ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ

ଭୁବନେଶ୍ବର, (ଓଡିଶା ଟାଇମ୍) : ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଅଲଗା କରାଯାଇଥିଲେ ମଧ୍ୟ ଆଜି କାଳିଆ ସବୁଦିନ ପାଇଁ ଆଖି ବୁଝି ଦେଇଛନ୍ତି। ପ୍ରାୟ ୩ ବର୍ଷ ଧରି ଜୀବନ ସହ ସଂଗ୍ରାମ କରି ହାରିଯାଇଛି କାଳିଆ। ଡାକ୍ତରଙ୍କ ଆପ୍ରାଣ ଉଦ୍ୟମ ସତ୍ତ୍ୱେ କାଳିଆକୁ ବଞ୍ଚେଇବା ସମ୍ଭବ ହୋଇପାରିନି। ଚିକିତ୍ସାଧୀନ ଅବସ୍ଥାରେ ଆଜି ରାତି ୯ଟା ୧୦ରେ ଏସ୍‌ସିବିରେ କାଳିଆର ମୃତ୍ୟୁ ଘଟିଛି। ଏନେଇ SCBର ଜରୁରିକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣାଙ୍କ ସୂଚନା ଦେଇଛନ୍ତି।

କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ୍‌ ଅନ୍ତର୍ଗତ ମିଲୁପଡ଼ା ଗ୍ରାମର ଯୋଡ଼ାମୁଣ୍ଡ ଶିଶୁ ଜଗା କାଳିଆ। ସେମାନଙ୍କର  ଶରୀର ଅଲଗା ଥିଲେ ବି ଜନ୍ମରୁ ଦୁହିଁଙ୍କ ମୁଣ୍ଡ ଲାଗି ରହିଥିଲା। ସେମାନଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ଅପରେସନ୍‌ ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ୨୦୧୭ ମସିହା  ଜୁଲାଇ ୧୪ ତାରିଖରେ ସେମାନଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଦୀର୍ଘ ପରୀକ୍ଷା ନିରୀକ୍ଷା ପରେ ସେହି ବର୍ଷ ଅଗଷ୍ଟ ୨୮ ତାରିଖ ଦିନ ପ୍ରଥମ ଅପରେସନ୍‌ କରାଯାଇଥିଲା। ସେହି ଅପରେସନ୍‌ ପ୍ରାୟ ୨୫ ଘଣ୍ଟା ଲାଗିଥିଲା। ଏହାପରେ  ଅକ୍ଟୋବର ୨୫ ତାରିଖରେ ଦ୍ବିତୀୟ ଅପରେସନ୍‌ ହୋଇଥିଲା।   ଦୀର୍ଘ ୧୨ ଘଣ୍ଟାର ମାରାଥନ୍‌ ଅପରେସନ୍‌ ପରେ ଦୁଇ ଶିଶୁଙ୍କ ମୁଣ୍ଡ ଅଲଗା କରାଯାଇଥିଲା।

୨୦୧୯ ସେପ୍ଟେମ୍ବରରେ ସେମାନଙ୍କୁ କଟକ ଅଣାଯାଇଥିଲା। ଏମ୍ସ ଡାକ୍ତରଙ୍କ ସହ ଯୋଗାଯୋଗରେ ଥିବା ଏସ୍‌ସିବିର ଏକ ୧୪ ଜଣିଆ ସ୍ବତନ୍ତ୍ର ଡାକ୍ତରୀ ଦଳ ଜଗା କାଳିଆଙ୍କ ସ୍ବାସ୍ଥ୍ୟ ଓ ଚିକିତ୍ସାର ତଦାରଖ କରୁଥିଲେ । ସେବେ ଠାରୁ ଦୁଇ ଶିଶୁ ବଡ଼ ଡାକ୍ତରଖାନାରେ ରହିଥିବା ବେଳେ ଜଗା ସମ୍ପୂର୍ଣ୍ଣ ସୁସ୍ଥ ରହିଛି କିନ୍ତୁ ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ବେ କାଳିଆ ବୁଧବାର ଦିନ ଆଖି ବୁଜିଦେଇଛି।

ଅପରେସନ୍‌ ଦ୍ବାରା ଯୋଡ଼ା ମୁଣ୍ଡ ଶିଶୁଙ୍କୁ ଅଲଗା କରାଯିବା ଏବଂ ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ହେବା ଅତି ବିରଳ ଘଟଣା। ଏହି ଘଟଣାରେ ୭୫ରୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ଲାଇଫ୍‌ ରିସ୍କ ରହିଥାଏ। ବିଶ୍ବରେ ପ୍ରାୟ ୨୫ ଲକ୍ଷରେ ଏପରି ଗୋଟିଏ ଯୋଡ଼ା ମୁଣ୍ଡ ଶିଶୁ ଜନ୍ମଗ୍ରହଣ କରିଥାନ୍ତି। ଗତ ୫୦ ବର୍ଷ ମଧ୍ୟରେ ମାତ୍ର ଦୁଇ ତିନୋଟି ଘଟଣାରେ ଏଭଳି ବିରଳ ଅପରେସନ୍‌ ସଫଳ ହୋଇଥାଏ। ତେବେ ଦୀର୍ଘ ଚେଷ୍ଟା ପରେ କାଳିଆର ମୃତ୍ୟୁ ଏକ ଦୁଃଖଦ ଖବର ଆଣିଛି।

Leave a Reply

Your email address will not be published.