ଯୁବକଙ୍କ ଉନ୍ମତ୍ତ କାଣ୍ଡ, ଠିଆ ହୋଇଥିବା ହାଇୱାକୁ ପେଟ୍ରୋଲ ଢାଳି ଲଗାଇଦେଲେ ନିଆଁ

କେନ୍ଦ୍ରାପଡା , (ଓଡିଶା ଟାଇମ୍) : କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ଯୁବକର ଉନ୍ମତ କାଣ୍ଡ । ହାଇୱେରେ ଠିଆ ହୋଇଥିବା ୧୦ଚକିଆ ଏକ ହାଇୱାକୁ ପେଟ୍ରୋଲ ଢାଳି ଜାଳି ଦେଇଥିବା ସୂଚନା ମିଳିଛି । ଖବର ପାଇ ଆଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ କାବୁ କରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ସେ ପୋଲିସ ଗାଡିକୁ ମଧ୍ୟ ଜଳାଇବାକୁ ଚେଷ୍ଟା କରିଥିଲା । ଏହି ଯୁବକ ହେଉଛି ସ୍ଥାନୀୟ ଲୋକପଡ଼ା ଗାଁ ର ବୋଲି ଜଣାପଡିଛି । ତେବେ ବର୍ତ୍ତମାନ ସୁଦ୍ଧା କାରଣ ଅସ୍ପଷ୍ଟ ରହିଛି । ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା କୌଣସି ମୃତାହତର ଖବର ନାହିଁ । ସୂଚନାଅନୁସାରେ, ଉନ୍ମତ୍ତ ଯୁବକ ଆଳି ବଜାରରେ ଗୋଟିଏ ହାଇଓ୍ବା (ନମ୍ବର ଓଡି୦୪କେ୪୨୨୯)କୁ ପେଟ୍ରୋଲ ଢାଳି ସମ୍ପୂର୍ଣ୍ଣ ଜାଳି ଦେଇଥିବା ବେଳେ ଡ୍ରାଇଭର ଉପରେ ମଧ୍ୟ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରିଥିଲା।

ତେବେ ଜୀବନ ବିକଳରେ ଡ୍ରାଇଭର ଦୌଡ଼ି ପଳାଇ ଯାଇ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସେହିପରି ସଂପୃକ୍ତ ଯୁବକ ବାଳକାଟି ନିକଟରେ ପାର୍କିଂ କରିଥିବା ଆଉ ଏକ ଟ୍ରକ (ନମ୍ବର ଓଡି୨୯ଇ୭୦୮୮)ରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚିବାରୁ ଅଧାପୋଡ଼ା ଅବସ୍ଥାରେ ଟ୍ରକଟି ରହିଯାଇଛି। ଏହା ସହିତ ଯୁବକ ଜଣଙ୍କ ଅନ୍ୟ ଏକ ମାଛ ଗାଡ଼ିର ଡ୍ରାଇଭର ଉପରେ ଆକ୍ରମଣ କରିଥିବା ମଧ୍ୟ ପୁଲିସ ସୂତ୍ରରୁ ଜଣାପଡ଼ିଛି। ଖବର ପାଇ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଟ୍ରକଟି ସମ୍ପୂର୍ଣ୍ଣ ଜଳିଯାଇଛି।

Leave a Reply

Your email address will not be published.