ଟ୍ରମ୍ପ ତୁମେ ହାରିଯାଅ, ନଚେତ ମରିଯାଅ…

BHUBANESWAR: ଇରାନ ବିରୋଧରେ ଇସ୍ରାଏଲ ଓ ଆମେରିକା ଚଳାଇଥିବା ଯୁଦ୍ଧରେ କିଏ ଜିତିବ ! କିଏ ହାରିବ ! ହାରିବା, ଜିତିବା କଥା ଛାଡ଼ନ୍ତୁ, ଏବେ ଅନେକ ଲୋକ ଅନେକ କିଛି ହରାଇ ସାରିଲେଣି, ଅନେକ ବି ହାରି ସାରିଲେଣି… କିଛି ମରିବାକୁ ମଧ୍ୟ ପ୍ରସ୍ତୁତ ହୋଇ ସାରିଲେଣି । ହେଲେ ଯୁଦ୍ଧ ଆରମ୍ଭର ପ୍ରଥମ ସପ୍ତାହରୁ ହାରି ସାରିଥିବା ଇସ୍ରାଏଲ୍ ଓ ଆମେରିକା କିନ୍ତୁ, ପରାଜୟ ସ୍ବୀକାର କରିବା Moodରେ ନାହାଁନ୍ତି । ଆଉ କେମିତି ହେଲେ… କେତେ ହେଲେ, ଏହି ଦୁଇ ଦେଶର ନେତୃତ୍ବ ପରାଜୟକୁ ବରଣ କରିବେ !…

() ଅସ୍ତିତ୍ବ ପାଇଁ ଲଢୁଛି ଇରାନ । ଆମେରିକାକୁ Make America Great Again କରିବାର ସ୍ବପ୍ନ ନେଇ ଲଢୁଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେପଟେ The Great Israelର ସ୍ବପ୍ନ ଦେଖିଥିବା ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ନିଆଁ ଲଗାଇ ଦେଇ ସେହି ନିଆଁରେ ଅଣକାଇତି ହୋଇଗଲେଣି । ଇରାନ କିନ୍ତୁ ସମସ୍ତଙ୍କୁ ଦୃଢ଼ତାର ସହ ମୁକାବିଲା କରି ଚାଲିଛି । ଆମେରିକାର THAAD, ଇସ୍ରାଏଲର Iron Domeକୁ ପାଣି ପିଆଇ ଦେଉଥିବା ଇରାନ, ସହଜରେ ପରାଜୟ ସ୍ବୀକାର କଲା ଭଳି ଲାଗୁନି । ଯୁଦ୍ଧକୁ ୧୫ ଦିନ ହୋଇନି, ବିଶ୍ବର ବାଜା ବାଜି ସାରିଲାଣି । ଆଉ ୧୫ ଦିନ ପରେ ପରିସ୍ଥିତି କଣ ହେବ, କହି ହେଉନି । ଏଭଳି ସ୍ଥିତିରେ ୧୦ ବର୍ଷ ଯାଏଁ ଯୁଦ୍ଧ ଲଢ଼ିବାକୁ ପ୍ରସ୍ତୁତ ଅଛି ବୋଲି କହୁଥିବା ଇରାନ, ଯଦି ସତକୁ ସତ ସେୟା କରିଦିଏ… ତେବେ ଏ ବିଶ୍ବ ରହିବ ଟି ! ସ୍ରଷ୍ଟାଙ୍କ ପରମ ସୃଷ୍ଟି ଏ ଜୀବଜଗତର ହେବ କଣ !…

