ପାକିସ୍ତାନକୁ ସମର୍ଥନ କରି ଫସିଲା ତୁର୍କୀ, ଲାଗିଲା ଆର୍ଥିକ କଟକଣା
ପାକିସ୍ତାନ, (ଓଡିଶା ଟାଇମ୍): ପାକିସ୍ତାନର ନୂଆ ବନ୍ଧୁ ସାଜିଥିବା ତୁର୍କୀ ଏବେ ଫସିଯାଇଛି। ‘ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସ ବା ଏଫଏଟିଏଫ ପକ୍ଷରୁ ତୁର୍କୀକୁ ଏବେ ‘ଧୂସର’ ତାଲିକାଭୁକ୍ତ କରାଯାଇଛି। ଆତଙ୍କବାଦୀଙ୍କୁ ସମର୍ଥନ କରିବା ଓ ଏହାକୁ ଜାତୀୟ ନୀତି କରିବା ଅଭିଯୋଗରେ ତୁର୍କୀ ବିରୋଧରେ ଆନ୍ତର୍ଜାତିକ କଟକଣା ଲାଗୁ କରାଯାଇଛି। ପାକିସ୍ତାନକୁ ଏଫଏଟିଏଫ୍ କଟକଣାରୁ ମୁକ୍ତ କରିବା ଓ ଧୂସର ତାଲିକାରୁ ଉଦ୍ଧାର କରିବା ପାଇଁ ପ୍ରବଳ ପ୍ରୟାସ ଚଳାଉଥିବା ତୁର୍କୀ ନିଜେ ଏଥିରେ ଛନ୍ଦି ହୋଇଯିବା ଏବେ ଚର୍ଚ୍ଚାରେ ବିଷୟ ହୋଇଛି। ତୁର୍କୀ ସହ ମ୍ୟାଁମାର ମଧ୍ୟ ଏହି ୨୨ ଜଣିଆ ତାଲିକାର ଅନ୍ତର୍ଭୁକ୍ତ ହୋଇଛି। ଏଫଏଟିଏଫ ଅଧ୍ୟକ୍ଷ ମାର୍କସ ପ୍ଲେୟର କହିଛନ୍ତି ଯେ ଆତଙ୍କବାଦୀଙ୍କୁ ଆର୍ଥିକ ପ୍ରୋତ୍ସାହନର ମାଧ୍ୟମ ପାଲଟିଛି ତୁର୍କୀ; ତେଣୁ ଏହି ରାଷ୍ଟ୍ର ଉପରେ କଡ଼ା ନଜର ରଖାଯିବା ଦରକାର। ତୁର୍କୀ ମଧ୍ୟ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ ପାକିସ୍ତାନକୁ ଧୂସର ତାଲିକାରୁ ବାଦ୍ ଦେବା ପାଇଁ ଚୀନ୍ ଓ ତୁର୍କୀ ବାରମ୍ବାର ଦାବି କରିଆସୁଛନ୍ତି। ଗତ ବର୍ଷ ଏଫଏଟିଏଫ୍ ବୈଠକରେ ପ୍ରଥମେ ଚୀନ୍ ଏହି ଦାବି ଉଠାଇବା ପରେ ତୁର୍କୀ ଏହାକୁ ସମର୍ଥନ କରିଥିଲା। ତୁର୍କୀ ରାଷ୍ଟ୍ରପତି ରେସେପ ତ୍ୟେପ୍ ଏର୍ଡୋଗାନ ଭାରତ ବିରୋଧୀ ଆଭିମୁଖ୍ୟ ପୋଷଣ କରିବା ସହ ପାକିସ୍ତାନ ସପକ୍ଷରେ ଉଦ୍ୟମ ଅବ୍ୟାହତ ରଖିବେ ବୋଲି କହିଥିଲେ। ଏହି ପରିପ୍ରେକ୍ଷୀରେ ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ସମର୍ଥନ ତୁର୍କୀକୁ ପାକିସ୍ତାନ ସହିତ ଧୂସର ତାଲିକାରେ ସ୍ଥାନ ମିଳିଛି। ଆତଙ୍କବାଦୀ ସଙ୍ଗଠନଙ୍କୁ ଆର୍ଥିକ ସହାୟତା ଲାଗି ୨୦୧୮ ଜୁନରୁ ଏଫଏଟିଏଫ ପାକିସ୍ତାନକୁ ଧୂସର ତାଲିକାଭୁକ୍ତ କରିଛି। ଦୁଇ ଦିନ ପୂର୍ବେ ଏହି ଅବଧି ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏଥିଯୋଗୁଁ ପାକିସ୍ତାନ କୌଣସି ବିଦେଶୀ ଆର୍ଥିକ ସହାୟତା ପାଇପାରୁ ନାହିଁ। ଏଫ୍ଏଟିଏଫ୍ ସର୍ତ୍ତ ପାଳନ କରିପାରୁ ନ ଥିବାରୁ ଏହି ରାଷ୍ଟ୍ର ବିଭିନ୍ନ କଟକଣାର ସମ୍ମୁଖୀନ ହେବା ସହ ବାର୍ଷିକ ୩୦ନିୟୁତ ଡଲାର ଆନ୍ତର୍ଜାତିକ ସହାୟତାରୁ ବଞ୍ଚିତ ହେଉଛି।