ଆମେରିକାରେ ଟ୍ରମ୍ପ ସମର୍ଥକଙ୍କ ହଙ୍ଗାମା ! ହିଂସାକାଣ୍ଡରେ ୪ ମୃତ

ୱାସିଂଟନ, (ଓଡିଶା ଟାଇମ୍) :ଆମେରିକା ସଂସଦ ପରିସରରେ ଟ୍ରମ୍ପଙ୍କ ସମର୍ଥକ ଲଙ୍କାକାଣ୍ଡ ଘଟାଇଛନ୍ତି। ରାଷ୍ଟ୍ରପତି ନିର୍ବାଚନକୁ ନେଇ ଏବେ ସୁଦ୍ଧା ଦେଶରେ ଉତ୍ତେଜନା ଜାରି ରହିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳର ଶେଷ ଦିନରେ ଆମେରିକାରେ ପୁଣି ଥରେ ହିଂସାକାଣ୍ଡ ଦେଖିବାକୁ ମିଳିଛି । ହଜାର ହଜାର ସଂଖ୍ୟାରେ ଟ୍ରମ୍ପ ସମର୍ଥକ ଅସ୍ତ୍ରଶସ୍ତ୍ର ନେଇ ସଂସଦରେ ଧସେଇ ପଶିବା ସହ ଭଙ୍ଗାରୁଜା କରି ସିନେଟରଙ୍କୁ ବନ୍ଧକ କରିନେଇଛନ୍ତି ।

ଏହି ହିଂସାକାଣ୍ଡରେ ଏବେ ସୁଦ୍ଧା ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଟ୍ରମ୍ପଙ୍କ ସମର୍ଥକଙ୍କ ଉତ୍ତେଜନାପୂର୍ଣ୍ଣ ପ୍ରତିବାଦ ଯୋଗୁଁ ସୃଷ୍ଟି ହୋଇଥିବା ସଂଘର୍ଷରେ ଆଉ ଅନେକ ଆହତ ମଧ୍ୟ ହୋଇଛନ୍ତି। ତେବେ ଅନେକ ସମୟ ସଂଘର୍ଷ ପରେ ସୁରକ୍ଷାକର୍ମୀ ମାନେ ସିନେଟରଙ୍କୁ ଉଦ୍ଧା କରିବା ସହ  ସମର୍ଥକଙ୍କୁ ବାହାର କରି ସଂସଦ ହଲକୁ ନିୟନ୍ତ୍ରଣକୁ ଆଣିବାରେ ସଫଳ ହୋଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ନିର୍ବାଚନ ଫଳାଫଳକୁ ନେଇ ଦେଶରେ ଲଗାତାର ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ନିର୍ବାଚନ ଫଳାଫଳକୁ ନେଇ ଆମେରିକୀୟ ସଂସଦର ବୈଠକ ବେଳେ ହିଂସାକାଣ୍ଡ ଘଟିଛି। ଯୁକ୍ତରାଷ୍ଟ୍ର ଆମେରିକାର ସାଂସଦମାନେ ରାଷ୍ଟ୍ରପତି ନିର୍ବାଚନରେ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ‌ଙ୍କ ବିଜୟକୁ ଔପଚାରିକ ସ୍ୱୀକୃତି ଦେବାକୁ ପ୍ରସ୍ତୁତ ହେଉଥିବାବେଳେ ସଂଘର୍ଷ ଘଟିଥିବା ସୂଚନା ମିଳିଛି । ହଠାତ୍ ହ୍ୱାଇଟ୍ ହାଉସ୍ ଓ କ୍ୟାପିଟଲ ବିଲ୍ଡିଂରେ ଟ୍ରମ୍ପ ସମର୍ଥକ ଧସେଇ ପଶିବା ସହ ସୁରକ୍ଷାକର୍ମୀଙ୍କ ସହ ଧସ୍ତାଧସ୍ତି ହୋଇଛି।

Leave a Reply

Your email address will not be published.