() ଯୁଦ୍ଧ ଏଡ଼ାଇବା ପାଇଁ, ଇରାନ ସହ କୂଟନୈତିକ ଆଲୋଚନା ଆରମ୍ଭ କରିଥିଲା ଆମେରିକା । ମସ୍କାଟରେ ପ୍ରଥମ ଓ ଜେନିଭାରେ ଦ୍ବିତୀୟ ବୈଠକ ଫେଲ ହୋଇଥିଲା । ସେହି ଜେନିଭାରେ ହୋଇଥିବା ତୃତୀୟ ବୈଠକରେ କିଛିଟା Development ହୋଇଥିଲା । କଥା ଥିଲା, ଭିଏନାରେ ହେବାକୁ ଥିବା ଚତୁର୍ଥ ବୈଠକରେ ସମାଧାନର ସୂତ୍ର ବାହାରିଯିବ । କିନ୍ତୁ ଭିଏନା ବୈଠକ ଆରମ୍ଭ ପୂର୍ବରୁ ଫେବ୍ରୁଆରି ୨୮ରେ ତେହେରାନରେ ଇସ୍ରାଏଲ ଓ ଆମେରିକା କଲେ ବଡ଼ ଧରଣର ଆକ୍ରମଣ । ଯେଉଁଥିରେ ସୁପ୍ରିମ ଲିଡର୍ ଖାମିନେଇଙ୍କ ସମେତ ଇରାନ ସରକାରଙ୍କ ଟପ୍ ଲେବୁଲର ୪୦ରୁ ଅଧିକ ଅଧିକାରୀ ଏବଂ ନେତା ପ୍ରାଣ ହରାଇଲେ । ଇସ୍ରାଏଲ ଓ ଆମେରିକା ଭାବିଥିଲେ, ଖାମିନେଇଙ୍କ ବିରୋଧରେ ତ ସରକାର ବିରୋଧୀ ହାୱା ଅତି ଉଚ୍ଚସ୍ତରରେ ଥିଲା, ତେଣୁ ତାଙ୍କ ମୃତ୍ୟୁ ପରେ ଇରାନରେ ସତ୍ତା ପରିବର୍ତ୍ତନ ସେମାନଙ୍କ ପାଇଁ ସହଜ ହୋଇଯିବ । କିନ୍ତୁ Result ହେଲା ସମ୍ପୂର୍ଣ୍ଣ ଓଲଟା । ସିନିଅର ଖାମିନେଇଙ୍କୁ ବିରୋଧ କରୁଥିବା ଲୋକେ, ତାଙ୍କ ମୃତ୍ୟୁ ପରେ ସବୁକିଛି ଭୁଲି ଯାଇ ଦେଶ ପାଇଁ ଆଗକୁ ଚାଲି ଆସିଛନ୍ତି । ବିନା ଦ୍ବିଧାରେ ଇରାନବାସୀ ଜୁନିଅର ଖାମିନେଇଙ୍କୁ ସେମାନଙ୍କ ନେତା ବୋଲି ସ୍ବୀକାର କରି ନେଇଛନ୍ତି । ଆଉ ଜୁନିଅର ଖାମିନେଇ ଇରାନର ସୁପ୍ରିମ ଲିଡର ଭାବେ ଦାୟିତ୍ବ ନେବା ପରେ ଇସ୍ରାଏଲ ଓ ଆମେରିକା ବିରୋଧରେ ପ୍ରତି ଆକ୍ରମଣକୁ ଜୋରଦାର କରିଛନ୍ତି ।…

() ସଦ୍ୟତମ ରିପୋର୍ଟ ଅନୁସାରେ ଆମେରିକାର ତଥା ସାରା ବିଶ୍ବର ସର୍ବ ଶକ୍ତିମାନ ଯୁଦ୍ଧ ଜାହାଜ USS Abraham Lincon ଓ USS Gerald R Ford ଉପରେ ମିସାଇଲ୍ ଆକ୍ରମଣ କରି ସାରିଛି ଇରାନ । କ୍ଷୟକ୍ଷତିକୁ ଆମେରିକା ଯେତେ ଲୁଚାଉ ଥିଲେ ମଧ୍ୟ ତାହା ଲୁଚିପାରୁନି । ଆକାଶରେ ଲଢୁଆ ବିମାନରେ ଇନ୍ଧନ ଭରୁଥିବା ଆମେରିକାର ୬ଟିରୁ ୪ଟି KC-135 ଜାହାଜ ମଧ୍ୟ ଇରାନ ଓ ତାର ପ୍ରକ୍ସି ସଂଗଠନ ମିଶି ଖସାଇ ସାରିଲେଣି । ଆମେରିକା ପ୍ରଥମ ଥର ପାଇଁ ବିନା ନାଟୋ ବ୍ୟାନରରେ ଏହି ଯୁଦ୍ଧ ଲଢୁଥିବା ବେଳେ ପ୍ରାୟ ସବୁ ଆରବ ଦେଶ ଏବଂ ଅଧିକାଂଶ ୟୁରୋପୀୟ ଦେଶ, ୱାସିଂଟନକୁ ଏହି ଯୁଦ୍ଧରେ ସାଥ ଦେଉ ନାହାଁନ୍ତି । ଆମେରିକାର ସାମରିକ ଆଡ୍ଡା ଥିବା ଆରବ ଦେଶ ଉପରେ ଇରାନ ଆକ୍ରମଣ କଲେ ମଧ୍ୟ ସେହି ଦେଶଗୁଡ଼ିକ, ଇରାନକୁ ପ୍ରତି ଆକ୍ରମଣ କରିବାକୁ ସାହସ ଜୁଟାଇ ପାରୁନାହାଁନ୍ତି । ବରଂ ଯୁଦ୍ଧ ପାଇଁ ସେମାନେ କ୍ଷତିଗ୍ରସ୍ତ ହେଉଥିବା ଆମେରିକାକୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ଇଙ୍ଗିତ କରି ସାରିଲେଣି । ତଥାପି ଟ୍ରମ୍ପ ବୁଝୁ ନାହାଁନ୍ତି ।…

() ଟ୍ରମ୍ପ ବୁଝୁ ନାହାଁନ୍ତି ନା ବୁଝିପାରୁ ନାହାଁନ୍ତି… ନା ବୁଝିବାକୁ ଚେଷ୍ଟା କରୁ ନାହାଁନ୍ତି ! କଣ ହୋଇଛି ତାଙ୍କର ! ସେ କଣ ବିଶ୍ବର ବିନାଶ ପାଇଁ ଠିକା ନେଇକି ଆସିଛନ୍ତି ନା କଣ ! କାହିଁକି ତାଙ୍କ ଯୋଗୁଁ, ବିଶ୍ବର କୋଟି କୋଟି ଲୋକ ହଇରାଣ ହେବ ! କାହିଁକି ତାଙ୍କ ପାଇଁ ବିଶ୍ବ ଏବେ ଧ୍ବଂସାଭିମୁଖୀ ! କାହିଁକି ବିଶ୍ବରେ ଏବେ ଗ୍ୟାସ ସଙ୍କଟ ଗୁରୁତର ହେଲାଣି ! ଆଗକୁ ତେଲ ସଙ୍କଟ ହେଲେ, କିଏ ସମ୍ଭାଳିବ ! ଯୁଦ୍ଧ କାହା ପାଇଁ ମଜା ହୋଇପାରେ, କିନ୍ତୁ ସାମଗ୍ରୀକ ଭାବେ ସମସ୍ତଙ୍କ ପାଇଁ ଏହା କେବଳ ସଜ୍ଜା ।…

() ଯୁଦ୍ଧ ହେଲେ ପ୍ରଥମେ ଯେଉଁ ସଙ୍କଟଟି ଦେଖାଦେବ, ତାହା ହେଉଛି ଖାଦ୍ୟ ସଙ୍କଟ । ଏବେର ଯୁଦ୍ଧ ବିଶ୍ବର ପ୍ରତିଟି ଗରିବର ହାଣ୍ଡିଶାଳ ଉପରେ ପ୍ରଭାବ ପକାଇ ସାରିଲାଣି । ବାହାରେ ରେଡିମେଡ୍ ଖାଦ୍ୟର ଦାମ ମଧ୍ୟ ଅହେତୁକ ଭାବେ ବଢ଼ିଗଲାଣି । ଯାହା ଧନୀ, ଗରିବ ସମସ୍ତଙ୍କ ପକେଟ୍ ଉପରେ ମାଡ଼ କଲାଣି । ଗ୍ୟାସ ସଙ୍କଟ ସାର ଉପରେ ସିଧାସଳଖ ପ୍ରଭାବ ପକାଇବାକୁ ଯାଉଥିବା ବେଳେ ବିଶ୍ବରେ କୃଷି ଉତ୍ପାଦନ ପ୍ରଭାବିତ ହେବା ଏକ ପ୍ରକାର ଥୟ । ଶେୟାର ମାର୍କେଟ ଉପରେ ଯୁଦ୍ଧର ପ୍ରଭାବ ଲଗାତାର ଭାବେ ଦୈନିକ ନିବେଶକଙ୍କ ଲକ୍ଷ ଲକ୍ଷ କୋଟି ଟଙ୍କା ସ୍ବାହା କରି ଦେଉଛି । କହିବାକୁ ଗଲେ ଏବେ ବି ଯଦି ଯୁଦ୍ଧ ବନ୍ଦ ହୋଇଯାଏ, ତେବେ ବିଶ୍ବ ୨୦ ବର୍ଷ ତଳକୁ ଚାଲି ଯାଇଥିଲା ଭଳି ଅନୁଭବ ହେବ । ହେଲେ ଯୁଦ୍ଧ ବନ୍ଦ ହେବ ତ !…

() ବିଭିନ୍ନ ଗଣମାଧ୍ୟମର ରିପୋର୍ଟ, ହ୍ବାଇଟ୍ ହାଉସ୍ ଏବଂ ପେଣ୍ଟାଗନ୍ ମନ୍ତବ୍ୟକୁ ଯଦି ଅନୁଶୀଳନ କରାଯାଏ, ତେବେ ଇରାନ ବିରୋଧୀ ଯୁଦ୍ଧରୁ ବାହାରିବାକୁ ବିଳିବିଳି ହୋଇ Exit Route ଖୋଜୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଯୁଦ୍ଧ ପୂର୍ବରୁ ଇରାନ ଆଗରେ ୩ଟି ସର୍ତ୍ତ ରଖିଥିଲା ଆମେରିକା । ସେଗୁଡ଼ିକ ହେଲା- ‘ଇରାନ ତାର ଆଣବିକ କାର୍ଯ୍ୟକଳାପ ବନ୍ଦ କରିବ’, ‘ବାଲିଷ୍ଟିକ ମିଶାଇଲ ନଷ୍ଟ କରିବ ଏବଂ ଆଉ ଭବିଷ୍ୟତରେ କରିବ ନାହିଁ’ । ତୃତୀୟ ସର୍ତ୍ତଟି ଥିଲା, ‘ହାମାସ୍, ହିଜବୁଲ୍ଲା ଓ ହୁତି ଭଳି ପ୍ରକ୍ସି ସଂଗଠନ ସହ ସମସ୍ତ ପ୍ରକାର ସମ୍ପର୍କ ଛିନ୍ନ କରିବ’ । ଇରାନ କିନ୍ତୁ ଏବେ କହିଲାଣି, ଯୁଦ୍ଧ କେବେ ବନ୍ଦ ହେବ, ସେ ନିଷ୍ପତ୍ତି ସେ ନେବ । ଯୁଦ୍ଧ ବନ୍ଦ କରିବାକୁ ଇସ୍ରାଏଲ ଓ ଆମେରିକା ଆଗରେ ୩ଟି ସର୍ତ୍ତ ରଖିଛି ଇରାନ । ସେଗୁଡ଼ିକ ହେଲା- ‘ସମସ୍ତ ଆରବ ଦେଶରୁ ଆମେରିକା ତାର ସାମରିକ ଆଡ୍ଡା ହଟାଇବ’, ‘ମଧ୍ୟପ୍ରାଚ୍ୟ ଏବଂ ସମସ୍ତ ଆରବ ଦେଶରୁ ଆମେରିକା ତାର ସୈନ୍ୟ ପ୍ରତ୍ୟାହାର କରିବ’ । ତୃତୀୟଟି ହେଉଛି, ‘ଯୁଦ୍ଧରେ ଇରାନର ଯାହା କିଛି କ୍ଷତି ହୋଇଛି, ସେସବୁ ଇସ୍ରାଏଲ ଓ ଆମେରିକା ଭରଣା କରିବେ’ । ଯାହା ସମ୍ଭବ ହେଲା ଭଲି ଲାଗୁ ନଥିବା ବେଳେ ଯୁଦ୍ଧ ନିକଟ ଭବିଷ୍ୟତରେ ବନ୍ଦ ହେଲା ଭଳି ଲାଗୁନି ।…

