଧା ହେଲେ ପୁରୀ ଜିଲ୍ଲାର କନେଷ୍ଟବଳ ଶୁଭ୍ରାଂଶୁ ଶେଖର ପ୍ରଧାନ (୫୦) ଏବଂ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନସ୍ଥ ଗମ୍ଭାରୀମୁଣ୍ଡା ବିଟ ହାଉସର ଏଏସ୍‌ଆଇ ମୁରଲୀଧର ବଳୀୟାରସିଂ (୫୭) । ଦୁଇ ଜିଲ୍ଲାରେ ପ୍ରଥମ ଥର ପାଇଁ କରୋନାରେ ପୁଲିସ କର୍ମଚାରୀ ପ୍ରାଣ ହରାଇଛନ୍ତି । ଉଭୟଙ୍କୁ ପୁଲିସ ବାହିନୀ ପକ୍ଷରୁ ଗାର୍ଡ ଅଫ୍‌ ଅନର୍‌ ଦିଆଯିବା ପରେ ଅନ୍ତିମ ସଂସ୍କାର କରାଯାଇଛି ।

କୋଭିଡ୍‌ ସଂକ୍ରମଣରେ ପ୍ରାଣ ହରାଇଥିବା ଶୁଭ୍ରାଂଶୁ ଶେଖର ପ୍ରଧାନ (୫୦) ଓରଫ ଟୁଟୁ ପୁରୀ ଜିଲ୍ଲା ହାବିଲଦାର ଓ କନେଷ୍ଟବଳ ସଂଘ ସଭାପତି ଥିଲେ । ରବିବାର ଅପରାହ୍ନରେ ୱାଟର ୱାର୍କସ ରୋଡସ୍ଥିତ କୋଭିଡ୍‌ ଡାକ୍ତରଖାନାରେ ତାଙ୍କ ମୃତ୍ୟୁ ଘଟିଥିଲା । କୋଭିଡ ଯୋଦ୍ଧା ଭାବେ ଏହା ଜିଲ୍ଲାର ପ୍ରଥମ ମୃତ୍ୟୁ । ପୌରାଞ୍ଚଳରେ କରୋନା ମୃତ୍ୟୁରେ ଏହା ପ୍ରଥମ ଓ ଜିଲ୍ଲାରେ ପଞ୍ଚମ ବୋଲି ଜଣାଯାଇଛି ।

ସଂକ୍ରମଣ ପୂର୍ବରୁ ଦୀର୍ଘ ଚାରିମାସ ଧରି ଶୁଭ୍ରାଂଶୁ କୋଭିଡ୍‌ ଡ୍ୟୁଟିରେ ଥିଲେ । ଗତକାଲି ତାଙ୍କର ସ୍ୱାବ ରିପୋର୍ଟ ପଜିଟିଭ୍‌ ଆସିବା ପରେ ରେଡ୍‌କ୍ରସ ରୋଡସ୍ଥିତ କୋଭିଡ୍‌ ହେଲଥ କେୟାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପୁଲିସ ରିଜର୍ଭରେ ଟୁଟୁଙ୍କ ମୃତ୍ୟୁ ନେଇ ଶୋକର ଛାୟା ଖେଳିଯାଇଛି । ପୁଲିସ ସେବାର ଜଣେ କୋଭିଡ୍‌ ଯୋଦ୍ଧା ରୂପେ ତାଙ୍କୁ ସମ୍ମାନିତ କରାଯାଇଛି ।

Leave a Reply

Your email address will not be published.