() କୁହାଯାଉଛି ଏ ଯୁଦ୍ଧ କାଳେ Super Power ହେବାର ଲଢ଼େଇ । ଆମେରିକାକୁ ଏକ ନମ୍ବର ପଦରୁ ହଟାଇବାକୁ ରୁଷିଆ ଓ ଚୀନ କାଳେ ଚାଲ୍ ଚଳାଇଛନ୍ତି । କିନ୍ତୁ ଇରାନର କ୍ଷତି ଚୀନର ଚିନ୍ତା ବଢ଼ାଇ ଦେଲାଣି । ଚୀନ ତା ଆବଶ୍ୟକତାର ୯୦ ପ୍ରତିଶତ ତେଲ ଇରାନରୁ ହିଁ ଆମଦାନୀ କରିଥାଏ । କିନ୍ତୁ ଯଦି ଏହି ସ୍ଥିତି ଲାଗିରହେ, ତେବେ ଚୀନ ମଧ୍ୟ ଦୀର୍ଘକାଳୀନ କ୍ଷତି ସହିବା ସମ୍ଭାବନା ରହୁଛି । ସେପଟେ ଇରାନ, ହର୍ମୁଜ ଷ୍ଟ୍ରେଟକୁ ଏକରକମ ସମ୍ପୂର୍ଣ୍ଣ କବଜାକୁ ନେଇ ବିଶ୍ବର ଶକ୍ତି କ୍ଷେତ୍ରକୁ ଜବରଦସ୍ତ ଝଟକା ଦେଇଛି । ଯେଉଁ ପରିସ୍ଥିତିର ଫାଇଦା ଉଠାଇବାରେ ବ୍ୟସ୍ତ ରୁଷିଆ । ମସ୍କୋ ଏବେ ତେଲ ବିକି ଏବେ ଖାଲି ଟଙ୍କା ଛାଣୁଛି, ଆଉ ଗଣୁଛି । ରୁଷିଆ ଏବଂ ଚୀନ ବଳରେ ଇରାନ ବଳୀୟାନ । ତେଣୁ ଯୁଦ୍ଧ ଯେତେଦିନ ଚାଲିବ, ତାହା ଇରାନକୁ ଏବଂ ରୁଷିଆକୁ ଫାଇଦା । ରୁଷିଆ ବେପାର କରି ଧନୀରୁ ଆହୁରି ଧନୀ ହେବ, ସେପଟେ ଇରାନର ଶସ୍ତା ଟେକ୍ନୋଲଜି ପଛରେ ଅତି ଦାମିକା ଟେକ୍ନୋଲଜି ବ୍ୟବହାର କରି, ଆମେରିକା ଆର୍ଥିକ ସ୍ତରରେ ଦୁର୍ବଳରୁ ଦୁ୍ର୍ବଳ ହୋଇ ଚାଲିବ । ଇରାନ ଯୁଦ୍ଧରେ ଆମେରିକା ଏବେ ଦୈନିକ ଦେଢ଼ ବିଲିଅନ ଡଲାର ଖର୍ଚ୍ଚ କରୁଛି । ୧୯୭୫ରୁ Budget Deficit ଏବଂ ଋଣଭାରରେ ବୁଡ଼ିକି ଥିବା ଆମେରିକା, ଯୁଦ୍ଧ ଲମ୍ବା ହେଲେ ଲଢ଼ିପାରିବ ତ !…

() ଏଭଳି ସ୍ଥିତିରେ ଆମେରିକାକୁ ମିଳିବ କଣ ? ଅତୀତରେ ଯେଉଁ ଦେଶ ବି ଡଲାରକୁ ଧମକ ଦେଇଛି, ଆମେରିକା ତାକୁ ବରବାଦ କରି ଦେଇଛି । ସମାନ୍ତରାଳ ଭାବେ ବିଶ୍ବ ତେଲ ବଜାରକୁ ନିଜ ହାତକୁ ନେଇ ନିଜକୁ ଶକ୍ତି କ୍ଷେତ୍ରର ସୁପ୍ରିମ ଲିଡର୍ କରିବାକୁ ଚେଷ୍ଟା କରୁଛି । କିନ୍ତୁ ଇରାନ ବିରୋଧୀ ଏଥରର ଯୁଦ୍ଧରେ ଆମେରିକା, ଉଭୟ ପେଟ୍ରୋଲ ଏବଂ ଡଲାର୍ ବା ପେଟ୍ରୋଡଲାରକୁ ନେଇ ଘାଟାରେ ପଡ଼ିବାକୁ ଯାଉଛି । ଟ୍ରମ୍ପଙ୍କ ପାଇଁ ଡଲାର୍ ହୁଏତ ସବୁଦିନ ପାଇଁ ତାର ଗୁରୁତ୍ବ ହରାଇପାରେ… ବିଶ୍ବ ହୁଏତ, ଇରାନ ଏବଂ ରୁଷିଆକୁ ଶକ୍ତି କ୍ଷେତ୍ରର ସୁପ୍ରିମ ଲିଡର୍ ଭାବେ ପାଇପାରେ । ହେଲେ ନେତାନ୍ୟାହୁଙ୍କୁ ନ୍ୟାୟ ଦେବ କିଏ ? ସେ ଦେଖୁଥିବା The Great Israel ସ୍ବପ୍ନ, ସ୍ବପ୍ନରେ ରହିଯିବନି ତ ! ଅକ୍ଟୋବରରେ ନେତାନ୍ୟାହୁ ପୂର୍ଣ୍ଣକାଳୀନ ଏବଂ ନଭେମ୍ବରରେ ଟ୍ରମ୍ପ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ସାମ୍ନା କରିବାକୁ ଯାଉଛନ୍ତି । ଏହି ଦୁଇ ନେତାଙ୍କ ଉପରେ ଇରାନ ରକ୍ତ ଚାଉଳ ଚୋବାଉଛି । ତେଣୁ ଇରାନ କେବେ ବି ନଭେମ୍ବର ପୂର୍ବରୁ ଯୁଦ୍ଧ ଶେଷ କରିବା ହୁଏତ ଚାହିଁ ନପାରେ । ଯଦି ଏହା ହୁଏ, ଟ୍ରମ୍ପ ଓ ନେତାନ୍ୟାହୁଙ୍କ ଅବସ୍ଥା କଣ ହେବ କହିଲେ ? ସେମାନେ ମୁଣ୍ଡ ଟେକି ବାଟ ଚାଲିପାରିବେ ଟି ! ବିଶ୍ବର ନମ୍ବର ୱାନ୍ ଏକଛତ୍ରବାଦୀ ଶାସକ ଆଡଲଫ ହିଟଲର ମଧ୍ୟ ଶେଷ ମୁହୁର୍ତ୍ତରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ ।…

() ଇରାନ ବିରୋଧୀ ଯୁଦ୍ଧରେ ଇସ୍ରାଏଲ ଏବଂ ଆମେରିକା କେବଳ ହାରୁ ନାହାଁନ୍ତି, ବରଂ ଏହି ଦୁଇ ନେତାଙ୍କ ପାଇଁ ସେମାନଙ୍କ ନିଜ ନିଜ ଦେଶ ଅନେକ କିଛି ହରାଉଛନ୍ତି । ଏ କ୍ଷତି ଆଗାମୀ ଆଗାମୀ ଅନେକ ବର୍ଷ ପାଇଁ । ଏ ଯୁଦ୍ଧ ପରର ସ୍ଥିତି ଭାରତକୁ କେଉଁ ପୋଜିସନରେ ରଖିବ ! ସ୍ବାଧୀନତା ପରଠାରୁ ଭାରତ କେବେ ବି ବିଶ୍ବର କୌଣସି ଯୁଦ୍ଧକୁ ସମର୍ଥନ କରିନି । କାହାର ପକ୍ଷ ନେଇନି । କିନ୍ତୁ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲ ଗସ୍ତ ସାରି ଫେରିବାର ୪୮ ଘଣ୍ଚା ମଧ୍ୟରେ ଇରାନ ଉପରେ ହୋଇଛି ଆକ୍ରମଣ । ଯେତେବେଳେ କି ଇରାନ ଏବଂ ଭାରତର ସମ୍ପର୍କ ବହୁ ପୁରୁଣା ଏବଂ ବହୁତ ମଜଭୁତ । କିନ୍ତୁ ଏ ଯୁଦ୍ଧ, ଭାରତକୁ ଅନେକ କିଛି କ୍ଷତି ଦେବାକୁ ଯାଉଛି । ଆମେରିକାର ନିର୍ଦ୍ଦେଶରେ ହିଁ ବର୍ତ୍ତମାନର ବିଜେପି ନେତୃତ୍ବାଧୀନ ସରକାର ଇରାନଠାରୁ ଶସ୍ତାରେ ଆଣୁଥିବା ତେଲ ବନ୍ଦ ଆମଦାନୀ ବନ୍ଦ କରି ଦେଇଛନ୍ତି । ଆଉ ଏବେ ରୁଷିଆଠାରୁ ବନ୍ଦ କରି ଦେଇଥିବା ବେଳେ ଆମେରିକା ଦେଇଛି ୩୦ ଦିନର ଛାଡ଼ । କହିବାକୁ ଗଲେ ଟ୍ରମ୍ପ ହିଁ ବର୍ତ୍ତମାନ ଭାରତର ହର୍ତ୍ତା, କର୍ତ୍ତା ଏବଂ ଦଇବ ବିଧାତା । ରାଷ୍ଟ୍ରପତି ନିକୋଲସ ମାଦୁରୋଙ୍କୁ କମାଣ୍ଡୋ ଅପରେସନରେ ଉଠାଇ ଅପହରଣ କରି ଆଣିବା ପରେ, ଟ୍ରମ୍ପ ନିଜକୁ ଭେନେଜୁଏଲାର Acting President ବୋଲି କହିଥିଲେ । କିନ୍ତୁ ଭେନେଜୁଏଲାବାସୀ ତାହା ଗ୍ରହଣ କରିଛନ୍ତି କି ନାହିଁ, ତାହା ସ୍ପଷ୍ଟ ହୋଇନି । କିନ୍ତୁ ଭାରତ କାହାଠାରୁ ତେଲ କିଣିବ, କେତେବେଳେ କିଣିବ, କେତେ କିଣିବ… ପୁଣି କାହାଠୁ ନକିଣିବ, କେତେବେଳେ କିଣିବା ବନ୍ଦ କରିବ… ଏସବୁ ନିଷ୍ପତ୍ତି ଭାରତ ସରକାରଙ୍କ ବଦଳରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନେଉଛନ୍ତି । ଟ୍ରମ୍ପ, କଣ ଆମ ଦେଶର Acting Prime Minister ହୋଇ ଯାଇଛନ୍ତି କି ! ତେଣୁ ଏଭଳି ସ୍ଥିତିରେ ଟ୍ରମ୍ପ ସାହେବ, ନିଜେ ସାରା ବିଶ୍ବ ପାଇଁ ସମସ୍ତ ଅଶାନ୍ତିର କାରଣ ହେବା ଅପେକ୍ଷା, ଶାନ୍ତିରେ ଶୋଇ ପଡ଼ିଲେ ଭଲ ହୁଅନ୍ତା ।…

Leave a Reply

Your email address will not be published. Required fields are marked *